ପରିବାରର ୪ ଜଣଙ୍କ ମୃତଦେହ ମିଳିବା ଘଟଣା, ରହସ୍ୟମୟ କରୁଛି ପାରିପାର୍ଶ୍ବିକ ସ୍ଥିତି

ବରଗଡ଼: ଗୋଟିଏ ପରିବାରର ୪ ଜଣଙ୍କ ମୃତଦେହ ମିଳିବାର ପାରିପାର୍ଶ୍ବିକ ସ୍ଥିତି ଘଟଣାକୁ ଆହୁରି ରହସ୍ୟମୟ କରିବାରେ ଲାଗିଛି । ପ୍ରାଥମିକ ତଦନ୍ତ ପରେ ହତ୍ୟା ମାମଲା ରୁଜୁ କରିଛି ପୋଲିସ । ମାଆ, ବାପା ଓ ଭଉଣୀକୁ ହତ୍ୟା କରିବା ପରେ ପୁଅ ଆତ୍ମହତ୍ୟା କରିଥିବା ପୋଲିସ ସନ୍ଦେହ କରୁଛି । ଶେଷଦେବ, କ୍ଷୀରେଶ୍ବର ଓ ଶିବାନୀଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ଅରବିନ୍ଦଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଥିଲା । ଗତକାଲି ଭେଡେନ ବ୍ଲକ ଜାଣ୍ଡୋଲ ଗାଁରେ ବନ୍ଦ ଘରୁ ପରିବାରର ୪ ଜଣଙ୍କ ମୃତଦେହ ମିଳିଥିଲା ।

ପାରିପାର୍ଶ୍ବିକ ସ୍ଥିତିକୁ ଦେଖି ପୋଲିସ ହତ୍ୟା ମାମଲା ରୁଜୁ କରିଛି ବୋଲି ବରଗଡ଼ ଏସପି ପି ସ୍ମିଥ ପରମାର କହିଛନ୍ତି । ବାପା, ମାଆ ଓ ଝିଅଙ୍କ ଶରୀରରେ ଗଭୀର କ୍ଷତ ଚିହ୍ନ ମଧ୍ୟ ରହିଛି । ଆଜି ସକାଳୁ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ କବାଟ ଖୋଲାଯାଇ ପୋଲିସ ପୁଣି ତଦନ୍ତ ଆରମ୍ଭ କରିଛି । ଡଗ୍ ସ୍କ୍ବାଡ ଓ ଫରେକସିକ ଟିମ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଛାନବିନ ଚଳାଇଛନ୍ତି । ଗତକାଲି ବନ୍ଦ ଘରୁ ଦୁର୍ଗନ୍ଧ ବାହାରୁଥିବା ନେଇ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦଦେଇଥିଲେ । ପୋଲିସ କବାଟ ଖୋଲି ଶେଷଦେବ ମେହେର, ସ୍ତ୍ରୀ କ୍ଷୀରେଶ୍ବରୀ ମେହେର, ପୁଅ ଅରବିନ୍ଦ ଓ ଝିଅ ଶିବାନୀ ମେହେରଙ୍କ ମୃତଦେହ ଉଦ୍ଧାର କରିଥିଲା ।