ଅଧରାତିରେ ଆକ୍ଟିଭ ହେଲେ ସୋନୁଙ୍କ ଟିମ୍‌,  ବାଙ୍ଗାଲୁରୁରେ ବଞ୍ଚାଇଲେ ୨୨ ଜୀବନ

1 min read

 ବାଙ୍ଗାଲୁରୁ:  ସରକାର ତ ଲୋକଙ୍କୁ ବଞ୍ଚାଇବା ପାଇଁ ଅନେକ ପ୍ରଚେଷ୍ଟା କରୁଛନ୍ତି । କିନ୍ତୁ ଭାରତରେ ଏଭଳି କିଛି ବ୍ୟକ୍ତି ଅଛନ୍ତି, ଯେଉଁମାନେ ଲୋକଙ୍କ ସମସ୍ୟାରେ ସାହାଯ୍ୟ କରିବା ପାଇଁ ଆଗେଇ ଆସୁଛନ୍ତି । ସେମାନଙ୍କ ମଧ୍ୟରୁ ସୋନୁ ସୁଦ୍‌ ଜଣେ । ୨୦୨୦ରେ ପ୍ରବାସୀ ଶ୍ରମିକଙ୍କୁ ସାହାଯ୍ୟ କରି ସେମାନଙ୍କ ପାଇଁ ସେ କିମ୍ବଦନ୍ତୀ ପାଲଟି ଯାଇଛନ୍ତି ।  ସହର ହେଉ କି ଗାଁ ସବୁଠି ସୋନୁଙ୍କ କମାଲ । ନିକଟରେ ପୁଣି ଚର୍ଚ୍ଚାକୁ ଆସିଛନ୍ତି ସୋନୁ ।

ଦେଶରେ କରୋନାର ଦ୍ୱିତୀୟ ପର୍ଯ୍ୟାୟ ଆତଙ୍କ ସୃଷ୍ଟି କରିଛି । କେଉଁଠି ଅକ୍ସିଜେନ ଅଭାବ ତ କେଉଁଠି ଶଯ୍ୟାର ଅଭାବ । ଚାରିଆଡ଼େ ହାହାକାର ।  ପ୍ରତିଦିନ ହଜାର ହଜାର ଲୋକଙ୍କ ଜୀବନ ନେଉଛି କରୋନା । ଗତ ମଙ୍ଗଳବାର ସୋନୁ ସୁଦଙ୍କ ପାଇଁ ନୂଆ ଜୀବନ ପାଇଛନ୍ତି ୨୨ କରୋନା ସଂକ୍ରମିତ । ତେବେ କ’ଣ ଥିଲା ପୂରା ଘଟଣା ନଜର ପକାନ୍ତୁ ।

ଗତ ମଙ୍ଗଳବାର ଅଧ ରାତିରେ, ହଠାତ୍‌ ବାଙ୍ଗାଲୁରୁର ARAK ହସ୍ପିଟାଲରେ ଅକ୍ସିଜେନର ଅଭାବ ଦେଖାଦିଏ, ଆଉ ହସ୍ପିଟାଲରେ ହଇଚଇ ସୃଷ୍ଟି ହୁଏ । ଏପଟେ ହସ୍ପିଟାଲ ଶଯ୍ୟାରେ କରୋନା ରୋଗୀ ଆଉ ସେପଟେ ଅକ୍ସିଜେନ ନାହିଁ । ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ମୁଣ୍ଡ ଘୁରେଇଦେଲା । କ’ଣ କରିବେ କିଛି ବୁଝି ପାରିଲେନି । କେବଳ ସାହାଯ୍ୟ ପାଇଁ ଅନୁରୋଧ କରିବା ବ୍ୟତୀତ ସେମାନଙ୍କ ନିକଟରେ ଅନ୍ୟ କିଛି ରାସ୍ତା ନଥିଲା । ହସ୍ପିଟାଲର ଅନୁରୋଧ କ୍ରମେ ଆଗକୁ ଆସିଲେ ସୋନୁ  ।

ରିପୋର୍ଟ ଅନୁସାରେ,  ହଠାତ୍‌ ମଙ୍ଗଳବାର ଅଧ ରାତିରେ ସୋନୁ ସୁଦଙ୍କ ଚ୍ୟାରିଟି ଫାଉଣ୍ଡେସନର ଜଣେ ସଦସ୍ୟଙ୍କୁ  ୟେଲାହଙ୍କା ଅଞ୍ଚଳର ଇନ୍ସପେକ୍ଟର ଏମ.ଆର.ସତ୍ୟନାରାୟଣ ଫୋନ୍‌ କରି ARAK ହସ୍ପିଟାଲର ସ୍ଥିତି ଗମ୍ଭୀର ଥିବା ଜଣାଇଲେ । ଆଉ ସାହାଯ୍ୟ  କରିବା ପାଇଁ କହିଲେ । ସେତେବେଳେକୁ ଅକ୍ସିଜେନ ଅଭାବରୁ ଦୁଇ କରୋନା ସଂକ୍ରମିତଙ୍କ ଜୀବନ ଚାଲି ଯାଇଥାଏ । ଘଟଣା ବିଷୟରେ ଜାଣିବା ପରେ ସୋନୁଙ୍କ ଟିମ୍‌ ଅଧରାତିରେ ଲାଗିପଡ଼ିଲେ ସିଲିଣ୍ଡର ଯୋଗାଡ଼ କରିବା ପାଇଁ । କିଛି ଘଣ୍ଟା ପରିଶ୍ରମ ପରେ ୧୫ଟି ଅକ୍ସିଜେନ ସିଲିଣ୍ଡର ହସ୍ପିଟାଲରେ ପହଞ୍ଚାଇଲେ । ଯେଉଁଥିପାଇଁ ୨୨ ଲୋକଙ୍କ ଜୀବନ ବଞ୍ଚି ପାରିଲା ।

ତେବେ ଏହା କେବଳ ଏକ ଟିମ୍‌ ଓ୍ୱର୍କ ପାଇଁ ସମ୍ଭବ ହୋଇପାରିଥିବା କହିଛନ୍ତି ସୋନୁ  । ଏହା ସହିତ ସେ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହା ସହିତ ମୁଁ ମୋ ଟିମ୍‌ ପାଇଁ ଖୁବ୍‌ ଗର୍ବିତ ବୋଲି କହିଛନ୍ତି ସୋନୁ ସୁଦ୍‌ ।

Leave a Reply