ଶୁଦ୍ଧିକ୍ରିୟାରେ ଭୋଜି ଦେଲେନି, ମାଗଣାରେ ଔଷଧ ବାଣ୍ଟିଲେ

ସମ୍ବଲପୁର: ବାପାଙ୍କ ଶୁଦ୍ଧିକ୍ରିୟା ବଦଳରେ ନିଜ ଦୋକାନରୁ ମାଗଣାରେ ଔଷଧ ଦେଲେ ଯୁବକ । କରୋନା ମହାମାରୀ ସମୟରେ ମାନବିକତାର ପରିଚୟ ଦେଲେ ସମ୍ବଲପୁରର ଅକ୍ଷୟ ନାୟକ । ସମ୍ବଲପୁର ଜିଲ୍ଲା ଜାମପାଲି ଗାଁର ଅକ୍ଷୟଙ୍କ ବାପା ଗଣେଶ ନାଏକଙ୍କ ଗତ ୧୨ ତାରିଖରେ ହୃତଘାତରେ ଦେହାନ୍ତ ହୋଇଥିଲା ।
ରାଜ୍ୟରେ କରୋନା ମହାମାରୀ ଓ କଟକଣାକୁ ଦେଖି ଶୁଦ୍ଧିକ୍ରିୟା ନକରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ଅକ୍ଷୟ । ଶୁଦ୍ଧିକ୍ରିୟା ପରିବର୍ତ୍ତେ ପରମାଣପୁର ଛକରେ ଥିବା ନିଜର ଔଷଧ ଦୋକାନରୁ ଗରିବ ଲୋକଙ୍କୁ ମାଗଣାରେ ଔଷଧ ଦେବାପାଇଁ ନିଷ୍ପତ୍ତି ନେଇଛନ୍ତି ।
୧୪ ତାରିଖରୁ ବାପାଙ୍କ ଏକାଦଶ, ଅର୍ଥାତ ମେ ୨୪ ତାରିଖ ପର୍ଯ୍ୟନ୍ତ ମାଗଣାରେ ଔଷଧ ଦେବେ ବୋଲି କହିଛନ୍ତି । ମାଗଣାରେ ୧୦ ଔଷଧ ଦେବା ନେଇ ସେ ବ୍ୟାନର ମାଧ୍ୟରେ ନିଜ ଦୋକାନ ଆଗରେ ଅବଗତ କରାଇଛନ୍ତି । ଔଷଧ ପାଇଁ ଲୋକଙ୍କ ସଂଖ୍ୟା ବଢୁଥିବାବେଳେ ଏଥିପାଇଁ ଅକ୍ଷୟଙ୍କ ପ୍ରଶଂସା କରିଛନ୍ତି ଲୋକେ ।