ଦେବସ୍ନାନ ପୂର୍ଣ୍ଣିମାରେ ବିଶୃଙ୍ଖଳା, ସ୍ନାନବେଦୀ ଉପରକୁ ଉଠି ଶ୍ରୀଜିଉଙ୍କ ଅଙ୍ଗ ସ୍ପର୍ଷକଲେ ଅଣ ସେବାୟତ

ପୁରୀ : ମାନିଲେନି ନିୟମ । ପ୍ରଶାସର କଡ଼ା ତାଗିଦ ସତ୍ତ୍ବେ ବିଶୃଙ୍ଖଳା । ସ୍ନାନ ବେଦୀରେ ଶ୍ରୀଜିଉଙ୍କ ଅଙ୍ଗସ୍ପର୍ଷ କଲେ ଅଣସେବାୟତ । ସେବାୟତ ଓ ବୁଦ୍ଧିଜୀବୀଙ୍କ ଅସନ୍ତୋଷ । ଦୃଢ କାର୍ଯ୍ଯାନୁଷ୍ଠାନ ଦାବି । ସ୍ନାନ ପୂର୍ଣ୍ଣିମାରେ ଶ୍ରୀଜିଉଙ୍କ ସ୍ନାନ ଯାତ୍ରା ଓ ହାତୀବେଶ ନୀତି ଶୃଙ୍ଖଳିତ ଭାବେ ସମାପନ ହୋଇଥିଲା । ତେବେ ଗଜାନନ ବେଶ ଓଲାଗି ପରେ ରାତିରେ ଦେଖିବାକୁ ମିଳିଥିଲା ବିଶୃଙ୍ଖଳା । ବହୁ ସଂଖ୍ୟାରେ ସାଧାରଣ ଲୋକ ନିୟମକୁ ଉଲ୍ଲଂଘନ କରି ସ୍ନାନ ବେଦୀ ଉପରକୁ ଯାଇ ଶ୍ରୀବିଗ୍ରହଙ୍କୁ ସ୍ପର୍ଶ କରିଥିବା ନଜରକୁ ଆସିଥିଲା । ଯାହାକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଘଟଣା ନେଇ ପ୍ରଶାସନର ପଦକ୍ଷେପ ସନ୍ଦେହ ପ୍ରକାଶ ପାଇଥିବା ବେଳେ ପୁରୀବାସୀ ଏଥିରେ ମର୍ମାହତ ହୋଇଛନ୍ତି । ତୁରନ୍ତ ତଦନ୍ତ କରି ଦୃଢ କାର୍ଯ୍ଯାନୁଷ୍ଠାନ ନେବାକୁ ଉଠିଛି ଦାବି ।
୨୦୧୪ ପରଠାରୁ ଶ୍ରୀବିଗ୍ରହଙ୍କୁ ସ୍ପର୍ଶ ନକରିବାକୁ କଡ଼ା ନିୟମ ରହିଛି । ଜଗତ ଗୁରୁ ଶଙ୍କରାଚାର୍ଯ୍ୟଙ୍କ ମତକୁ ଗ୍ରହଣ କରି ଏପରି ପଦକ୍ଷେପ ନେଇଥିଲେ ସରକାର । ମାତ୍ର ବିଭିନ୍ନ ସମୟରେ ଏହାକୁ ଉଲ୍ଲଙ୍ଘନ କରାଯାଉଥିବା ଦେଖିବାକୁ ମିଳୁଛି । ଗତ ରଥଯାତ୍ରା ସମୟରେ କିଛି ପ୍ରତିଷ୍ଠିତ ବ୍ୟକ୍ତି ସେବାୟତ ବେଶରେ ରଥ ଉପରକୁ ଚଢ଼ିଥିଲେ । ସ୍ନାନ ବେଦୀ ସମୟରେ ମଧ୍ୟ ବହୁ ବ୍ୟକ୍ତି ଶ୍ରୀବିଗ୍ରହଙ୍କୁ ସ୍ପର୍ଶ କରିଥିବା ଦେଖିବାକୁ ମିଳିଥିଲା । ପ୍ରଶାସନ କୌଣସି ଦୃଷ୍ଟାନ୍ତ ମୂଳକ କାର୍ଯ୍ଯାନୁଷ୍ଠାନ ନେଉ ନଥିବାରୁ ଏପରି ଅବ୍ଯବସ୍ଥା ଦେଖିବାକୁ ମିଳୁଥିବା ବୁଦ୍ଧିଜୀବୀ ଅଭିଯୋଗ କରିଛନ୍ତି । କିଛି ପ୍ରଶାସନିକ ଅଧିକାରୀଙ୍କ ଅପାରଗତା ଯୋଗୁଁ ବାରମ୍ବାର ଏପରି ନିୟମ ଉଲ୍ଲଂଘନ କରାଯାଉଥିବା ଅଭିଯୋଗ ହୋଇଛି ।