ରାତି ଅଧରେ ପଞ୍ଜୁରୀ ଭିତରେ ଫସିଲା ନାଗ, ଚଢେଇ ଓ ଅଣ୍ଡା ଖାଇବା ପରେ ଏମିତି ହେଲା ହାଲ

ଭୁବନେଶ୍ୱର: ପଞ୍ଜୁରୀ ଭିତରୁ ସାଢେ ୩ ଫୁଟ ଲମ୍ବର ନାଗସାପ ଉଦ୍ଧାର । କଟକ ଜିଲ୍ଲା ବାଙ୍କୀ ରଗଡି ଗାଁର ସତ୍ୟ ରଞ୍ଜନ ମହାପାତ୍ରଙ୍କ ଘରୁ ନାଗସାପ ଉଦ୍ଧାର କରାଯାଇଛି । ଗତକାଲି ରାତିରେ ପୋଷା ଚଢେଇଙ୍କ ବିକଳ ଶବ୍ଦ ଶୁଣି ପଞ୍ଜୁରୀ ଭିତରେ ଏକ ନାଗସାପ ଦେଖିବାକୁ ପାଇଥିଲେ ରଞ୍ଜନ । ସ୍ନେକ ହେଲ୍ପ ଲାଇନ ସହ ଯୋଗାଯୋଗ କରାଯାଇଥିଲା । ସ୍ନେକ ହେଲ୍ପ ଲାଇନର ସଂଯୋଜକ ଲଳିତ ମୋହନ ପଣ୍ଡା ଓ ସଦସ୍ୟ ଦୁର୍ଗା ମାଧବ ମହାପାତ୍ର ପହଞ୍ଚି ସାପଟିକୁ ଉଦ୍ଧାର କରିଛନ୍ତି ।

ନାଗଟି ତିନିଟି ଚଢେଇ ଓ ଅଣ୍ଡା ଖାଇବା ପରେ ବାନ୍ତି କରିଦେଇଥିଲା । ସ୍ନେକ ହେଲ୍ପ ଲାଇନ ସଦସ୍ୟମାନେ ହୁକ୍‌ ଦ୍ୱାରା ସାପଟିକୁ ବାହାରକୁ ଟାଣିବା ପାଇଁ ଚେଷ୍ଟା କଲା ବେଳେ ନାଗସାପଟିର ମୁଣ୍ଡକୁ ଚଢେଇମାନେ ଥଣ୍ଟ ଦ୍ୱାରା ଖୁମ୍ପି ପକାଉଥିଲେ। ଯାହା ଫଳରେ ସାପଟି ଆଉ ବାହାରି ନଥିଲା । ସ୍ନେକ ହେଲ୍ପ ଲାଇନ ସଦସ୍ୟ ଦୁର୍ଗାମାଧବ ସତର୍କତା ସହିତ ପଞ୍ଜୁରୀ ଭିତରେ ହାତ ଭର୍ତ୍ତି କରି ଚଢେଇଙ୍କୁ ସ୍ଥାନାନ୍ତର କରିଥିଲେ ।

ଏହାପରେ ସାପଟି ଆପେ ଆପେ ବାହାରି ଆସିଥିଲା । ତାକୁ ଗାଁଠାରୁ ଦୂର ପ୍ରାକୃତିକ ଆବାସ ସ୍ଥଳୀରେ ଛାଡି ଦିଆଯାଇଛି । ପଞ୍ଜୁରୀ ତଳ ଭାଗରେ କଳଙ୍କି ଲାଗି ସୃଷ୍ଟି ହେଇଥିବା ଫାଙ୍କ ଦେଇ ନାଗସାପଟି ଭିତରେ ପଶିଥିଲା ବୋଲି ଅନୁମାନ କରାଯାଉଛି ।

(ଅରୁଣ କୁମାର ସାହୁ)

Leave a Reply