ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କ ଉପରେ ବର୍ଷିଲା କଂଗ୍ରେସ

ନନ୍ଦିଘୋଷ ବ୍ୟୁରୋ: ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କ ଉପରେ ବର୍ଷିଛି କଂଗ୍ରେସ । ସମ୍ବିଧାନକୁ ନେଇ ଦେଇଥିବା ବୟାନ ଉପରେ ବର୍ଷିଛନ୍ତି ଦଳୀୟ ମୁଖପାତ୍ର ସୋନାଲି ସାହୁ । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଯେଉଁ କଥା କହିଛନ୍ତି ତାହା ତାଙ୍କ ଛୋଟ ମନର ପରିଚୟ ଦେଉଛି । ତାଙ୍କ କଥାରୁ ସ୍ପଷ୍ଟ ବାରି ହେଉଛି ଯେ ତାଙ୍କର ଓଡ଼ିଶାବାସୀଙ୍କ ପ୍ରତି ଭଲପାଇବା ନଥିଲା । ସମ୍ବିଧାନର ହତ୍ୟାକାରୀ ସମ୍ବିଧାନ ବିଷୟରେ କହିବା ଲଙ୍କାରେ ହରି ନାମ ଭଳି । ଭାରତବାସୀ ସମ୍ବିଧାନକୁ ବୁଝିଛନ୍ତି ବୋଲି ୪୦୦ ପାର ନାରାକୁ ୨୪୦ରେ ରଖିଦେଲେ । ସମ୍ବିଧାନ କଥା କହୁଥିବ ଲୋକ ମଣିପୁର ବେଳେ କୁଆଡେ ଗଲେ ? କୃଷକ ଆନ୍ଦୋଳନ କରି ମରିଗଲେ ? ସେବେ କୁଆଡେ ଯାଇଥିଲେ ସମ୍ବିଧାନ ରକ୍ଷକ ବୋଲି ପ୍ରଶ୍ନ କରିଛନ୍ତି ସୋନାଲି ।

ଓଡ଼ିଶାରେ ରାଜ୍ୟପାଳଙ୍କ ପୁଅ ଜଣେ ଓଡିଆ ଅଧିକାରୀଙ୍କୁ ଆକ୍ରମଣ କରି ଆହତ କଲେ । କୁଆଡେ ଯାଇଥିଲେ ସମ୍ବିଧାନ ରକ୍ଷାକାରୀ ଜେ ପି ନଡ୍ଡା ? କଣ ପାଇଁ ଗୋଟିଏ ପଦ କହିଲେନି? ବିଜେପି ମୁହଁରେ ସମ୍ବିଧାନ କଥା ଶୋଭାପାଉନି । ଯିଏ ବିଜେପି ବିରୋଧରେ କହିଲେ କି ଲେଖିଲେ ସେମାନଙ୍କୁ ଜେଲ ପଠାଇଲେ । ସେବେ କୁଆଡେ ଗଲେ ସମ୍ବିଧାନ ରକ୍ଷକ ? ବିଜେପି ଲୋକଙ୍କୁ ଅର୍ବାନ ନକ୍ସଲ ସଜାଇଲା । ଆଉ ଏମାନେ ଛାଟି ପିଟି ସମ୍ବିଧାନ ଉପରେ ମତ ରଖୁଛନ୍ତି । ସୁପ୍ରିମକୋର୍ଟ ଇଲେକ୍ଟ୍ରୋରାଲ ବଣ୍ଡର ପର୍ଦ୍ଦାଫାସ କରିଦେଲା । ମିଡିଆ ସ୍ଵାଧୀନତାକୁ ଛଡ଼ାଇ ନେଇଛି ଏ ସରକାର । ଯେଉଁ ମିଡିଆ କିମ୍ବା ଲୋକ ବିଜେପି ବିରୋଧରେ ଯାଇଛି ସେମାନଙ୍କ ଅବସ୍ଥାକୁ ସମସ୍ତେ ଦେଖିଛନ୍ତି । ସମ୍ବିଧାନକୁ ବୁଝିଥିବା ଲୋକ କେବେ ବି କଂଗ୍ରେସ ମୁକ୍ତ କି ବିରୋଧୀ ଦଳ ମୁକ୍ତ ନାରା ଦେବେନାହି ।

