ଘରୋଇ ଓ ସରକାରୀ କଲେଜ ଓ ହସପିଟାଲରେ ଲାଗୁ ହେବ ଏସଓପି

ଭୁବନେଶ୍ବର: କୋଲକାତାରେ ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ପ୍ରସଙ୍ଗ । ସାରା ଦେଶରେ ହଙ୍ଗାମାକୁ ଦୃଷ୍ଟିରେ ରଖି ଓଡିଶାର ସମସ୍ତ ହସ୍ପିଟାଲ ଓ ମେଡିକାଲ କଲେଜ ପାଇଁ ସ୍ୱତନ୍ତ୍ର ଏସଓପି ଅଣାଯାଉଛି । ଉଭୟ ସରକାରୀ ଓ ଘରୋଇ ହସ୍ପିଟାଲ ପାଇଁ ଏହି ଏସଓପି କଡାକଡି ଭାବେ ଲାଗୁ ହେବ ବୋଲି ଡିଏମଇଟି ଡାକ୍ତର ସନ୍ତୋଷ ମିଶ୍ର କହିଛନ୍ତି ।

କୋଲକାତାରେ ଯେଭଳି କାଣ୍ଡ ହେଲା ସେଭଳି କାଣ୍ଡର ଯେଭଳି ପୁନରାବୃତ୍ତି ନହେବ ସେଥିପାଇଁ ଏସଓପିରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ହସ୍ପିଟାଲ ଓ ମେଡିକାଲ କଲେଜରେ କେଉଁଠି ପୋଲିସ କିମ୍ବା ଅନ୍ଯ ସିକ୍ୟୁରିଟି ମୁତୟନ ହେବେ, କେଉଁଠି କେମିତି ଆଲୋକର ବ୍ୟବସ୍ଥା ହେବ ସେଭଳି ନିୟମାବଳୀ ରହିବ । କଡାକଡି ଭାବେ ନିୟମ ଅନୁପାଳନ କରିବାକୁ କୁହାଯିବ। ହସ୍ପିଟାଲରେ କାମ ନ ଥିବା ବାହାର ଲୋକଙ୍କ ପ୍ରବେଶକୁ ବନ୍ଦ କରିବା ଉପରେ ଗୁରୁତ୍ୱ ଦିଆଯିବ।

ଏହାକୁ ପାଳନ ଲାଗି ପ୍ରିନ୍ସିପାଲ ଓ ସୁପରିଟେଣ୍ଡେଣ୍ଟଙ୍କୁ ଦାୟିତ୍ୱ ଦିଆଯିବ । ଡାକ୍ତରମାନଙ୍କ କାର୍ଯ୍ୟଚାପ କମାଇବା ପାଇଁ ୱାର୍କ ରିଡିଷ୍ଟ୍ରିବ୍ୟୁସନ ସଠିକ ଢଙ୍ଗରେ କରିବା ଉପରେ ଗୁରୁତ୍ୱ ଦିଆଯିବ। ବିଭିନ୍ନ ମେଡିକାଲ କଲେଜ ଓ ହସ୍ପିଟାଲର ଏଚଓଡି, ସୁପରିଟେଣ୍ଡେଣ୍ଟ ଓ ପ୍ରିନ୍ସିପାଲମାନେ ଏକ କମିଟି କରି ଏହି କାର୍ଯ୍ୟ ଚାପକୁ କମାଇବାକୁ ପଦକ୍ଷେପ ନେବେ। ଯାହାକି ଏସଓପିରେ ସ୍ଥାନ ଦିଆଯାଇଛି । ଏସଓପିର ଡ୍ରାଫ୍ଟିଂ କାମ ଶେଷ ହୋଇଛି । ସରକାରଙ୍କ ଅନୁମୋଦନ ପରେ ଏହା ଖୁବ ଶୀଘ୍ର ଲାଗୁ ହେବ। ହସ୍ପିଟାଲରେ କିଭଳି ଶୃଙ୍ଖଳିତ ଭାବେ କାର୍ଯ୍ୟ ହେବ ତାକୁ ଏସଓପିରେ ଗୁରୁତ୍ୱ ଦିଆଯାଇଛି ବୋଲି କହିଛନ୍ତି ଡିଏମଇଟି ଡାକ୍ତର ସନ୍ତୋଷ ମିଶ୍ର।