ସାମନାକୁ ଆସିଲା ସୋନାକ୍ଷୀ ଇକବାଲଙ୍କ ବିବାହ ତାରିଖ
ନନ୍ଦିଘୋଷ ବ୍ୟୁରୋ: ଖୁବଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବେ ସୋନାକ୍ଷୀ ସିହ୍ନା ଓ ଜାହିର ଇକବାଲ । ଦୀର୍ଘ ଦିନରୁ ପରସ୍ପରକୁ ଡେଟ୍ କରିବା ପରେ ଦୁହେଁ ଚଳିତ ମାସରେ ବିବାହ କରିବେ । ସୋନାକ୍ଷୀଙ୍କ ବାପା ଶତ୍ରୁଘ୍ନ ସିହ୍ନା ଶେଷରେ ବିବାହ ପାଇଁ ସହମତି ପ୍ରକାଶ କରିଛନ୍ତି ।
ଜୁନ ୨୩ରେ ଦୁଇ ପରିବାରଙ୍କ ଉପସ୍ଥିତିରେ ଉଭୟ ବିବାହ କରିବେ । ବଲିଉଡରେ ଚାଲିଥିବା ଡେଷ୍ଟିନେସନ ବିବାହକୁ ଛାଡି ଦୁହେଁ ମୁମ୍ବାଇରେ ବିବାହ କରିବାକୁ ନିଷ୍ପତ୍ତି ନେଇଛନ୍ତି । ପରିବାର ସହ କିଛି ସମ୍ପର୍କୀୟଙ୍କ ଉପସ୍ଥିତିରେ ବିବାହ ଆୟୋଜନ ହେବ । ବିବାହ ପରେ ଦମ୍ପତି ମୁମ୍ବାଇରେ ନିଜ ସମ୍ପର୍କୀୟଙ୍କ ପାଇଁ ରିସେପସନ ପାର୍ଟିର ଆୟୋଜନ କରିବେ ।
ହେଲେ ସୋନାକ୍ଷୀ, ଜାହିର କି ତାଙ୍କ ପରିବାର ପକ୍ଷରୁ ଏନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ଗତ ୪ ରୁ ୫ ବର୍ଷ ଧରି ଉଭୟ ଡେଟ୍ କରୁଥିଲେ । ଦୁହିଁଙ୍କୁ ଏକାଠି ବଲିଉଡ ପାର୍ଟିରେ ଦେଖିବାକୁ ମିଳୁଥିବାବେଳେ ନିଜ ରିଲେସନସିପ୍ ବିଷୟରେ ମିଡିଆ ସାମନାରେ କେବେ ମୁହଁ ଖୋଲି ନଥିଲେ । ବରଂ ଉଭୟ ପରସ୍ପରକୁ ଭଲ ବନ୍ଧୁ ବୋଲି ଦର୍ଶାଉଥିଲେ । ସେପଟେ ଉଭୟଙ୍କ ବିବାହକୁ ନେଇ ଶତ୍ରୁଘ୍ନ ରାଜି ନଥିବା ଖବର ସାମନାକୁ ଆସିଥିଲା ।
ସଲମାନଙ୍କ ଖାନଙ୍କ ନୋଟବୁକ ଜରିଆରେ ବଲିଉଡରେ ଡେବ୍ୟୁ କରିଥିଲେ ଜାହିର । ସେପଟେ ଦବଙ୍ଗ ଜରିଆରେ ସୋନାଙ୍କୁ ଲଞ୍ଚ୍ କରିଥିଲେ ସଲମାନ । କୁହାଯାଉଛି ଜାହିର ଓ ସୋନାକ୍ଷୀଙ୍କୁ ମିଶାଇବାରେ ସଲମାନଙ୍କ ଯୋଗଦାନ ରହିଛି ।