ଦେଶର ସବୁଠୁ ଉଚ୍ଚ ଶିବ ମନ୍ଦିର, ପଥରକୁ ବାଡେଇଲେ ଡମ୍ବରୁ ଶବ୍ଦ ଶୁଣାଯାଏ..

ଭାରତରେ ରହସ୍ୟମୟ ଏବଂ ପ୍ରାଚୀନ ମନ୍ଦିରଗୁଡ଼ିକର କୌଣସି ଅଭାବ ନାହିଁ। ଦେଶର କୋଣ ଅନୁକୋଣରେ ପ୍ରସିଦ୍ଧ ମନ୍ଦିର ରହିଛି। ଆଉ ସବୁ ମନ୍ଦିରର କିଛି ନା କିଛି ରହସ୍ୟ ରହିଥାଏ। ତେବେ ଆଜି ଆମେ ଆପଣଙ୍କୁ ଏପରି ଏକ ମନ୍ଦିର ବିଷୟରେ କହିବୁ, ଯାହା ଭିତରେ ଲୁଚି ରହିଛି ଅନେକ ରହସ୍ୟ। ଏମିତିକି ଏହି ମନ୍ଦିରର ପଥରେ ବି ଲୁଚି ରହିଛି ଏକ ରହସ୍ୟ, ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଏହି ପଥରଗୁଡ଼ିକୁ ବାଡେଇଲେ ସେଥିରୁ ମହାଦେବଙ୍କ ଡମ୍ବରୁର ଶବ୍ଦ ଶୁଣାଯାଏ। କୁହାଯାଏ ଯେ ମନ୍ଦିରର ପ୍ରତିଟି କୋଣ ଏଠି ମହାଦେବଙ୍କ ଉପସ୍ଥିତିର ଆଭାସ ଦେଇଥାଏ।

ଏହି ମନ୍ଦିର ଦେବଭୂମି ହିମାଚଳ ପ୍ରଦେଶର ସୋଲାନରେ ଅବସ୍ଥିତ, ଯାହା ଜାଟୋଲି ଶିବ ମନ୍ଦିର ଭାବରେ ଜଣାଶୁଣା। ଦ୍ରାବିଡ଼ ଶୈଳୀରେ ନିର୍ମିତ ଏହି ମନ୍ଦିରର ଉଚ୍ଚତା ପାଖାପାଖି ୧୧୧ ଫୁଟ। ଯାହାକୁ ଏସିଆର ସବୁଠାରୁ ଉଚ୍ଚ ଶିବ ମନ୍ଦିର ବୋଲି ମଧ୍ୟ କୁହାଯାଏ।

ପୂରାଣରେ ଏହି ମନ୍ଦିର ନେଇ ଅନେକ କଥା ପ୍ରଚଳନ ରହିଛି । କୁହାଯାଏ ଯେ ଭଗବାନ ଶିବଙ୍କର ପାଦ ଏହି ମନ୍ଦିରରେ ପଡ଼ିଥିଲା ଆଉ ସେ ଏଠି କିଛି ସମୟ ମଧ୍ୟ ବିତାଇଥିଲେ। ୧୯୫୦ ଦଶକରେ କୃଷ୍ଣାନନ୍ଦ ପରମହଂସ ନାମକ ଜଣେ ବାବା ଏଠାକୁ ଆସିଥିଲେ। ଯାହାଙ୍କ ମାର୍ଗଦର୍ଶନ ଏବଂ ନିର୍ଦ୍ଦେଶନାରେ ଜଟୋଲି ଶିବ ମନ୍ଦିରର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ୧୯୭୪ ମସିହାରେ ସେ ଏହି ମନ୍ଦିରର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ୧୯୮୩ ମସିହାରେ ତାଙ୍କ ଦେହାନ୍ତ ହେବା ପରେ ମଧ୍ୟ ମନ୍ଦିରର ନିର୍ମାଣ କାର୍ଯ୍ୟ ବନ୍ଦ ହୋଇନଥିଲା । ମନ୍ଦିର ପରିଚାଳନା କମିଟି ଦ୍ୱାରା ଏହାର କାର୍ଯ୍ୟ ସମ୍ପନ୍ନ ହୋଇଥିଲା ।

ଜଟୋଲି ଶିବ ମନ୍ଦିରର କାର୍ଯ୍ୟ ସମ୍ପନ୍ନ ହେବା ପାଇଁ ପ୍ରାୟ ୩୯ ବର୍ଷ ସମୟ ଲାଗିଥିଲା। କୋଟି କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ମନ୍ଦିର ବିଷୟରେ ସବୁଠାରୁ ବିଶେଷ କଥା ହେଉଛି ଯେ, ଏହା ଦେଶ ତଥା ବିଦେଶର ଭକ୍ତଙ୍କ ଦ୍ୱାରା ଦାନ କରାଯାଇଥିବା ଟଙ୍କାରେ ନିର୍ମାଣ କରାଯାଇଛି। ସେଥିପାଇଁ ମନ୍ଦିର ନିର୍ମାଣ ହେବାକୁ ତିନି ଦଶନ୍ଧିରୁ ଅଧିକ ସମୟ ଲାଗିଥିଲା ।

ଏହି ମନ୍ଦିରର ବିଭିନ୍ନ ସ୍ଥାନରେ ବିଭିନ୍ନ ଦେବାଦେବୀଙ୍କ ପ୍ରତିମୂର୍ତ୍ତି ସ୍ଥାପିତ ହୋଇଥିବାବେଳେ ମନ୍ଦିର ଭିତରେ ଏକ ସ୍ଫଟିକ୍ ରତ୍ନ ଶିବଲିଙ୍ଗ ଲଗାଯାଇଛି। ଏହା ବ୍ୟତୀତ ଭଗବାନ ଶିବ ଏବଂ ଦେବୀ ପାର୍ବତୀଙ୍କ ମୂର୍ତ୍ତି ମଧ୍ୟ ଏଠାରେ ସ୍ଥାପନ କରାଯାଇଛି। ଏଥି ସହିତ, ମନ୍ଦିରର ଉପର ମୁଣ୍ଡରେ ୧୧ ଫୁଟ ଉଚ୍ଚର ଏକ ବିରାଟ ସୁନା ପାତ୍ର ମଧ୍ୟ ସ୍ଥାପିତ ହୋଇଛି, ଯାହା ଏହାର ସୌନ୍ଦର୍ଯ୍ୟ ଓ ବିଶେଷତ୍ୱକୁ ଆହୁରି ବଢାଇଦିଏ ।

 

Leave a Reply