ଗ୍ୟାସ୍ ଲିକରୁ ଅଗ୍ନିକାଣ୍ଡ: ବାପ ପୁଅ ମୃତ, ମରଣ ସହ ମାଆର ସଂଘର୍ଷ

1 min read

ରାଉରକେଲା: ଲକଡାଉନ୍ ଯୋଗୁଁ ବନ୍ଦ ହୋଇ ଯାଇଥିଲା ଛୋଟ ଜଳଖିଆ ଦୋକାନ । ତଥାପି ଭଙ୍ଗା ଦଦରା ଘରେ ଭାଗ୍ୟକୁ ଆଦରି ପଡ଼ି ରହିଥିଲା ୩ ପାଣିର କୁଟୁମ୍ବ । ଲକଡାଉନ୍ ନିୟମ ଟିକିଏ କୋହଳ ହେବା ସହ ପୁଣି ଜୀବନ ବଞ୍ଚାଇବାକୁ ପରିବାର ଆରମ୍ଭ କରିଥିଲେ କସରତ୍ । ଏହାକୁ ସହିପାରିଲାନି ଦଇବ । ହଠାତ୍ ଗ୍ୟାସ୍ ଲିକ୍ ହୋଇ ନିଆଁ ଲାଗିଗଲା । ଗ୍ୟାସ ନିଆଁରେ ଜଳିଗଲେ ସ୍ୱାମୀ, ସ୍ତ୍ରୀ ଓ ପୁଅ ।ଏ ହୃଦୟ ବିଦାରକ ଘଟଣା ଘଟିଛି ରାଉରକେଲା ସହର ସେକ୍ଟର-୫ କବି ସମ୍ରାଟପାଲି ବସ୍ତିରେ । ଗତ ୪ ତାରିଖରେ ଗ୍ୟାସ୍ ନିଆଁରେ ୩ ଜଣ ଗୁରୁତର ଆହତ ହୋଇଥିଲେ । ସମସ୍ତଙ୍କୁ ରାଉରକେଲା ଆଇଜିଏଚ ସ୍ଥିତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଗତକାଲି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅବସ୍ଥା ଗୁରୁତର ହେବାରୁ ୧୨ ବର୍ଷର ପୁଅକୁ କଟକ ସ୍ଥାନାନ୍ତର କରାଯାଇଥିଲା । ପାଲଲହଡ଼ା ନିକଟରେ ତାର ମୃତ୍ୟୁ ହୋଇଛି ।

୩୫ ବର୍ଷୀୟ ଅଯୋଧ୍ୟା ସାହୁ, ୧୨ ବର୍ଷର ପୁଅ ମନ୍ମଥ ସାହୁଙ୍କ ମୃତ୍ୟୁ ହୋଇଛି । ରୀତାଞ୍ଜଳି ସାହୁ ଆଇଜିଏଚରେ ଏବେ ଚିକିତ୍ସିତ ହେଉଛନ୍ତି । ରାଉରକେଲା ସେକ୍ଟର-୭ ଥାନା ପୋଲିସ ଘଟଣାର ତଦନ୍ତ କରୁଛି । କବି ସମ୍ରାଟପାଲି ବସ୍ତିରେ ଲୋକ ୫୦ ହଜାର ଟଙ୍କା ଆଦାୟ କରି ଚିକିତ୍ସା ପାଇଁ ଦେଇଛନ୍ତି । ଏ ସମୟରେ ହସ୍ପିଟାଲରେ ଆଟେଣ୍ଡାଣ୍ଟ ରହି ବସ୍ତିବାସିନ୍ଦା ଉଦାହରଣ ସୃଷ୍ଟି କରିଛନ୍ତି ।

Leave a Reply