ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନ ବନ୍ଦରରେ ଢ଼ମଣା ସାପ

ଭୁବନେଶ୍ୱର: ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନ ବନ୍ଦରରେ ଢ଼ମଣା ସାପ । ଏୟାର ପୋର୍ଟ ଟର୍ମିନାଲ ୨ର ଏରୋ ବ୍ରିଜ୍‌ର ସିଡ଼ି ତଳେ ଏକ ସାପ ପଶିଯାଇଥିଲା । ଟର୍ମିନାଲ ମ୍ୟାନେଜରଙ୍କଠାରୁ ସୂଚନା ପାଇ ସ୍ନେକ୍‌ ହେଲ୍ପ ଲାଇନ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ ଘଟଣା ସ୍ଥଳରେ ପହଞ୍ଚି ଥିଲେ । ତେବେ ସିଡ଼ି ତଳେ ଥିବା ଗାତ ଭିତରେ ସାପ ଟି ଲୁଚି ରହିଥିଲା । ସାପ  ଗାତ ଭିତରୁ ବାହାର କରିବା ପାଇଁ ପ୍ରଥମେ ପାଣି, ତା ପରେ ଡିଜେଲ ପକା ଯାଇଥିଲା । ଶେଷରେ ଜଣେ କର୍ମଚାରୀ ଟର୍ପେଣ୍ଟାଇନ୍‌ ତେଲ ପକେଇବା ପରେ ସାପଟି ଗାତ ବାହାରକୁ ବାହାରି ଆସିଥିଲା ।

ଏହାପରେ ଶୁଭେନ୍ଦୁ ୫ ଫୁଟ ଲମ୍ବାର ଢ଼ମଣା ସାପଟିକୁ ଉଦ୍ଧାର କରି ବ୍ୟାଗ୍‌ରେ ପୁରେଇ ବାହାରକୁ ଆଣିଥିଲେ । ସାପଟିକୁ ସହର ବାହାରେ ତାର ପ୍ରାକୃତିକ ଆବାସସ୍ଥଳୀରେ ଛାଡ଼ି ଦିଆଯାଇଛି । ବର୍ଷା ଦିନ ହେତୁ ଏୟାରପୋର୍ଟ ଭିତରେ ଘାସ ଆକାର ବଢ଼ି ଯାଇଥିବାରୁ ସାପ ମାନଙ୍କର ଗତିବିଧି ମଧ୍ୟ ବଢିଯାଇଛି ବୋଲି କର୍ମଚାରୀ ମାନେ ଆଶଙ୍କା କରୁଛନ୍ତି ।

ତେବେ ବିମାନବନ୍ଦରରୁ ସାପ ବାହାରିବା ଘଟଣା ନୂଆ ନୁହେଁ । ଏମିତିକି ରନ୍‌ ଓ୍ୱେରେ ନାଗ ସାପ ଥିବାରୁ ବିମାନକୁ ୭ ମିନିଟ୍ ପର୍ଯ୍ୟନ୍ତ ଅଟକି ରହିବାକୁ ପଡ଼ିଥିଲା । ପାର୍କିଂ କରିବାକୁ ଆସୁଥିବା ବିମାନ ସାପ ପାଇଁ ରନୱେରେ ଅଟକିଲା । ଦିଲ୍ଲୀରୁ ଆସୁଥିବା ଭିସ୍ତାରା ଏୟାରଲାଇନ୍ସର ବିମାନ ଅବତରଣ କରୁଥିବା ବେଳେ ଏଭଳି ଘଟଣା ଘଟିଥିଲା ।

Leave a Reply