୭୫ ବର୍ଷ ପରେ ମା’କୁ ଖୋଜି ପାଇଲା ପୁଅ

ନୂଆଦିଲ୍ଲୀ: ହଜିଲା ଜିନିଷ ଯେତେବେଳେ ମିଳିଯାଏ, ଖୁସିକୁ ଅଟକାଇ ହୁଏନି । ଆଉ ଯେତେବେଳେ କଥା ହଜିଗଲା ମଣିଷର ଉଠେ, ସେତେବେଳେ ଆଖିରେ ଥିବା ଅମାନିଆ ଲୁହ ସବୁ ଝରିଯାଏ ।  ସେହିଭଳି ଏକ ଘଟଣା ଘଟିଛି ଜଣେ ପୁଅ ସହିତ । ଯେଉଁ ପୁଅ ତା’ ମା’କୁ ୭୫ ବର୍ଷ ପରେ ଖୋଜି ପାଇଛି । ଆଖିର ଲୁହ ବୋଲ ମାନିନି । ଭାବବିହ୍ୱଳ କରି ଦେଇଛି, ବିଷାଦ ଭରା ହୃଦୟକୁ କିଛି ସମୟ ପାଇଁ ଅଶାନ୍ତ କରି ଦେଇଛି । କାହିଁକିନା ତା’ ମା’ ମିଳିଛି, ତାହା ପୁଣି ୭୫ ବର୍ଷ ପରେ ।  ଘଟଣା ହେଉଛି ବ୍ରିଟେନର । ଯେଉଁଠାରେ ୮ ବର୍ଷରୁ ମା’କୁ ଦେଖିନଥିଲା ପୁଅ, ଆଉ ଶେଷରେ ତାକୁ ମିଳିଛି ମୂଲ୍ୟବାନ୍‌ ସମ୍ପତ୍ତି ।

ସୂଚନା ଅନୁସାରେ  ଡୋରିୟନ ରିସ୍‌ ନାମକ ଜଣେ ବ୍ୟକ୍ତି ୮ ବର୍ଷ ବୟସରେ ନିଜ ପରିବାର ଠାରୁ ଅଲଗା ହୋଇ ଯାଇଥିଲେ । ଡୋରିୟନଭ୍‌କୁ ‘ବାଲ୍ୟ ପ୍ରବାସୀ କାର୍ଯ୍ୟକ୍ରମ’ ଯୋଜନା ଦ୍ୱାରା ଆଠ ବର୍ଷ ବୟସରେ ବ୍ରିଟେନରୁ ଅଷ୍ଟ୍ରେଲିୟା ପଠାଇ ଦିଆଯାଇଥିଲା ।  ଡୋରିୟନ ଏକା ନଥିଲେ, ତାଙ୍କ ଭଳି ତାଙ୍କ ସହିତ ଥିଲେ ହଜାର ହଜାର ପିଲା ।

ବୟସ ବଢ଼ୁଥାଏ ଏବଂ ସମୟ ମଧ୍ୟ । ଅଷ୍ଟ୍ରେଲିୟାରେ ରହିବା ପରେ ଧୀରେ ଧୀରେ ଡୋରିୟନ୍‌ ବୁଝିଗଲେଯେ ସେ ଜଣେ ଅନାଥ ।  ସାହାରା ବୋଲି ତାଙ୍କର କେହି ନାହିଁ । ପିଲାଦିନ ତାଙ୍କର ଖୁବ୍‌ କଷ୍ଟରେ ବିତିଥିଲା । ତାଙ୍କ ଦାୟିତ୍ୱ ନେଇଥିବା ଲୋକଙ୍କ କଥା ତ କହିଲେ ନ ସରେ । ମାରପିଟ୍‌ ସାଙ୍ଗକୁ ଗାଳି ଗୁଲଜ, ସବୁ ସହୁଥିଲେ ଡୋରିୟନ । ତଥାପି ଭାଙ୍ଗି ପଡ଼ିନଥିଲେ ଡୋରିୟନ୍‌ । ସ୍ୱପ୍ନକୁ କବର ଦେଇନଥିଲେ । ମନୋବଳ ଦୃଢ଼ କରିଥିଲେ ଏବଂ ଠାଣି ନେଇଥିଲେ ପରିବାର ଲୋକଙ୍କୁ ଭେଟିବା ପାଇଁ । ଏହି ମଧ୍ୟରେ ଡୋରିୟନଙ୍କର ସାକ୍ଷାତ ବ୍ରିଟେନରେ ରହୁଥିବା  ତାଙ୍କର ଜଣେ ଭଣଜାଙ୍କ ସହିତ ହୋଇଥିଲା ।  ଯିଏ ତାଙ୍କ ପାଇଁ ଦେବଦୂତ ସାଜିଥିଲେ । ଡୋରିୟନ୍‌ ଜାଣିନଥିଲେଯେ, ତାଙ୍କ ପରିବାର ବ୍ରିଟେନରେ ରୁହନ୍ତି । କିନ୍ତୁ ଥରେ ଡୋରିୟନ ପତ୍ନୀଙ୍କ ସହିତ ଲଣ୍ଡନ ଯାଇଥିବାବେଳେ ଭଣଜା ଏନିଙ୍କ ସହିତ ମିଶି ତାଙ୍କ ମା’ଙ୍କୁ ଖୋଜିବାରେ ସକ୍ଷମ ହୋଇଥିଲେ ।  ତେବେ ଡୋରିୟନଙ୍କ ସହ କଥା ହେବାପରେ ତାଙ୍କ ମା’ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ, ଆଉ ମା’ ପୁଅଙ୍କର ଅପୂର୍ବ ମିଳନ କେବଳ ଲୁହ ଏବଂ କୋହରେ ଶେଷ ହୋଇଥିଲା ।