ଅବସରପ୍ରାପ୍ତ ଶିକ୍ଷୟିତ୍ରୀଙ୍କ କରୁଣ କାହାଣୀ, ୧୦ ବର୍ଷ ହେଲା ପୁଅ ବୋହୂ ଦେଉଛନ୍ତି ନିର୍ଯାତନା

ବଲାଙ୍ଗୀର: ବଲାଙ୍ଗୀର ଶାନ୍ତିପଡ଼ା ଚନ୍ଦ୍ରଶେଖରନଗରୁ ଆସିଛି ଅବସରପ୍ରାପ୍ତ ଶିକ୍ଷୟିତ୍ରୀଙ୍କ କରୁଣ କାହାଣୀ । ପୁଅ ବୋହୂଙ୍କ ନିର୍ଯ୍ୟାତନା ନେଇ ଥାନାର ଦ୍ବାରସ୍ତ ହେଲେ ସୌଦାମିନୀ ବେହେରା । ଦୀର୍ଘ ୧୦ ବର୍ଷ ହେଲା ପୁଅ ବୋହୂ ନିର୍ଯାତନାରେ ଅତିଷ୍ଠ ହୋଇ ପଡିଲେଣି ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ସୌଦାମିନୀ । ବଡ ପୁଅ ବୋହୂ ସବୁ ସମ୍ପତ୍ତି ତାଙ୍କ ନାଁରେ କରିଦେବାକୁ ବାଧ୍ୟ କରି ଅକଥନୀୟ ନିର୍ଯ୍ୟାତନା ଦେଉଥିବା ସେ ଅଭିଯୋଗ କରିଛନ୍ତି । ମାଡ ମାରି ରକ୍ତାକ୍ତ କରିବା ସହ ତଣ୍ଟି ଚିପି ବୋହୂ ମାରୁଥିବା କହିଛନ୍ତି ଶାଶୂ । କେବଳ ଏତିକି ନୁହେଁ କୁକୁରକୁ ଇଙ୍ଗିତ କରି କାମୁଡିବାକୁ କହୁଛନ୍ତି ।

ଏମିତି କୋହଭରା କଣ୍ଠରେ କାନ୍ଦି କାନ୍ଦି ନିର୍ଯାତନାର କାହାଣୀ ବଖାଣିଛନ୍ତି ସୌଦାମିନୀ । ପୁଅ ବୋହୂଙ୍କ ନିର୍ଯାତନା ନେଇ ଗତକାଲି ସୌଦାମିନୀ ଟାଉନ ଥାନାରେ ଦ୍ୱାରସ୍ଥ ହୋଇଥିଲେ । ପୋଲିସ ତଦନ୍ତ ଆରମ୍ଭ କରିଛି । କିନ୍ତୁ ସୌଦାମିନୀ ବେହେରାଙ୍କ ବୋହୂ ସୁମନ ପାଣିଗ୍ରାହୀ ଶାଶୁଙ୍କ ଏଭଳି ଅଭିଯୋଗକୁ ଖଣ୍ଡନ କରିବା ସହ ପାଲଟା ଅଭିଯୋଗ କରିଛନ୍ତି । ଶାଶୂ ସୌଦାମିନୀ ବମ୍ବେରେ ରହୁଥିବା ତାଙ୍କ ସାନପୁଅ ସୁବ୍ରତ ପାଣିଗ୍ରାହୀଙ୍କୁ ଲଗାଇ ସ୍ବାମୀ ସ୍ତ୍ରୀଙ୍କୁ ଘରୁ ବାହାର କରିବା ପାଇଁ ଗାଳିଗୁଲଜ, ଆକ୍ରମଣ କରିବା ସହ ବାରମ୍ବାର ଘରୁ ତଡ଼ିବା ପାଇଁ ଯୋଜନା କରୁଛନ୍ତି । ସେପଟେ ସୌଦାମିନୀଙ୍କ ଏତଲା ପରେ ଟାଉନ ଥାନାରେ ମାମଲା ରୁଜ୍ଜୁ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି ।