ଆଜି ସୂର୍ଯ୍ୟପରାଗ: ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ପୂଜା ବିଧି, ପଠାଣି ସାମନ୍ତ ପ୍ଲାନେଟୋରିୟମରେ ସ୍ୱତନ୍ତ୍ର ବ୍ୟବସ୍ଥା

ଭୁବନେଶ୍ୱର: ଆଜି ସୂର୍ଯ୍ୟପରାଗ ।  ଏହି ସମୟରେ ପୃଥିବୀ ଓ ସୂର୍ଯ୍ୟମଧ୍ୟରେ ଚନ୍ଦ୍ର ଅବସ୍ଥାନ କରିଥାଏ ।  ସକାଳ ୮ଟା ୨୦ ମିନିଟରେ ସ୍ପର୍ଶ କରିବ ପରାଗ ଏବଂ ଦିନ ୧୧ଟା ୨୯ରେ ହେବ ସର୍ବମୋକ୍ଷ ।  ତେଣୁ ଅମାବାସ୍ୟା ଦିନ ହିଁ ସୂର୍ଯ୍ୟପରାଗ ହୋଇଥାଏ । ‘ସୂର୍ଯ୍ୟପରାଗ’ର ବିରଳ ଦୃଶ୍ୟ କେରଳର କୋଚିକୋଡ, ତାମିଲନାଡୁର କୋଏମ୍ବଟୁର , ମଦୁରାଇ , ଉଟି , ତିରୁଚିରାପଲ୍ଲୀରେ ଅଧିକ ଦୃଶ୍ୟମାନ ହେବ । ଓଡିଶାରେ ୫୧ ପ୍ରତିଶତ ପରାଗ ଦେଖିହେବ ।

ସୂର୍ଯ୍ୟପରାଗ ଦେଖିବା ପାଇଁ ଭୁବନେଶ୍ୱର ପଠାଣୀ ସାମନ୍ତ ପ୍ଲାନେଟୋରିୟମରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ତେବେ ପରାଗ ଖାଲିଆଖିରେ ନଦେଖିବା ପାଇଁ ବୈଜ୍ଞାନିକଙ୍କ ପରାମର୍ଶ । ସେପଟେ  ସୂର୍ଯ୍ୟପରାଗ ପାଇଁ ଶ୍ରୀମନ୍ଦିରର ପୂଜା ବିଧି ପାଇଁ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ ହୋଇଛି ।  ପରାଗ ସ୍ପର୍ଶ ହେବାର ୧୨ ଘଣ୍ଟା ପୂର୍ବରୁ ପାକ ତ୍ୟାଗ ଓ ଦେବ ନୀତି ନିଷେଧ କରାଯାଇଛି । ଏଥିପାଇଁ ଶ୍ରୀମନ୍ଦିରରେ ଗତକାଲି ରାତି ୮ଟା ୨୦ ମିନିଟ ସୁଦ୍ଧା ମହାପ୍ରଭୁଙ୍କ ସନ୍ଧ୍ୟା ଆଳତୀ ନୀତି ସମାପନ ହୋଇଛି  ।

ପରାଗ ସ୍ପର୍ଶ ହେବା ମାତ୍ରେ ଶ୍ରୀଜୀଉଙ୍କ ପରାଗ ମହାସ୍ନ।ନ ସହ ତଡପ ଲାଗି, ମଇଲମ ବେଶ, ମଙ୍ଗଳ ଆଳତୀ, ଅବକାଶ, ରୋଷ ହୋମ  , ସୂର୍ଯ୍ୟ ଓ ଦ୍ଵାରପାଳ ପୂଜା,  ପରାଗ ସାଦାବେଶ ଅନୁଷ୍ଠିତ ହେବ । ପରେ ଭୋଗ, ପୁନର୍ବାର ମଇଲମ ବେଶ ହୋଇ ଗୋପାଳ ବଲ୍ଲଭ ନୀତି ହେବ ।

ଏହାପରେ ଶ୍ରୀଜୀଉଙ୍କୁ ଦୁର୍ଲଭ ପହିଲି ଭୋଗ କରାଯାଇ ସକାଳ ଧୁପ ନୀତି ଅନୁଷ୍ଠିତ ହେବ । ଏହି ସୂର୍ଯ୍ୟପରାଗ ପରେ ୨୦୨୦ ଜୁନ ୧ ତାରିଖରେ ପୁଣି ଆଉ ଏକ ସୂର୍ଯ୍ୟପରାଗ ରହିଛି ।

Leave a Reply