କିଲି ପଲଙ୍କ ଉପରେ ଛୁରିରେ ଆକ୍ରମଣ, ଆଙ୍ଗୁଠିରେ ପଡ଼ିଛି ୫ଟା ଷ୍ଟିଚ୍

ନୂଆଦିଲ୍ଲୀ: ତାଞ୍ଜେନିଆର ସୋସିଆଲ ମିଡିଆ ଷ୍ଟାର କିଲି ପଲଙ୍କୁ କିଏ ବା ନଜାଣେ। ଆପଣ କିଲି ପଲଙ୍କ ରିଲ୍ ନିଶ୍ଚୟ ଦେଖିଥିବେ । ସେ ନିଜ ଖାସ ଅନ୍ଦାଜରେ ତାଙ୍କ ଫ୍ୟାନଙ୍କୁ ପ୍ରତିଦିନ ମନୋରଞ୍ଜନ କରି ହୃଦୟ ଜିତି ଥାଆନ୍ତି।
ତାଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ସହ ମୋବାଇଲରୁ ମୋବାଇଲକୁ ଘୁରିବୁଲେ। କେବଳ ଏତିକି ନୁହଁ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଏହି ସୋସିଆଲ ମିଡିଆ ବ୍ଲଗର କିଲି ପଲଙ୍କ ପ୍ରଶଂସା କରିସାରିଛନ୍ତି।
ଆମେ ତାଙ୍କ କଥା କହିବା ମାନେ ହେଲା ଏବେ ତାଙ୍କୁ ନେଇ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ତାଙ୍କ ଉପରେ ହୋଇଛି ମରଣାନ୍ତକ ଆକ୍ରମଣ ।
ଏକ ରିପୋର୍ଟ ଅନୁସାରେ, ତାଞ୍ଜେନିଆ ବାସିନ୍ଦା କିଲିଙ୍କ ଉପରେ ୫ରୁ ୬ ଜଣ ଅଜ୍ଞାତ ବ୍ୟକ୍ତି ଛୁରୀ ଏବଂ ଲାଠିରେ ଆକ୍ରମଣ କରିଛନ୍ତି। ଫଳରେ ସେ ଗୁରୁତର ଆହତ ହୋଇଛନ୍ତି। ସୋସିଆଲ ମିଡିଆରେ କିଲି ନିଜେ ତାଙ୍କ ପ୍ରଶଂସକଙ୍କୁ ଏହି ସୂଚନା ଦେଇଛନ୍ତି ।
ଫଟୋ ଓ ଭିଡିଓ ଶେୟାର କରି ସେ ଏ ଆକ୍ରମଣ ବିଷୟରେ ଜଣାଇଛନ୍ତି। କିଲି କହିଛନ୍ତି ଯେ, ‘ମୁଁ ଭିଡିଓ କରୁଥିବା ବେଳେ କିଛି ବ୍ୟକ୍ତି ମୋ ଉପରେ ମରଣାନ୍ତକ ଆକ୍ରମଣ କରିଥିଲେ।’
ତାଙ୍କୁ ଲାଠି ଓ ଛୁରୀରେ ଆକ୍ରମଣ ପରେ ସେ ସଙ୍ଗେ ସଙ୍ଗେ ନିକଟସ୍ଥ ହସ୍ପିଟାଲ ଯାଇ ଚିକିତ୍ସା କରାଇଥିଲେ। ତାଙ୍କ ଆଙ୍ଗୁଠି ଓ ଡାହାଣ ହାତରେ ଆଘାତ ଲାଗିଛି। ଅଧିକ ଗୁରୁତର ହୋଇନଥିଲେ ମଧ୍ୟ ବର୍ତ୍ତମାନ ତାଙ୍କ ଅବସ୍ଥା ଠିକ୍ ନାହିଁ। ତାଙ୍କ ଆଙ୍ଗୁଠିରେ ୫ଟି ଷ୍ଟିଚ୍ ପଡ଼ିଥିବା ସୂଚନା ମିଳିଛି।
ତାଙ୍କ ସହ ଘଟିଥିବା ପୂରା ଘଟଣାକୁ ସେ ନିଜ ଇନଷ୍ଟାଗ୍ରାମରେ ସେଆର କରିଛନ୍ତି। ସେ ଲେଖିଛନ୍ତି ଯେ, ‘ଲୋକେ ମୋର ସଫଳତାକୁ ସହି ପାରୁନାହାନ୍ତି। ଏଥିପାଇଁ ମୋତେ ତଳକୁ ଖସାଇବାକୁ ଚେଷ୍ଟା କରୁଛନ୍ତି। କିନ୍ତୁ ଯିଏ ସଚ୍ଚୋଟ ତା’ର କିଛି ହୁଏନି। ଭଗବାନଙ୍କ ଆଶୀର୍ବାଦ ସର୍ବଦା ମୋ ଉପରେ ରହିଛି । ସେଥିପାଇଁ ମୁଁ ସଫଳତା ପାଉଛି। ମୁଁ ଯେପରି ଖୁବ ଶୀଘ୍ର ଭଲ ହୋଇଯିବି ସେଥିପାଇଁ ମୋ ପାଇଁ ପ୍ରାର୍ଥନା କରନ୍ତୁ।’
ଏଠାରେ ଆପଣଙ୍କୁ କହିରଖିବାକୁ ଚାହୁଁଛୁ ଯେ, କିଲି ଏବେ ସୋସିଆଲ ମିଡିଆରେ ଜଣେ ଲୋକପ୍ରିୟ ଷ୍ଟାର। ତାଙ୍କ ଡ୍ୟାନ୍ସ ଭିଡିଓ ଯୋଗୁ ବିଶ୍ୱବ୍ୟାପୀ ସେ ବେଶ୍ ପରିଚିତ ହୋଇଛନ୍ତି। କେବଳ ସୋସିଆଲ ମିଡିଆ ୟୁଜର ନୁହଁନ୍ତି ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ କିଲିଙ୍କ ଡ୍ୟାନ୍ସ ଦେଖି ବେଶ୍ ପ୍ରଭାବିତ ହୋଇଥିଲେ। ମନ କି ବାତ କାର୍ଯ୍ୟକ୍ରମରେ ତାଙ୍କର ଭୁରି ଭୁରି ପ୍ରଶଂସା ବି କରିଥିଲେ ପ୍ରଧାନମନ୍ତ୍ରୀ।