ଷ୍ଟାର ଅପରାଧିଙ୍କୁ ଧରାପକାଇଥିଲା ପିଜ୍ଜା, ଏବେ ଅପିଲ ଖାରଜ କଲେ କୋର୍ଟ

ନୂଆଦିଲ୍ଲୀ: ବିବାଦୀୟ ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ତଥା କିକବକ୍ସର ଆଣ୍ଡ୍ରିୟୁ ଟେଟଙ୍କ ଆବେଦନକୁ ଖାରଜ କରିଦେଇଛନ୍ତି ରୋମାନିଆ କୋର୍ଟ । ତାଙ୍କ ଉପରେ ଦୁଷ୍କର୍ମ, ମାନବ ଚାଲାଣ ଭଳି ଅପରାଧିକ ମାମଲା ରହିଛି ।

ଏକ ପିଜା ପ୍ୟାକେଟ ଯୋଗୁ ସେ ୨୯ ଡିସେମ୍ବର ୨୦୨୨ରେ ରୋମାନିଆର ରାଜଧାନୀ ବୁଖାରେଷ୍ଟରେ ଧରାପଡିଥିଲା ଟେଟ। ରୋମାନିଆର ଏକ କୋର୍ଟ ତାଙ୍କୁ ଏବଂ ତାଙ୍କ ଭାଇ ତ୍ରିଷ୍ଟାନଙ୍କ ହେପାଜତକୁ ୨୪ ଘଣ୍ଟାରୁ ବଢ଼ାଇ ୩୦ ଦିନ କରିଦେଇଛନ୍ତି । ଉଭୟ ଭାଇ ପ୍ରାୟ ୬ ଜଣ ମହିଳାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।

ମହିଳାଙ୍କ ପ୍ରତି ସବୁବେଳେ ଦେଉଥିବା ବିବାଦୀୟ ବୟାନକୁ ନେଇ ବିବାଦ ଘେରରେ ଛନ୍ଦି ହୋଇଥିଲେ ଟେଟ୍ । ଗତ ୨୭ ଡିସେମ୍ବରରେ ଟିକଟକ ଷ୍ଟାର ଟେଟ ଏବଂ ଥର୍ଣ୍ଣବର୍ଗଙ୍କ ମଧ୍ୟରେ ଟ୍ବିଟରରେ ଘମାଘୋଟ ଲଢ଼େଇ ହୋଇଥିଲା । ଟେଟ ତାଙ୍କୁ ଖୋଲାଖୋଲି ବେଜିତ୍ କରିଥିଲେ । ଏହି ଟ୍ବିଟକୁ ସବୁଠୁ ଅଧିକା ଲାଇକ୍ ମିଳିଥିଲା । ଏହା ଟ୍ବିଟର ଇତିହାସରେ ପ୍ରଥମ ବୋଲି କୁହାଯାଉଛି ।

ଏହାର ଜବାବ୍ ଦେବାକୁ ତିଆରି ହୋଇଥିବା ଏକ ଭିଡିଓ ଟେଟଙ୍କୁ ଫସାଇ ଦେଇଥିଲା । ଥର୍ଣ୍ଣବର୍ଗଙ୍କୁ ଜବାବ ଦେବାକୁ ସେ ଏକ ଭିଡିଓ ମେସେଜ ଦେଇଥିଲେ । ଯେଉଥିରେ ଟେଟ ପିଜ୍ଜା ପ୍ୟାକେଟ ନେଉ ଥିବାର ଦେଖାଯାଇଥିଲା । ଏହି ପିଜ୍ଜା ଯୋଗୁ ହିଁ ପୋଲିସ୍ ତାଙ୍କ ନିକଟରେ ପହଞ୍ଚି ଯାଇଥିଲା । ପିଜ୍ଜା ବକ୍ସରୁ ତାଙ୍କ ଲୋକେସନ୍ ବିଷୟରେ ଜଣାପଡ଼ିଯାଇଥିଲା ।

୯ ମାସ ଧରି ଟେଟ ଏବଂ ତାଙ୍କ ଭାଇଙ୍କୁ ପୋଲିସ ଖୋଜୁଥିଲାବେଳେ ଏହି ପିଜ୍ଜା ଯୋଗୁ ତାଙ୍କ ନିକଟରେ ଅତି ସହଜରେ ପହଞ୍ଚି ଯାଇଥିଲା ପୋଲିସ୍ ।

ଟେଟ ଏବଂ ତାଙ୍କ ଭାଇଙ୍କ ଉପରେ ୬ ଜଣଙ୍କ ମହିଳାଙ୍କୁ ଯୌନ ଶୋଷଣ କରିବା ଅଭିଯୋଗ ରହିଛି । ସେ ଏହି ୬ ମହିଳାଙ୍କୁ କାମରେ ରଖି ତାଙ୍କୁ ଅଶ୍ଳୀଳ ଭିଡିଓ ତିଆରି କରିବାକୁ ବାଧ୍ୟ କରିଥିଲେ ।

ଟେଟ ହେଉଛନ୍ତି ଜଣେ ଟିକଟକ୍ ଷ୍ଟାର । ସେ ମହିଳାଙ୍କ ପ୍ରତି ସବୁବେଳେ ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାରେ ଥାଆନ୍ତି । ତାଙ୍କ କହିବା କଥା ହେଲା ମହିଳାମାନେ ସବୁବେଳେ ପୁରୁଷଙ୍କ ତଳେ ରହିବା କଥା । ସେମାନେ ପୁରୁଷଙ୍କ ସମ୍ପତ୍ତି ।