ଦିନକ ପରେ ସ୍ନାନଯାତ୍ରା, ସୀମିତ ସେବାୟତରେ ସମ୍ପନ୍ନ ହେବ ଅଲାରନାଥଙ୍କ ନୀତି

ପୁରୀ: ଦିନକ ପରେ ସ୍ନାନଯାତ୍ରା । ଏଥିପାଇଁ ଆଜି ଦଇତାପତି ସେବାୟତମାନେ ଶ୍ରୀମନ୍ଦିରରେ ପ୍ରବେଶ କରିଛନ୍ତି । ଆଜି ଶ୍ରୀଜିଉଙ୍କ ଶ୍ରୀଅଙ୍ଗରେ ବାହୁଟ କଣ୍ଟ ଓ ଆସନ୍ତାକାଲି ସେନାପଟା ଲାଗି କରାଯିବ । ବିନାଭକ୍ତରେ ସ୍ନାନଯାତ୍ରା ପାଇଁ ନିଷ୍ପତ୍ତି ହୋଇଥିବା ବେଳେ ପ୍ରସ୍ତୁତି ଜୋର୍‌ସୋର୍‌ରେ ଚାଲିଛି । ସେପଟେ ବ୍ରହ୍ମଗିରିରେ ଅଲାରନାଥଙ୍କ ସ୍ୱତନ୍ତ୍ର ନୀତି ପାଇଁ ମଧ୍ୟ ପ୍ରସ୍ତୁତି ଆରମ୍ଭ ହୋଇଛି । ତେବେ କେବଳ ନୀତି ହେବ, ସାଧାରଣ ଦର୍ଶନ ହେବନାହିଁ ।

ଗୁରୁବାର ରାତି ଗୋଟାଏରୁ ଚତୁର୍ଦ୍ଧାମୂର୍ତ୍ତିଙ୍କ ପହଣ୍ଡି ଆରମ୍ଭ ହେବ । ଶ୍ରୀଜିଉମାନେ ସ୍ନାନବେଦୀକୁ ବିଜେ କରିବେ । ଏଥିପାଇଁ ଦଇତାପତି ସେବାୟତମାନେ ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଗୁପ୍ତସେବା ଆରମ୍ଭ କରିଛନ୍ତି । ଆଜି ଶ୍ରୀଅଙ୍ଗରେ ବାହୁଟ କଣ୍ଟ ଲାଗି କରାଯାଉଥିବା ବେଳେ କାଲି ସେନାପଟା ଲାଗି ହେବ । ସୀମିତ ସେବାୟତ ଓ ବିନାଭକ୍ତରେ ନୀତି ସମ୍ପନ୍ନ ପାଇଁ ପ୍ରସ୍ତୁତି କରାଯାଇଛି ।

ସେପଟେ ବ୍ରହ୍ମଗିରିରେ ଅଲାରନାଥ ଦେବଙ୍କ ଅଣସର ନୀତି ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । କୋଭିଡ୍‌ କଟକଣା ପାଳନ କରି ଠାକୁରଙ୍କ ସ୍ୱତନ୍ତ୍ର ସମ୍ପନ୍ନ ପାଇଁ ବୈଠକରେ କରାଯାଇଛି ସ୍ୱତନ୍ତ୍ର ପ୍ରସ୍ତୁତି । ୧୪ ଦିନ ଧରି ଅଲାରନାଥଙ୍କର କେବଳ ସ୍ୱତନ୍ତ୍ର ନୀତି କରାଯିବ । ସୀମିତ ସେବାୟତ ନିୟୋଜିତ ହେବେ । କରୋନା କଟକଣା ଯୋଗୁଁ ଦର୍ଶନ ପାଇଁ ଭକ୍ତମାନଙ୍କୁ ସୁଯୋଗ ମିଳିବ ନାହିଁ । ଶୃଙ୍ଖଳିତ ଭାବେ ନୀତି ସମ୍ପନ୍ନ ହେବ ବୋଲି ସେବାୟତ ଓ ପ୍ରଶାସନ ଆଶାବାଦୀ ଅଛନ୍ତି ।

Leave a Reply