ନନ୍ଦିଘୋଷ ବ୍ୟୁରୋ: ସୋମବାର ମହାକାଶରେ ଦେଖିବାକୁ ମିଳିବ ମହାଜାଗତିକ ଦୃଶ୍ୟ। ଦେଖିବାକୁ ମିଳିବ ପୂର୍ଣ୍ଣ ସୂର୍ଯ୍ୟ ପରାଗ। ଏହି ବିରଳ ସୂର୍ଯ୍ୟ ପରାଗ ଆମେରିକା, କାନାଡା, ମେକ୍ସିକୋର କିଛି ଅଂଚଳରେ ପୂର୍ଣ୍ଣ ଭାବରେ ଦେଖାଯିବ। ଏହାର ଆଖପାଖ ଅଂଚଳରେ ଆଂଶିକ ସୂର୍ଯ୍ୟ ପରାଗ ଦେଖାଯିବ । ଭାରତୀୟ ସମୟ ରାତି ୯ଟା ୧୨ ମିନିଟରେ ଆରମ୍ଭ ହୋଇ ରାତି ୨ଟା ୨୨ ମିନିଟ ସମୟରେ ଶେଷ ହେବ। ସର୍ବାଧିକ ପରାଗ ରାତି ୧୧ଟା ୪୭ ମିନିଟରେ ଦେଖାଯିବ। ଗ୍ରହଣ ଏବଂ ପରାଗ ଏକ ଛାଇ ଆଲୁଅର ଖେଳ। ସୂର୍ଯ୍ୟ, ଚନ୍ଦ୍ର ଓ ପୃଥିବୀର ଏକ ବିଶେଷ ଅବସ୍ଥିତିରେ ଏହା ଘଟିଥାଏ। ସୂର୍ଯ୍ୟ ପରାଗ ସମୟରେ ପୃଥିବୀ ଓ ସୂର୍ଯ୍ୟ ମଝିରେ ଚନ୍ଦ୍ର ଏକ ସରଳ ରେଖାରେ ରହିଥାଏ। ଚନ୍ଦ୍ରର ଛାଇ ପୃଥିବୀ ଉପରେ ପଡିଥାଏ। ସେହି ଅଂଚଳର ଲୋକେ କିଛି ସମୟ ପାଇଁ ସୂର୍ଯ୍ୟକୁ ଦେଖି ପାରନ୍ତି ନାହିଁ। ଏହା ରାତିର ଭ୍ରମ ସୃଷ୍ଟି କରିଥାଏ। ପରବର୍ତ୍ତୀ ସୂର୍ଯ୍ୟ ଗ୍ରହଣ ୨୦୪୫ରେ ଆମେରିକାରେ ଦେଖାଯିବ। ଏହାକୁ ଦୃଷ୍ଟିରେ ରଖି ସୂର୍ଯ୍ୟପରାଗର ମାର୍ଗରେ ପଡୁଥିବା ବିମାନର ଚାହିଦା ୧୫୦୦ ପ୍ରତିଶତ ବୃଦ୍ଧି ପାଇଛି। ଏହା ବ୍ୟତୀତ ଏହି ଦର୍ଶକ ଦେଖିବା ପାଇଁ ISO ସାର୍ଟିଫିକେଟ୍ ଗ୍ଲାସର ଚାହିଦା ମଧ୍ୟ ଯଥେଷ୍ଟ ବୃଦ୍ଧି ପାଇଛି ।

