ଉପମୁଖ୍ୟମନ୍ତ୍ରୀ ଅଫରକୁ ପ୍ରତ୍ୟାଖାନ କରିଥିଲେ ସୋନୁ ସୁଦ

ମୁମ୍ବାଇ: ସୁପରହିଟ ଫିଲ୍ମ ଦବଙ୍ଗର ଚୁଲବୁଲ ପାଣ୍ଡେ ଆଉ ଛେଦି ସିଂକୁ କିଏ ବା ନ ଜାଣେ । ବଲିଉଡର ଏହି ଦୁଇ ଚରିତ୍ରକୁ ବାଦ୍‌ ଦେଇ ଦବଙ୍ଗର ସିକ୍ବେଲ ନିର୍ମାଣ କରିବା ବି ଅସମ୍ଭବ  । ଦର୍ଶକଙ୍କ ହୃଦୟରେ ଛେଦି ସିଂର ଛାପ ଛାଡିଥିବା ସୋନୁ ସୁଦ କିନ୍ତୁ ଏହି ଫିଲ୍ମ ପାଇଁ ନିର୍ମାତାଙ୍କୁ ମନା କରିଦେଇଥିଲେ  । ଏ କଥାର ଖୁଲାସା ଖୋଦ ସୋନୁ କରିଛନ୍ତି  । ଫିଲ୍ମରେ ଛେଦି ସିଂର ଚରିତ୍ର ଶୁଣିବା ପରେ ଅଫର୍‌ ଗ୍ରହଣ କରିବାକୁ ରାଜି ହୋଇଥିଲେ ସୋନୁ ।

ଦବଙ୍ଗ ପାଇଁ ସୋନୁ ପ୍ରଥମେ କାହିଁକି ମାନି ନଥିଲେ ? ବଲିଉଡର ଦବଙ୍ଗ ଭାବେ ଜଣାଶୁଣା ସଲମାନଙ୍କ ସହ ତାଙ୍କର ଇଗୋ କ୍ଲାସ ଥିଲା କି ? ନା ଆଉ କେଉଁ ପରିବର୍ତ୍ତନ ପରେ ରାଜି ହୋଇଥିଲେ ଦବଙ୍ଗ ଭିଲେନ୍‌ ? ଏକ ସାକ୍ଷାତକାରରେ ଦବଙ୍ଗର ଅଜଣା କଥା ସେୟାର କରିଛନ୍ତି ସୋନୁ ।  ସଲମାନଙ୍କ ସହ ସ୍କ୍ରିନ ସେୟାର କରିବା ସୋନୁଙ୍କ ପାଇଁ ମହଙ୍ଗା ପଡିବା ପ୍ରଶ୍ନରେ ସେ କହିଥିଲେ ଯେ ‘ମୋର ଏକ କ୍ରାଏଟେରିଆ ଅଛି୍  । ଯଦିଓ ଫିଲ୍ମରେ ସଲମାନଙ୍କ ୨୧ଟି ସିନ୍‌ ଥିଲା, ମୋର ବି ୧୯ଟି ସିନ୍‌ ରହିଥିଲା  । ତେଣୁ ଏଥିରେ ଇଗୋ କ୍ଲାସର ପ୍ରଶ୍ନ ହି ଉଠୁନି  । ବରଂ ଆମ ଭିତରେ ବନ୍ଧୁତା ନିବିଡ ରହିଛି ’।

କେବଳ ଛେଦି ସିଂ ପାଇଁ ଅଫର୍‌ ସାଇନ କରିଥିଲେ ସୋନୁ  । ଏଥିପାଇଁ ସେ ଚରିତ୍ରକୁ କିଛି ମାତ୍ରାରେ ବଦଳାଇ ବି ଥିଲେ  । ସୋନୁଙ୍କ ପାଖକୁ ଯେତେବେଳେ ସ୍କ୍ରିପ୍ଟ ଆସିଥିଲା ସେଥିରେ ଛେଦି ସିଂର ଚରିତ୍ର ବଦ୍‌ରାଗୀ ଥିଲା  । ଏବେ ମାରିଦେବି, ହାଣିଦେବି ଭଳି ଚରିତ୍ରରେ ଛେଦି ସିଂଙ୍କୁ ଚିତ୍ରଣ କରାଯାଇଥିଲା  । କିନ୍ତୁ ଏଥିରେ କମେଡି ଛୁଙ୍କ ଦେଇଥିଲେ ସୋନୁ  । ଫିଲ୍ମରେ ଛେଦି ସିଂ ଚରିତ୍ର ସହ ଏକ ଫଟୋଗ୍ରାଫରକୁ ସେ ଯୋଡି ଥିଲେ  । ଯିଏ କି ପ୍ରତି ସିନରେ ଛେଦି ସିଂଙ୍କ ସହ ‘ଭୈୟା ଜି ସ୍ମାଇଲ’ କହୁଥିବାର ଦେଖିବାକୁ ମିଳିଥିଲା  । ସେହିଭଳି ଛେଦି ସିଂର କଥା କହିବା ଶୈଳୀରେ ବି ପରିବର୍ତ୍ତନ କରିଥିଲେ ଭର୍ସାଟାଇଲ ଅଭିନେତା ସୋନୁ ସୁଦ  ।

ସେ ଫିଲ୍ମ ହେଉ କି ରାଜନୀତି ବୁଝି ବିଚାରି ନିଷ୍ପତ୍ତି ନିଅନ୍ତି ସୋନୁ  । ଖାସ ସେଥିପାଇଁ ତ ସେ ରାଜନୀତିରୁ ହାତେ ମାପି ଚାଖଣ୍ଡେ ଚାଲୁଛନ୍ତି । ଦୁଇ ଦୁଇ ଥର ସୋନୁଙ୍କୁ ରାଜ୍ୟସଭାରୁ ଅଫର୍‌ ଆସିଲାଣି  । ହେଲେ ଏହାକୁ ସେ ଗ୍ରହଣ କରୁ ନାହାନ୍ତି । ଉପମୁଖ୍ୟମନ୍ତ୍ରୀ ପଦକୁ ବି ସେ ବାଏ୍‌ ବାଏ୍‌ କରିଦେଇଛନ୍ତି  । ସମାଜସେବାରେ ବିଶ୍ବାସ କରୁଥିବା ସୋନୁ ଏଯାଏଁ ରାଜନୀତିରେ ରୁଚି ରଖୁ ନାହାନ୍ତି  । ଏଥିପାଇଁ ରିଅଲ୍‌ ପଲିଟିକ୍ସ କଣ ରିଲ୍‌ରେ ବି ପଲଟିସିଆନ ଚରିତ୍ର କରିବାକୁ ମନା କରିଦିଅନ୍ତି ସୋନୁ  ।

କୋରୋନା ସମୟରୁ ଗରିବଙ୍କ ଭଗବାନ ସାଜିଥିବା ସୋନୁ ନିଜ ଆଦର୍ଶରେ ସମାଜସେବା କରିବାକୁ ଚାହାନ୍ତି  । ଏଥିପାଇଁ କୌଣସି ରାଜନୈତିକ ଦଳର ଆବଶ୍ୟକତା ନାହିଁ ବୋଲି କୁହନ୍ତି ସୋନୁ ସୁଦ  ।