ଆତ୍ମହତ୍ୟା ପୂର୍ବରୁ ସୌମ୍ୟଜିତଙ୍କୁ ୧୫ ଥର କଲ କରିଥିଲେ ଶ୍ୱେତା ,ରାତି ୧.୩୦ରେ ଶେଷ କଲ

ଭୁବନେଶ୍ୱର : ସଫଟୱେୟାର ଇଂଜିନିୟର ଶ୍ୱେତା ଉତ୍କଳ କୁମାରୀ ଆତ୍ମହତ୍ୟା ମାମଲାରେ ପୋଲିସ ତଦନ୍ତରୁ ଗୋଟିଏ ବଡ଼ କଥା ସାମ୍ନାକୁ ଆସିଛି । ଆତ୍ମହତ୍ୟା ଦିନ ଶ୍ୱେତା ସୌମ୍ୟଙ୍କ ସହିତ କଥା ହେବାକୁ ବହୁତ ଚେଷ୍ଟା କରିଥିଲେ । ଏପରିକି ଆତ୍ମହତ୍ୟାର ଚରମ ନିଷ୍ପତି ନେବାର ୩୦ ମିନଟ୍ ପୂର୍ବରୁ ଶ୍ୱେତା ସୌମ୍ୟଙ୍କୁ ୧୫ଥର କଲ୍ କରିଥିଲେ । କିନ୍ତୁ ସୌମ୍ୟ ତାଙ୍କର କୌଣସି କଲ ରିସିଭ୍ କରିନଥିଲେ କି କଲବ୍ୟାକ୍ କରିନଥିଲେ ।

ଆତ୍ମହତ୍ୟା ମାମଲାର ତଦନ୍ତ କରୁଥିବା ଚନ୍ଦ୍ରଶେଖରପୁର ପୋଲିସ ହାତରେ ସୌମ୍ୟଙ୍କ ଫୋନର ସିଡିଆର ରିପୋର୍ଟ ଲାଗିଛି । ଏହି ରିପୋର୍ଟ ଅନୁସାରେ ମୃତ୍ୟୁର ଅଧଘଣ୍ଟା ପୂର୍ବରୁ ଶ୍ୱେତା ସୌମ୍ୟଙ୍କୁ ୧୫ ଥର କଲ କରିଥିଲେ ।ରାତି ୧.୩୦ ପର୍ଯ୍ୟନ୍ତ ଶ୍ୱେତା ସୌମ୍ୟଙ୍କୁ ବାରମ୍ବାର କଲ କରିଥିଲେ । କିନ୍ତୁ ସୌମ୍ୟ ତାଙ୍କର କୌଣସି କଲର ଉତ୍ତର ଦେଇନଥିଲେ । ସିଡିଆର ରିପୋର୍ଟରୁ ଏହି ସୂଚନା ମିଳିବା ପରେ ଏବେ ପୋଲିସ ସୌମ୍ୟଙ୍କୁ ପଚରାଉଚରା କରିବ ।

ସୂଚନାଯୋଗ୍ୟ ଯେ, ଏହା ପୂର୍ବରୁ ସୌମ୍ୟ ଓ ଶ୍ୱେତାଙ୍କା ମଧ୍ୟରେ ହୋଇଥିବା କଥାବାର୍ତ୍ତାର ଏକ ଅଡିଓ ରେକର୍ଡ ସୋମବାର ଦିନ ଭାଇରାଲ ହୋଇଥିଲା । ଯେଉଁଥିରେ ସୌମ୍ୟଙ୍କୁ ଶ୍ୱେତା ଥାନାକୁ ଯିବା କଥା କହୁଥିଲେ । ଉତ୍ତରରେ ସୌମ୍ୟ ତାଙ୍କୁ ଯେଉଁଠିକି ଯିବା କଥା  ଯାଅ ବୋଲି କହୁଥିବା ଶୁଣିବାକୁ ମିଳିଥିଲା । ଉଭୟଙ୍କ ମଧ୍ୟରେ କଥାବାର୍ତ୍ତା ବେଳେ ଗାଳିଗୁଲଜ ମଧ୍ୟ ହୋଇଥିଲା ।ଅଡିଓ ରେକର୍ଡରେ ଯେଉଁ ବ୍ୟକ୍ତିଙ୍କ ସ୍ୱରକୁ ସୌମ୍ୟଙ୍କର ବୋଲି କୁହାଯାଉଛି ସେ ଶ୍ୱେତାଙ୍କ ଅଭିଭାବକଙ୍କ ଉପରେ କିଛି ଟିପ୍ପଣୀ କରୁଥିବା ଶୁଣା ଯାଇଥିଲା ।