ପ୍ରବାସୀଙ୍କ ଓଡ଼ିଶା ପ୍ରବେଶ ନେଇ ଏସ୍‌ଓପି ଜାରି: ଗୋଟିଏ ବିସିପି ଦେଇ ଆସିପାରିବେ ଓଡ଼ିଶା

ଭୁବନେଶ୍ୱର: ରାଜ୍ୟରେ ଚିହ୍ନଟ ହୋଇଥିବା ୧୧ଟି ସୀମା ଯାଞ୍ଚ ପଏଣ୍ଟକୁ ନେଇ ରାଜ୍ୟ ସ୍ୱତନ୍ତ୍ର ରିଲିଫ୍‌ କମିଶନର (ଏସ୍‌ଆରସି) , ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର ବା SOP ଜାରି କରିଛନ୍ତି ।

ଓଡ଼ିଶା ମଧ୍ୟକୁ ପ୍ରବେଶ କରିବାକୁ ଚାହୁଁଥିବା ବ୍ୟକ୍ତିବିଶେଷ  ନିର୍ଦ୍ଧାରିତ ୧୧ଟି ଚେକ୍‌ ପଏଣ୍ଟ ମଧ୍ୟରୁ କେବଳ ଗୋଟିଏ BCP ବା ( ବର୍ଡର ଚେକ୍‌ ପଏଣ୍ଟ) ଦେଇ ପ୍ରବେଶ କରିବେ ।

ଯାଞ୍ଚ ପଏଣ୍ଟ ଗୁଡ଼ିକୁ ଓଡ଼ିଶା ପୋଲିସ ଅପରେଟ୍‌ କରିବ। ଇନସ୍ପେକ୍ଟର ରାଙ୍କ୍‌ର ଜଣେ ଅଧିକାରୀ ଏହାର ଦାୟିତ୍ୱରେ ରହିବେ। RTO କର୍ମଚାରୀଙ୍କ ସହ ପରିବହନ ବିଭାଗର ଅନ୍ୟ ଅଧିକାରୀ ମଧ୍ୟ ପୋଲିସକୁ ସହଯୋଗ କରିବାକୁ ସେଠାରେ ଉପସ୍ଥିତ ରହିବେ।

ସୀମା ଗୁଡ଼ିକରେ ବିସିପି ଚଳାଇବାକୁ କମ୍ପ୍ୟୁଟର, ପ୍ରିଣ୍ଟର, ଜେନେରେଟର ସହିତ ଅନ୍ୟ ଆନୁସାଙ୍ଗିକ ଅଫିସ୍‌ ବ୍ୟବସ୍ଥା କରିବ ପରିବହନ ବିଭାଗ। ଜିଲ୍ଲା ପ୍ରଶାସନ ପକ୍ଷରୁ ସେଠାରେ ସାମୟିକ ରହଣିର ବ୍ୟବସ୍ଥା, ପାନୀୟଜଳ ଓ ଅସ୍ଥାୟୀ ଶୌଚାଳୟର ବ୍ୟବସ୍ଥା କରାଯିବ।

ଅତି କମରେ ଜଣେ ଡାକ୍ତର କିମ୍ବା ଆୟୁଷ୍‌ ଡାକ୍ତରଙ୍କୁ ନେଇ ଗୋଟିଏ ମେଡିକାଲ୍‌ ଟିମ୍‌ ସେଠାରେ ଉପସ୍ଥିତ ରହିବେ। ଯାତ୍ରୀମାନେ ପ୍ରବେଶ କରିବା ବେଳେ ପୂର୍ବରୁ ପଞ୍ଜୀକୃତ ତଥ୍ୟ ସହିତ ସେମାନଙ୍କର ବର୍ତ୍ତମାନର ତଥ୍ୟ ଯାଞ୍ଚ କରାଯିବ।

ଯ଼ଦି କୈାଣସି ବ୍ୟକ୍ତି କିମ୍ବା ଗାଡ଼ିର ପୂର୍ବରୁ ପଞ୍ଜୀକରଣ ହୋଇନଥିବ ତେବେ ତତ୍କାଳ ପଞ୍ଜୀକରଣ ମଧ୍ୟ BCPରେ କରାଯାଇ ପାରିବ। ପଞ୍ଜୀକରଣ ପରେ ଗାଡ଼ି ଗୁଡିକୁ ପୂର୍ବରୁ ପ୍ରିଣ୍ଟ ହୋଇଥିବା ପାସ୍‌ ଦିଆଯିବ। ଏଥିରେ ସମସ୍ତ ତଥ୍ୟ ଲିଖିତ ରହିବ। BCPରେ ଯାତ୍ରୀମାନଙ୍କୁ ଷ୍ଟାମ୍ପ ଲଗାଯିବାର ବ୍ୟବସ୍ଥା ହୋଇଛି। ଜିଲ୍ଲା କିମ୍ବା ମ୍ୟୁନିସିପାଲିଟି କର୍ମଚାରୀ ରାଜ୍ୟ ବାହାରୁ ଫେରନ୍ତାଙ୍କ ପାଇଁ ଖାଦ୍ୟ ପୁଡିଆର ବ୍ୟବସ୍ଥା କରିବେ।

Leave a Reply