ପୁଅ ସାଜିଲା ବଇରୀ, ଧାରୁଆ ଅସ୍ତ୍ରରେ ମା’କୁ ହତ୍ୟା କଲା ପୁଅ

କଟକ: କଟକ ମହାନଦୀବିହାରରେ ଚାଞ୍ଚଲ୍ୟ। ମା’କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ହତ୍ୟା କଲା ପୁଅ। ଚାଉଳିଆଗଞ୍ଜ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି। ହତ୍ୟାକାଣ୍ଡର ଶିକାର ହୋଇଥିବା ମହିଳାଙ୍କ ଦୁଇ ପୁଅ ଅନୁରାଗ ମହାନ୍ତି ଓ ଅଂଶୁମାନ ମହାନ୍ତିଙ୍କ ମଧ୍ୟରୁ ଜଣଙ୍କୁ ପୋଲିସ ଅଟକ ରଖିଛି। ଦୁଇ ପୁଅ ମାନସିକ ସ୍ତରରେ ଅସୁସ୍ଥ ଥିବା ସନ୍ଦେହ କରାଯାଉଛି। ସ୍ଥାନୀୟ ଲୋକେ ଓ କର୍ପୋରେଟଙ୍କ ସୂଚନା ମୁତାବକ 714 ନମ୍ବର ପ୍ଲଟରେ ଅନିମା ମହାନ୍ତି ଆଜିକୁ ଦୀର୍ଘ ବର୍ଷ ହେବ ରହୁଥିଲେ। ଦୁଇ ପୁଅଙ୍କ ଚାଲିଚଳଣି ଠିକ ରହୁନଥିବାରୁ ଅନିମା ଅଧିକାଂଶ ସମୟ ସମ୍ପର୍କୀୟଙ୍କ ଘରରେ ରହୁଥିଲେ। ଗତ କିଛି ଦିନ ତଳେ ସେ ଆସିଥିଲେ। ଆସିବା ଦିନ ଠାରୁ ମା’ଙ୍କ ସହିତ ଦୁଇ ପୁଅଙ୍କ ପାଟି ତୁଣ୍ଡ ହୋଇଥିଲା। ଗତ କାଲି ମା’କୁ ଅଟୋରେ ବସାଇ ଦୁଇ ପୁଅ କେଉଁଆଡେ ନେଇଥିଲେ ଓ କିଛି ସମୟ ପରେ ଫେରିଥିଲେ। ଆଜି ସକାଳୁ ଏପରି ଘଟଣା ଘଟିଥିବା ଜଣାପଡିଛି।