ରାଜା ରଘୁବଂଶୀ ହତ୍ୟା ପାଇଁ ସୋନମର ପ୍ଲାନ୍ ବି’ କ’ଣ ଥିଲା ?

ନୂଆଦିଲ୍ଲୀ: ଇନ୍ଦୋରର ସୋନମ ରଘୁବଂଶୀ ଷଡ଼ଯନ୍ତ୍ରର ସୁତ୍ର ଏବେ ଧୀରେ ଧୀରେ ପ୍ରକାଶ ପାଇବାରେ ଲାଗିଛି । ପୋଲିସ କହିଛି ସୋନମ ତାଙ୍କ ବିବାହର ମାତ୍ର ୫ ଦିନ ପରେ ରାଜାଙ୍କୁ ହତ୍ୟା କରିବା ପାଇଁ ଯୋଜନା ପ୍ରସ୍ତୁତ କରିଥିଲେ । ସେ ହତ୍ୟାକାରୀଙ୍କୁ ୧୫ ହଜାର ଟଙ୍କା ନଗଦ ମଧ୍ୟ ଦେଇଥିଲେ । ଏବଂ ପରେ ୨୦ ଲକ୍ଷ ଟଙ୍କା ଦେବାକୁ ପ୍ରତିଶ୍ରୁତି ଦେଇଥିଲେ । କେବଳ ଏତିକି ନୁହେଁ ସେ ନିଜ ଆଖିରେ ରାଜାଙ୍କୁ ହତ୍ୟା କରାଯାଉଥିବାର ଦେଖିଥିଲେ । ଏବେ କିନ୍ତୁ ଆଉ ଏକ କଥା ସମ୍ନାକୁ ଆସିଛି । ଗୋଟିଏ ପ୍ଲାନ ଯଦି କାମ ନ କରେ ତାହାଲେ ପ୍ଲାନ୍ ବି ମଧ୍ୟ ସୋନମ ପ୍ରସ୍ତୁତ କରିଥିଲେ ।
ପୋଲିସର କହିବା ଅନୁସାରେ, ସୋନମ ରାଜା ରଘୁବଂଶୀଙ୍କୁ ହତ୍ୟା କରିବା ପାଇଁ ଦୁଇଟି ଯୋଜନା ପ୍ରସ୍ତୁତ କରିଥିଲେ । ପ୍ରଥମ ଯୋଜନା ଥିଲା ହତ୍ୟାକାରୀମାନଙ୍କ ଦ୍ବାରା ତାଙ୍କୁ ହତ୍ୟା କରିବା । ଏବଂ ସେହି ସମୟରେ ଯଦି ହତ୍ୟା କରିବାରେ ବିଫଳ ହୁଅନ୍ତି ତାହାଲେ ସୋନମ ନିଜେ ହତ୍ୟା କରିବେ । ସେଲଫି ନେବା ବାହାନାରେ ତାଙ୍କୁ ପର୍ବତ ଉପରକୁ ନେଇଯିବେ ଏବଂ ସୁଯୋଗ ପାଇଲେ ତଳକୁ ଠେଲିଦେବେ । ପ୍ଲାନ ଥିଲା ଯେ, ଯାହା ବି ହେଇଯାଉ ତାଙ୍କୁ ମାରିବେ ହିଁ ମାରିବେ । ଜୁନ ୨ ତାରିଖରେ ରାଜାଙ୍କର ମୃତଦେହ ଏକ ଖାତରୁ ମିଳିଥିଲା । ତାଙ୍କୁ ୨୩ ମେ’ରେ ହତ୍ୟା କରାଯାଇଥିବା ଅନୁମାନ କରାଯାଉଛି ।
ପୋଲିସ ତଦନ୍ତରୁ ଜଣାପଡ଼ିଛି ଯେ, ରାଜାଙ୍କୁ ହତ୍ୟା କରିବା ପରେ ସୋନମ ଆତ୍ମସମର୍ପଣ କରିବା ପୂର୍ବରୁ ଗୁପ୍ତ ଭାବେ ଇନ୍ଦୋରରେ ରହୁଥିଲେ । ସେଠାରେ ତାଙ୍କ ପ୍ରେମିକ ରାଜ ଏକ ଭଡ଼ା ଘରେ ରହୁଥିଲେ । କିନ୍ତୁ ଯେତେବେଳେ ମେଘାଳୟ ପୋଲିସ ମଧ୍ୟପ୍ରଦେଶ ଏବଂ ୟୁପିର ୩ ଜଣ କଣ୍ଟ୍ରାକ୍ଟ କିଲରଙ୍କୁ ଗିରଫ କଲା ସୋନମ ସେତେବେଳେ ଗାଜିପୁରରେ ପହଞ୍ଚି ଆତ୍ମସମର୍ପଣ କରିଥିଲେ ।
ରାଜଙ୍କ ବିଷୟରେ ମେଘାଳୟ ପୋଲିସ କହିଛି ଯେ, ସେ ଏହିଷଡ଼ଯନ୍ତ୍ରରେ ସୋନମଙ୍କୁ ସମର୍ଥନ କରିବାକୁ ଚାହୁଁ ନଥିଲେ । ଶେଷ ମୁହୂର୍ତ୍ତରେ ମେଘାଳୟ ଯିବାର ଯୋଜନା ବାତିଲ କରିଥିଲେ । ୩ ସାଥିଙ୍କୁ ମଧ୍ୟ ଜିବାକୁ ମନା କରିଥିଲେ । କିନ୍ତୁ ସୋନମ ଟିକେଟ ବୁକ କରିଥିଲେ ଏବଂ ସେମାନେ ମେଘାଳୟ ଯାଇଥିଲେ । ଶିଲଂରେ ମଧ୍ୟ ୩ ଜଣଙ୍କୁ ହତ୍ୟା କରିବାକୁ ମନା କରିଥିଲେ । କିନ୍ତୁ ସୋନମ ଜିଦ ଧରିଥିଲେ । ଏଥିପାଇଁ ସେ ୨୦ ଲକ୍ଷ ଦେବେ ବୋଲି କହିଥିଲେ ।