ଅପରେସନ ଗରଳରେ ଇଣ୍ଟରନ୍ୟାସନାଲ ଲିଙ୍କ ! ତଦନ୍ତଭାର ନେଇପାରେ କ୍ରାଇମ୍‌ବ୍ରାଞ୍ଚ

Snake Venom

ଭୁବନେଶ୍ୱର: ଅପରେସନ ଗରଳରେ ଇଣ୍ଟରନ୍ୟାସନାଲ ଲିଙ୍କ । ଫରେନସିକ ଲ୍ୟାବରେ ହେବ ବିଷ ଯାଞ୍ଚ । ରାଜ୍ୟରୁ ସାପ ବିଷ ସ୍ମଗଲିଂ ଘଟଣାର ତଦନ୍ତ କରିପାରେ କ୍ରାଇମବ୍ରାଞ୍ଚ । ଏନେଇ ସୁପାରିଶ କରିବ ବନ ବିଭାଗ । ସାପ ବିଷ ସ୍ମଗଲିଂରେ ଇଣ୍ଟରନ୍ୟାସନାଲ ଲିଙ୍କ୍ ଥିବା ସନ୍ଦେହ ପରେ କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ସୁପାରିଶ କରିବ ବନ ବିଭାଗ । ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ଫେରାର ଥିବା ବେଳେ ତାକୁ ଗିରଫ କରିବାକୁ ତନାଘନା କରୁଛି ବନ ବିଭାଗ ।

କେଉଁଠୁ ଆସିଲା ସାପ ବିଷ ? କୋଟି କୋଟି ଟଙ୍କାର ଡିଲ ପଛରେ କାହାର ହାତ ? ଓଡିଶାରୁ କେଉଁଠାକୁ ଯାଉଥିଲା ସାପର ବିଷ ? ଔଷଧ ନା ନିଶା ପାଇଁ ବିକ୍ରି ହେଉଥିଲା ସାପ ବିଷ ? ଏ ସବୁର ଉତ୍ତର ଜାଣିବାକୁ କ୍ରାଇମବ୍ରାଂଚର ସହାୟତା ନେବାକୁ ଯାଉଛି ବନ ବିଭାଗ । ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା ପରେ ସାପ ବିଷ ଗ୍ୟାଙ୍ଗର କିଙ୍ଗପିନକୁ ଧରିବା ପାଇଁ ସ୍ୱତନ୍ତ୍ର ଟିମ୍ ତିଆରି କରିବାକୁ ଯୋଜନା ହେଉଛି । ଏତେ ମାତ୍ରାରେ ବିଷ କେଉଁଠାରୁ ଆସିଲା, କେତେ ଦିନ ଧରି ଏହି ବିଷ ସଂଗ୍ରହ କରାଯାଉଥିଲା । ସେ ସବୁ ଜାଣିବାକୁ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣି ପଚରାଉଚରା କରାଯିବ । ଏଥିସହ ଜବତ ବିଷରେ କେଉଁ କେଉଁ ସାପର ବିଷ ରହିଥିଲା ତାହା ଜାଣିବାକୁ ଡେରାଡୁନସ୍ଥିତ ୱାଇଲ୍ଡ ଲାଇଫ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ, ଜବଲପୁରସ୍ଥିତ ୱାଇଲ୍ଡ ଲାଇଫ କ୍ରାଇମ କଣ୍ଟ୍ରୋଲ ବ୍ୟୁରୋ ଓ ରାଜ୍ୟ ଫରେନସିକ ବିଭାଗକୁ ପଠାଯାଇଛି । ମୁଖ୍ୟ ଅଭିଯୁକ୍ତ ସତ୍ୟ ନାରାୟଣ ଦାସକୁ ଧରିବା ପାଇଁ ବିଫଳ ହେବା ପରେ ତାଙ୍କୁ ଧରିବା ବନ ବିଭାଗ କ୍ରାଇମବ୍ରାଂଚର ସହାୟତା ନେଇପାରେ ବୋଲି ସୂଚନା ମିଳିଛି ।

ଓଡିଶାରେ ଏହା ପ୍ରଥମ ଘଟଣା ନୁହେଁ । ପୂର୍ବରୁ ମଧ୍ୟ ରାଜ୍ୟ ବାହାରୁ କେଳାମାନେ ଆସି ସାପ ଧରିଥିବା ନଜିର ରହିଛି । ହେଲେ ସେମାନେ ସାପର ବିଷ ବିକ୍ରି କରୁଥିବା ନେଇ ପୋଲିସ ପ୍ରଶାସନ ପାଖରେ ସେଭଳି କୌଣସି ସୁଚନା ନାହିଁ । ରାଜ୍ୟରେ ସାପ ଧରିବା ପାଇଁ ବନ ବିଭାଗ ପକ୍ଷରୁ ତାଲିମପ୍ରାପ୍ତ ସାପ ଧରାଳିଙ୍କୁ ଲାଇସେନ୍ସ ଦିଆଯାଇଥାଏ । ହେଲେ ଏବେ ଭଦ୍ରକ, ବାଲେଶ୍ୱର ଭଳି ଅନେକ ଜିଲ୍ଲାରେ ସାପ ଧରୁଥିବା ଲୋକଙ୍କୁ ଦେଖିବାକୁ ମିଳୁଛି । ଏଭଳି ପରିସ୍ଥିତିରେ ସାପ ବିଷ କିଏ କେଉଁଠାକୁ ବିକ୍ରି କରୁଥିଲା ତାହା କହିହେବ ନାହିଁ । ସାପ ବିଷ କିଣିବା ପାଇଁ ରାଜ୍ୟରେ ସେଭଳି କୌଣସି ସଂସ୍ଥା ନ ଥିବା ବେଳେ ଏସବୁ ବିଷ ରାଜ୍ୟ ବାହାରର ନିଶଖୋରଙ୍କୁ ବିକ୍ରି କରିବାକୁ ଚେଷ୍ଟା ହେଉଥିବା ସନ୍ଦେହ କରାଯାଉଛି ।

Leave a Reply