ଆଜି ସୂର୍ଯ୍ୟୋପରାଗ; ଜାଣନ୍ତୁ କେତେବେଳୁ ଦେବନୀତି, ପାକ ନିଷେଧ

ଭୁବନେଶ୍ୱର: ଆଜି କେତୁଗ୍ରସ୍ତ ଖଣ୍ଡଗ୍ରାସ ସୂର୍ଯ୍ୟୋପରାଗ। ଭୋର ୪ଟା ୫୬ମିନିଟ ୫୨ସେକେଣ୍ଡରୁ ପରାଗ ଆରମ୍ଭ ହୋଇଛି। ସଂଧ୍ୟା ୬ ଟା ୨୬ ମିନିଟ ୫୨ ସେକେଣ୍ଡରେ ସର୍ବମୋକ୍ଷ ହେବ। ହିନ୍ଦୁ ରୀତିନୀତି ଅନୁସାରେ ପରାଗ ଲାଗିବାର ୧୨ ଘଣ୍ଟା ପୂର୍ବରୁ ପାକ ତ୍ୟାଗ ଓ ଦେବନୀତି ନିଷେଧ। ସୂର୍ଯ୍ୟପରାଗ ଦୃଶ୍ୟ ହେତୁ ଆଜି ଭୋର ୫ଟା ୪୩ ମିନିଟ ପରଠାରୁ ପାକ ନିଷେଧ କରାଯାଇଛି । ଅନ୍ନ ଭୋଜନ, ଦେବନୀତି ବାରଣ କରାଯାଇଛି ।

Puri Snana Yatra Update

ବୁଧବାର ପ୍ରାତଃ ସ୍ନାନାଦି କର୍ମ କରିବା ପରେ ଦେବନୀତି ଓ ଭୋଜନାଦି କରିବାକୁ ପରାମର୍ଶ ଦିଆଯାଇଛି । ତେବେ ବୃଦ୍ଧ, ରୋଗୀ, ବାଳକଙ୍କ ପକ୍ଷେ ନିୟମ ଉଲ୍ଲଂଘନ କରାଯାଇପାରେ । ପରାଗକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ଓ ଶ୍ରୀଲିଙ୍ଗରାଜ ମନ୍ଦିରରେ ସ୍ବତନ୍ତ୍ର ନୀତି ପାଳନ କରାଯାଉଛି । ରାତି ୧୨ରେ କରାଯାଇଛି ଲିଙ୍ଗରାଜଙ୍କ ମଙ୍ଗଳ ଆଳତି । ରାତିରେ ଠାକୁରଙ୍କ କୋଠଭୋଗ ସହ ଅନ୍ୟାନ୍ୟ ନୀତିକାନ୍ତି କରାଯାଇଛି । ଭୋର ୪ଟା ୩୦ ସୁଦ୍ଧା ସମସ୍ତ ଦେବନୀତି ଶେଷ ହୋଇଛି ।

ସେହିପରି ପୁରୀ ଶ୍ରୀମନ୍ଦିରରେ ରାତିରେ ପହୁଡ଼ ନୀତି ଶୀଘ୍ର କରି ରାତ୍ର ୧୨ଟା ୧୦ମି.ରୁ ଦ୍ବାରଫିଟା ଯାଇ ଭୋର ୪ଟା ୫୫ସୁଦ୍ଧା ଶ୍ରୀଜିଉ ମାନଙ୍କର ଭୋଗ ମଣ୍ଡପ ନୀତି କରାଯାଇଛି । ଅନ୍ୟପଟେ କେତୁଗ୍ରସ୍ତ ସୂର୍ଯ୍ୟୋପରାଗ ପାଇଁ ଆରଡି ପୀଠ ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ସ୍ବତନ୍ତ୍ର ନୀତିକାନ୍ତି ସମ୍ପନ୍ନ ହୋଇଛି । ପୀଠର ପରମ୍ପରା ଅନୁଯାୟୀ ଆଜି ଦିନତମାମ ବନ୍ଦ ରହିବ ସାଧାରଣ ଭକ୍ତଙ୍କ ଦର୍ଶନ । ବିଳମ୍ବିତ ରାତିରୁ ବାବାଙ୍କ ନୀତିକାନ୍ତି କରାଯାଇଛି । ବାବାଙ୍କୁ ଯୋଗୀବେଶରେ ସଜ୍ଜିତ କରାଯାଇ ଖେଚୁଡି ଅନ୍ନନୀତି ଲାଗି କରାଯାଇଥିଲା। ମନ୍ଦିରର ପରମ୍ପରା ଅନୁଯାୟୀ ପାକତ୍ଯାଗର ନିର୍ଦ୍ଧାରିତ ସମୟ ୪ଟା ୫୪ରେ ବାବାଙ୍କୁ ପହୁଡ କରାଯାଇଥିଲା । ଆସନ୍ତାକାଲି ସୂର୍ଯ୍ଯୋଦୟ ହେବା ପରେ ବାବାଙ୍କର ସମସ୍ତ ନୀତିକାନ୍ତି କରାଯିବା ସହ ସର୍ବ ସାଧାରଣ ଦର୍ଶନ ଜାରି ରହିବ ।