ଚିଲିକାରେ ଚାଲିବ ସୌରଶକ୍ତି ଚାଳିତ ମୋଟର ବୋଟ୍

ଭୁବନେଶ୍ବର: ରୂପାନ୍ତର ପଥେ ଓଡ଼ିଶା । ଆହୁରି ରୂପବତୀ ହେବ ଚିଲିକା । ଚିଲିକାରେ ଚାଲୁଥିବା ଡିଜେଲ ମୋଟର ବୋଟ୍ ହଟାଇ ସୌରଶକ୍ତି ଚାଳିତ ମୋଟର ବୋଟ ଚାଲିବ । ଚିଲିକାର ଜୈବବିବିଧତା ଓ ଶବ୍ଦ ପ୍ରଦୂଷଣକୁ ହ୍ରାସ କରିବାକୁ ରାଜ୍ୟ ସରକାର ଏହି ଅଭିନବ ପଦକ୍ଷେପ ନେବାକୁ ଯାଉଛନ୍ତି । ଶକ୍ତି ବିଭାଗ ଅଧୀନରେ ଥିବା ଓରେଡ଼ା ପକ୍ଷରୁ ପ୍ରସ୍ତୁତ ହୋଇଛି ମାଷ୍ଟର୍ ପ୍ଲାନ୍ । ପ୍ରାଥମିକ ପର୍ଯ୍ୟାୟରେ ପାଇଲଟ ପ୍ରକଳ୍ପ ଭାବେ ୧୦୦ଟି ସୌରଶକ୍ତି ଚାଳିତ ମୋଟର ବୋଟ ପ୍ରଦାନ କରାଯିବ । ଯାହାକୁ ସ୍ବାଗତ କରିଛି ପର୍ଯ୍ୟଟନ ଶିଳ୍ପ ।

ଆହୁରି ସୁନ୍ଦରୀ ହେବ ଚିଲିକା । ପ୍ରାକୃତିକ ସୌନ୍ଦର୍ଯ୍ୟ ରହିବ ଅକ୍ଷୁଣ୍ଣ । ଜୈବ ବିବିଧତା ରହିବ ବଜାୟ। ଶବ୍ଦ ପ୍ରଦୂଷଣ ହେବ ଶୂନ  । ଏଣିକି ନୀଳ ଜଳରାଶିରେ ଚାଲିବନି ଡିଜେଲ ଚାଳିତ ମୋଟର ବୋଟ । ତା ବଦଳରେ ଚିଲିକା ବକ୍ଷରେ ଚାଲିବ ସୌରଶକ୍ତି ଚାଳିତ ମୋଟର ବୋଟ୍। ଶକ୍ତି ବିଭାଗ ଅଧୀନରେ ଥିବା ଓଡ଼ିଶା ରିନିଓ୍ବେବଲ୍ ଡେଭଲପମେଣ୍ଟ ଏଜେନ୍ସି ବା ଓରେଡା ପ୍ରସ୍ତୁତ କରିଛି ମାଷ୍ଟର ପ୍ଲାନ୍ । ମାଷ୍ଟର ପ୍ଲାନ୍ ଅନୁଯାୟୀ ଓରେଡା ଚିଲିକାରେ ପାଇଲଟ ପ୍ରକଳ୍ପ ଭାବେ ୧୦୦ଟି ସୌରଶକ୍ତି ଚାଳିତ ମୋଟର ବୋଟ୍ ଯୋଗାଇ ଦେବ ।

ପରେ ସବସିଡି ଦରରେ ମତ୍ସ୍ୟଜୀବୀ ଓ ପର୍ଯ୍ୟଟନ ପାଇଁ ଯୋଗାଇ ଦିଆଯିବ ଶବ୍ଦ ବିହୀନ ମୋଟର ବୋଟ୍ । ଚିଲିକାର ଜୈବ ବିବିଧତା ବଜାୟ ରଖିବା ସହିତ ଶବ୍ଦ ପ୍ରଦୂଷଣ ମୁକ୍ତ କରିବାକୁ ରାଜ୍ୟ ସରକାର ଏ ହେଉଛି ଅଭିନବ ପଦକ୍ଷେପ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ନୂଆ ରୂପ ପାଇବ ଚିଲିକା । ପାରମ୍ପରିକ ଇନ୍ଧନରେ ଚାଲୁଥିବା ମୋଟର ବୋଟ୍ ଯୋଗୁ ଚିଲିକାରେ ରହୁଥିବା ଇରାଓ୍ବାଡି ଡଲଫିନଙ୍କ ଚଳପ୍ରଚଳ ପ୍ରଭାବିତ ହେଉଛି । ଚିଲିକାର ସୌନ୍ଦର୍ଯ୍ୟ ସୁରକ୍ଷିତ ରଖିବାକୁ ଏହା ହେଉଛି ରାଜ୍ୟ ସରକାରଙ୍କ ମାଷ୍ଟର ପ୍ଲାନ ।

ଚିଲିକା ପାଇଁ ରାଜ୍ୟ ସରକାରଙ୍କ ଏହି ପଦକ୍ଷେପକୁ ସ୍ବାଗତ କରିଛନ୍ତି ଟୁରିଷ୍ଟ ଅପରେଟର୍ । ସବୁଜ ଶକ୍ତି ଓ ଅଣପାରମ୍ପରିକ ଶକ୍ତି ଦ୍ବାରା ମୋଟର ବୋଟ ହେଲେ ଡଲଫିନ୍ ଓ ବିଦେଶୀ ପକ୍ଷୀ ବିଚରଣ ଉପରେ ଆଉ ପ୍ରଭାବ ପଡ଼ିବନି । ଫଳରେ ପର୍ଯ୍ୟଟକମାନେ ଚିଲିକା ବକ୍ଷରେ ବୋଟିଂ କରିବା ସହିତ ନୀଳ ଜଳରାଶିର ଭରପୂର ମଜା ଉଠାଇପାରିବେ । ଏହାଦ୍ବାରା ଚିଲିକାକୁ ଅଧିକରୁ ଅଧିକ ପର୍ଯ୍ୟଟକ ଆସିବେ । ରାଜ୍ୟ ସରକାର ଚିଲିକା ସମେତ ଭିତରକନିକା ଓ ଅନ୍ୟ ଜଳାଶୟ ପର୍ଯ୍ୟଟନ କ୍ଷେତ୍ରରେ ଚାଲୁଥିବା ବୋଟିଂଗୁଡ଼ିକୁ ଏପରି ରୂପାନ୍ତର କରିବା ଦରକାର ବୋଲି ଟୁର ଅପରେଟର ମତ ରଖିଛନ୍ତି ।