ସ୍ତ୍ରୀ ଓ ସହଯୋଗୀଙ୍କ ସହ ମିଶି ମାଆକୁ ପିଟିପିଟି ହତ୍ୟା କଲା ସୈତାନ ପୁଅ

କନ୍ଧମାଳ: ମାଆକୁ ମାରିଦେଲା ସୈତାନ ପୁଅ । ସ୍ତ୍ରୀ ଓ ୩ ସହଯୋଗୀଙ୍କ ସହ ମିଶି ବିଚ୍ ରାସ୍ତାରେ ମାଆକୁ ପିଟିପିଟି ପୁଅ ହତ୍ୟା କରିଥିବା ଅଭିଯୋଗ ହୋଇଛି । କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ପାଙ୍ଗାଲିର କାଜୁରୀପାଙ୍ଗାରେ ଏହି ଅଭାବନୀୟ ଘଟଣା ଘଟିଛି । ଦାରିଙ୍ଗବାଡ଼ି ଥାନାରେ ମାମଲା ରୁଜୁ ପରେ ସମସ୍ତ ଅଭିଯୁକ୍ତଙ୍କୁ ଅଟକ ରଖି ତଦନ୍ତ କରୁଛି ପୋଲିସ । ସୂଚନା ଅନୁସାରେ, ପୁଅ ସୁନାମ ପରିଛା ଓ ବୋହୂ ଲିନାଙ୍କ ଯାଆଁଳା ଝିଅ ଜନ୍ମ ହେବାରୁ ଗୋଟିଏ ଝିଅକୁ ବାପା ଲକପାତି ଓ ମାଆ ପୁଷ୍ପାଞ୍ଜଳିଙ୍କ ପାଖରେ ଛାଡ଼ି ଗୋଟିଏ ଝିଅକୁ ନିଜେ ରଖିଥିଲେ ।

ହେଲେ ହଠାତ୍ ମାଆଠାରୁ ଝିଅକୁ ଆଣିବା ଉଦ୍ୟମ ବେଳେ ଝିଅ ଜେଜେମା ପୁଷ୍ପାଞ୍ଜଳିଙ୍କୁ ଛାଡ଼ି ଯିବାରୁ ରାଜି ହୋଇନଥିଲା । ଜେଜେମାଆ ପୁଷ୍ପାଞ୍ଜଳି ମଧ୍ୟ ବିରୋଧ କରିଥିଲେ । ଝିଅକୁ ପିଟିବା ସହ ମାଆ ପୁଷ୍ପାଞ୍ଜଳିଙ୍କୁ ପୁଅ, ବୋହୂ ଓ ୩ ସହଯୋଗୀ ଘରୁ ଘୋଷାଡ଼ି ଆଣି ଦାଣ୍ଡରେ ପ୍ରବଳ ପିଟିଥିଲେ । ପ୍ରବଳ ମାଡ଼ରେ ପୁଷ୍ପାଞ୍ଜଳିଙ୍କ ମୃତ୍ୟୁ ହୋଇଛି । ହତ୍ୟାକାରୀ ପୁଅ ସୁନାମ, ବୋହୂ ଲିନା, ଅନିଲ ମନ୍ତ୍ରୀ , ଚନ୍ଦ୍ରମା ମନ୍ତ୍ରୀ ଓ ରନି ମନ୍ତ୍ରୀଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛି ପୋଲିସ ।