ଉତ୍ତରପ୍ରଦେଶର ଗୋରଖପୁରରୁ ଆସିଛି ଏକ ହୃଦୟ ବିଦାରକ ଘଟଣା । କଳିଯୁଗର ଜଣେ ପୁଅ ନିଜ ମା’ଙ୍କ ଶବ ନେବାକୁ ମନା କରିଦେଇଛନ୍ତି । ମା’ଙ୍କ ମୃତ୍ୟୁ ପରେ ତାଙ୍କର ଶବକୁ ଘରକୁ ଆଣିବାକୁ ବଡ଼ ପୁଅ ମନା କରିଦେଇଛନ୍ତି । କାରଣ ଘରେ ତାଙ୍କର ଝିଅର ବାହାଘର ଥିଲା । ମୃତଦେହକୁ ଘରକୁ ଆଣିଲେ ତାହା ଅଶୁଭ ସଙ୍କେତ ହେବ । ଝିଅର ବାହାଘରର ୪ ଦିନ ପରେ ଅନ୍ତିମ ସଂସ୍କାର କରିଦେବେ । ଏବେ ଶବକୁ ୪ ଦିନ ପାଇଁ ଫ୍ରିଜରରେ ରଖିଦିଅ ବୋଲି ପୁଅ କହିଥିଲେ । ତେବେ ମହିଳାଙ୍କ ପତି ନିଜ ପତ୍ନୀଙ୍କ ଶବକୁ ଗାଁକୁ ଯାଇ ସଂସ୍କାର କରିଦେଇଥିଲେ ।
ସୂଚନା ମୁତାବକ, ଗୋରଖପୁରର ବାସିନ୍ଦା ଭୁଆଲ ଗୁପ୍ତାଙ୍କ ପରିବାରରେ ତାଙ୍କ ପତ୍ନୀ ଶୋଭା ଦେବୀ, ୩ଟି ଝିଅ ଓ ୩ଟି ପୁଅ ଅଛନ୍ତି । ଶୋଭା ଓ ଭୁଆଲ ନିଜର ସବୁ ସନ୍ତାନଙ୍କ ବିବାହ କରିସାରିଛନ୍ତି । କିଛି ବର୍ଷ ମଧ୍ୟରେ ସେମାନଙ୍କର ନାତି-ନାତୁଣୀ ହେବା ସହ ଦୁହେଁ ଅଜା-ଆଈ ହୋଇଥିଲେ । ମାତ୍ର ୧ ବର୍ଷ ପୂବର୍ରୁ ଭୁଆଲ ଓ ଶୋଭାଙ୍କୁ ତାଙ୍କର ବଡ଼ପୁଅ ’ବୋଝ’ ବୋଲି କହିବା ସହ ଘରୁ ବାହାର କରିଦେଇଥିଲେ । ପୁଅର କଥାକୁ ସହ୍ୟ କରିନପାରି ବୃଦ୍ଧ ଦମ୍ପତ୍ତି ଘରୁ ବାହାରି ଯାଇଥିଲେ । ଏହାପରେ ସେମାନେ ଜୀବନ ହାରିବାକୁ ଯାଉଥିବା ବେଳେ ସେମାନଙ୍କୁ ଜଣେ ଯୁବକ ଅଟକାଇଥିଲେ । ଏହାପରେ ସେମାନେ ମଥୁରା ଯାଇଥିଲେ । ମାତ୍ର ସେଠାରେ ଖାଇବା, ରହିବାରେ ଅସୁବିଧା ହୋଇଥିଲା । ଏହାପରେ ସେମାନେ ଜୌନପୁରର ଏକ ବୃଦ୍ଧାଶ୍ରମର ଫୋନ ନମ୍ବର ପାଇ ଯୋଗାଯୋଗ କରିଥିଲେ । ଏହାପରେ ଦମ୍ପତ୍ତି ବୃଦ୍ଧାଶ୍ରମରେ ରହିଥିଲେ । ତେବେ ନିକଟରେ ଏକ ଦୁର୍ଘଟଣା ପରେ ଚିକିତ୍ସିତ ଅବସ୍ଥାରେ ଶୋଭାଙ୍କର ମୃତ୍ୟୁ ଘଟିଥିଲା । ପତ୍ନୀଙ୍କ ମୃତ୍ୟୁ ପରେ ପତି ଭୁଆଲ ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ପଡ଼ିଥିଲେ ।
ଏହାପରେ ବୃଦ୍ଧାଶ୍ରମର ମୁଖ୍ୟ ଭୁଆଲଙ୍କ ସାନ ପୁଅକୁ ଫୋନ କରି ମା’ଙ୍କ ବିୟୋଗ ବାବଦରେ କହିଥିଲେ । ଏହାପରେ ସାନ ପୁଅ ଫୋନ କରି କହିଥିଲେ, ବଡ଼ ଭାଇ କହିଛନ୍ତି ମା’ଙ୍କ ଶବକୁ ୪ ଦିନ ପାଇଁ ଫ୍ରିଜରରେ ରଖିଦିଅ । ଘରେ ଝିଅର ବିବାହ ସରିବା ପରେ ଅନ୍ତିମ ସଂସ୍କାର କରିବେ । ଏହା ଶୁଣି ଭୁଆଲଙ୍କ ପାଦ ତଳ ମାଟି ଖସିଯାଇଥିଲା । କ୍ରୋଧର ବଶବର୍ତ୍ତୀ ହୋଇ ସେ ପତ୍ନୀଙ୍କ ଶବକୁ ଜୌନପୁରରେ ଅନ୍ତିମ ସଂସ୍କାର କରାଇବାକୁ ଯାଇଥିଲେ । ଏହାପରେ ଦୁଇଝିଅ ଫୋନ କରି କହିଥିଲେ, ମା’ଙ୍କ ଶବକୁ ଗୋରଖପୁରରେ ଅନ୍ତିମ ସଂସ୍କାର କରିବେ । ମାତ୍ର ଭୁଆଲ ପତ୍ନୀଙ୍କ ଶବକୁ ନେଇ ଗୋରଖପୁରରେ ପହଞ୍ଚିବା ପରେ ବଡ଼ ପୁଅ ଶବକୁ ଘରେ ପୂରାଇବାକୁ ମନା କରିଦେଇଥିଲା । କହିଥିଲେ ଘରେ ବିବାହ ଅଛି । ଏହାପରେ ଭୁଆଲ ପତ୍ନୀଙ୍କ ଶବକୁ ଜବରଦସ୍ତି କ୍ୟାମ୍ପିୟରଗଞ୍ଜ ଘାଟ ନିକଟରେ ମାଟିରେ ପୋତି ଦେଇଥିଲେ । ଭୁଆଲ କହିଥିଲେ, ସେ ପତ୍ନୀଙ୍କ ଅନ୍ତିମ ସଂସ୍କାର କରି ପାରିଲେନି । ୪ ଦିନ ପରେ ଶବରେ କୀଡ଼ା ଲାଗିଯିବେ । ଶବକୁ ମାଟିରେ ପୋତିବା ପରେ ତାକୁ ବାହାର କରି ଅନ୍ତିମ ସଂସ୍କାର କରିହେବନି ବୋଲି ପଣ୍ଡିତ କହିଥିଲେ ।

