ବାପାଙ୍କୁ ଲୁହରେ ଶ୍ରଦ୍ଧାଞ୍ଜଳି ଦେଲେ ପୁୁଅ-ଝିଅ

1 min read

ଝାରସୁଗୁଡ଼ା: ବାପାଙ୍କ ସ୍ମୃତିସଭାରେ ସନ୍ତାନଙ୍କ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି । ଲୁହଭରା ଆଖିରେ ବାପାଙ୍କ ସ୍ମୃତିକୁ ମନେ ପକାଉଛନ୍ତି  । ଯେଉଁ କାନ୍ଧରେ ବସି ଦିନେ ବଡ ହୋଇଥିଲେ, ଯେଉଁ ହାତ ଧରି ଦିନେ ଚାଲି ଶିଖିଥିଲେ  । ସେଇ ଶ୍ରେଷ୍ଠ ସମ୍ପତ୍ତି ବାପା ଆଜି ତାଙ୍କ ପାଖରେ ନାହାଁନ୍ତି  । ବାପାଙ୍କୁ ଅସଂଖ୍ୟ ଜନତା ଝୁରୁଥିବା ବେଳେ ଆହୁରି ଭାବବିହ୍ୱଳ କରିଦେଉଛି ସାଧାରଣ ଲୋକଙ୍କ ଭଲ ପାଇବା  । ଝାରସୁଗୁଡ଼ା ସରବାହାଲରେ ଆୟୋଜିତ ହୋଇଛି ନବ ଦାସଙ୍କ ସ୍ମୃତିସଭା  ।   ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ । ଆଉ ଏହି ସଭାରେ ପୁଅ ବିଶାଲ ଏବଂ ଝିଅ ଦୀପାଳି ମଧ୍ୟ ବାପାଙ୍କୁ ମନେ ପକାଇଥିଲେ  ।

ବାପା ଚାଲିଗଲା ପରେ ସବୁକିଛି ଅନ୍ଧାର ଦିଶୁଥିଲା । ମାତ୍ର ଆଜି ଏତେ ସଂଖ୍ୟକ ଶୁଭେଚ୍ଛୁଙ୍କୁ ପାଇ ଆମ ଆଗରୁ ଅନ୍ଧାର ଦୂରୀଭୂତ ହୋଇଗଲା ବୋଲି କହିଛନ୍ତି ବିଶାଳ । ଦ୍ୱାଦଶାହ ଅବସରରେ ଆୟୋଜିତ ସ୍ମୃତିସଭାରେ ଯୋଗଦେଇ ସ୍ୱର୍ଗତ ନବକିଶୋର ଦାସଙ୍କ ପୁଅ ବିଶାଳ କହିଛନ୍ତି- ବାପା ଯେପରି ଆପଣମାନଙ୍କ ସହ ରହିଥିଲେ ଆମ ପରିବାର ବି ଆପଣମାନଙ୍କ ସହ ରହିବ । ଆମ୍ଭମାନଙ୍କୁ ଆପଣମାନେ ଛାଡିବେନି, ଆମ୍ଭେ ବି ଆପଣମାନଙ୍କୁ ଛାଡିବୁନି । ନବ କିଶୋର ଦାସ ଏକ ବିଚାରଧାରା,ନବ କିଶୋର ଏକ ବିଶାଳ ପରିବାର ବୋଲି କହିଛନ୍ତି ବିଶାଳ ।

ସେହିପରି ଛଳଛଳ ଆଖିରେ ସ୍ମୃତି ସଭାରେ ବାପାଙ୍କ ଉଦ୍ଦେଶ୍ୟରେ କହିଥିଲେ ଝିଅ ଦୀପାଳି  ।  ଏଇଠି କୃଷ୍ଣ ଏଇଠି କଂସ,ଏଇଠି ରାମ ପୁଣି ଏଇଠି ଅଛନ୍ତି ରାବଣ । ସତ୍ୟରେ ସଂସାର ଚାଲିଛି । ସତ୍ୟରେ ଥିଲେ ତୁମର ବିଜୟ ହେବ । ଏକ ସଭାରେ ମୃତ୍ୟୁର କିଛି ଘଣ୍ଟା ପୂର୍ବରୁ ବାପାଙ୍କ ଏହି କଥାକୁ ଦୋହରାଇଛନ୍ତି ଝିଅ ଦୀପାଳି । ସ୍ବର୍ଗତ ନବ କିଶୋର ଦାସଙ୍କ ଦ୍ବାଦଶାହରେ ଲୁହରେ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି କନ୍ୟା ଦୀପାଳି ଦାସ। ଝାରସୁଗୁଡାରେ ଆୟୋଜିତ ସମାବେଶରେ ଉପସ୍ଥିତ ସହସ୍ରାଧିକ ଶୋକସନ୍ତପ୍ତ ଜନତାଙ୍କ ସମ୍ମୁଖରେ ଲୁହ ଛଳଛଳ ଆଖିରେ ବାପା ତଥା ଜନନେତା ନବକିଶୋରଙ୍କ ସ୍ମୃତି ସାଉଁଟିଛନ୍ତି ଦୀପାଳି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ଝାରସୁଗୁଡ଼ାର ସାମଗ୍ରିକ ବିକାଶ ଥିଲା ବାପାଙ୍କ ସ୍ବପ୍ନ ।

ଝାରସୁଗୁଡାର ବିକାଶ, ସାଧାରଣ ଜନତାଙ୍କ ବିକାଶ, ମା’ମାନଙ୍କର ଆଖିରେ ଲୁହ ବଦଳରେ ମୁହଁରେ ହସଦେଖିବାକୁ ଚାହୁଁଥିଲେ ନବ ଦାସ । ରାସ୍ତାଘାଟଠାରୁ ଆରମ୍ଭ କରି କମ୍ୟୁନିଟି ସେଣ୍ଟର, ବସଷ୍ଟାଣ୍ଡ, କ୍ୟାନସର ହସ୍ପିଟାଲ, ହାର୍ଟ ହସ୍ପିଟାଲ…ସବୁକିଛିର ବିକାଶ ଲାଗି ସେ ସର୍ବଦା ଚେଷ୍ଟିତ ଥିଲେ । ସାରା ଝାରସୁଗୁଡାରେ ନବ କିଶୋର ଦାସଙ୍କୁ ସମସ୍ତେ ନବ ଦା’ ବୋଲି ସମ୍ବୋଧନ କରୁଥିଲେ । ସେ ଆଜି ନଥିଲେ ବି ଉପରୁ ସମସ୍ତଙ୍କୁ ଦେଖୁଛନ୍ତି ବୋଲି କହିଛନ୍ତି ଦୀପାଳି । ଆତ୍ମା କେବେ ମରେନାହିଁ । ପାଣି ଓ ନିଆଁରେ ଆତ୍ମା ନଷ୍ଟ ହୁଏନି । ତେଣୁ ନବ କିଶୋର ଦାସ ସବୁବେଳେ ଥିଲେ ଅଛନ୍ତି ଓ ରହିବେ ବୋଲି ଲୁହ ଛଳ ଛଳ ଆଖିରେ କହିଛନ୍ତି ଝିଅ ଦୀପାଳି ।