ବିଜେପି ନେତା ମାନେ ସମ୍ବିଧାନ ଢାଞ୍ଚା ପରିବର୍ତ୍ତନ ପାଇଁ ସୋସିଆଲ ମିଡିଆରେ ନାରା ଦେଉଥିଲେ । ସେବେ ନଡ୍ଡାଙ୍କୁ ଏହା ଦେଖାଗଲା ନାହି ? ସମ୍ବିଧାନର ଦ୍ୱାହି ଦେଇ ନିଜେ ଖସିଯିବାକୁ ଯେଉଁ ଚେଷ୍ଟା ଚଳାଉଛନ୍ତି ତାକୁ ଦେଶବାସୀ ଜାଣିସାରିଛନ୍ତି ।  ଦଶ ବର୍ଷ ହେଲାଣି ଲୋକସଭାରେ ଡେପୁଟି ସ୍ପିକର ନାହାନ୍ତି । ଏହା ସମ୍ବିଧାନର ଉଲ୍ଲଂଘନ।  ଏନେଇ ଜବାବ ମାଗିଛନ୍ତି ସୋନାଲି । ବିଜେପି ସରକାର ଆଦିବାସୀଙ୍କ ଖଣିକୁ ଆଦାନୀଙ୍କୁ ଟେକି ଦେଇଛି । ସେବେ ନଡ୍ଡାଙ୍କ ସମ୍ବିଧାନ କୁଆଡେ ଥିଲା ? ଗତ ଦେଢ଼ ମାସ ଧରି ଓଡ଼ିଶାରେ ଏଜି ପଦବୀ ଫାଙ୍କା ଥିଲା ।

ଏହା ସମ୍ବିଧାନର ଉଲ୍ଲଂଘନ ନୁହେଁ କି? ଏକ ଦେଶ ଓ ଏକ ନିର୍ବାଚନ କରିବା ପରିକଳ୍ପନା ସମ୍ବିଧାନ ଉପରେ ପ୍ରଭାବ ପକାଉଛି। ବିଜେପି ମୁହଁରେ ସମ୍ବିଧାନ କଥା ଶୋଭା ପାଏନା । ଏମାନେ ସମ୍ବିଧାନ ତିଆରି ହେବା ବେଳେ ନଥିଲେ କି କୌଣସି ଯୋଗଦାନ ନଥିଲା । ବିଜେପି ଆରଏସଏସ ଏଜେଣ୍ଡାରୁ ବାହାରିପାରୁନି । ଆରଏସଏସ ସମ୍ବିଧାନ ବିରୋଧୀ, ଆରଏସଏସ ଓ ବିଜେପି ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ବ,। ବିଜେପି ଦୟାକରି କଂଗ୍ରେସକୁ ସମ୍ବିଧାନ ପାଠ ନ ପଢାଉ । କାହିଁକି ୩୦୦ ୟୁନିଟ ମାଗଣା ବିଜୁଳି ଦେଉନାହାନ୍ତି ? କାହିଁକି ସୁଭଦ୍ରା ଯୋଜନାରେ ୫୦ ହଜାର ଦେଲେନି ? କାହିଁକି ୩୧୦୦ ଟଙ୍କା ଏମଏସପି ଦେଲେନି ? କାହିଁକି ନିଯୁକ୍ତି ଦିଆଯାଉନାହିଁ ? ଏ ସବୁ ପ୍ରଶ୍ନ ଲୋକ ପଚାରିଦେବେ ବୋଲି ସମ୍ବିଧାନ ନାଁ ନେଇ ଲୁଚିବାକୁ ବିଜେପି ଚେଷ୍ଟା କରୁଛି ବୋଲି କଟାକ୍ଷ କରିଛନ୍ତି ସୋନାଲି ।