ରତ୍ନଭଣ୍ଡାର ଖୋଲିବା ବେଳେ ରହିବେ ସାପ ଧରାଳି, ସିଂହଦ୍ବାର ବ୍ୟତୀତ ବନ୍ଦ ରହିବ ଅନ୍ୟ ତିନି ଦ୍ବାର

ପୁରୀ: ଆଜ୍ଞାମାଳ ଆସିବା ପରେ ଆରମ୍ଭ ହୋଇଯାଇଛି ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲାଯିବା ପ୍ରକ୍ରିୟା । ଏପଟେ ରତ୍ନଭଣ୍ଡାର ତଦାରଖ କମିଟିର ବୈଠକ ଚାଲିଛି । ତଦାରଖ କମିଟି ଅଧ୍ୟକ୍ଷ ବିଶ୍ବାନାଥ ରଥଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିବା ବେଳେ ରତ୍ନଭଣ୍ଡାର ଖୋଲାଯିବା ନେଇ ଚୂଡ଼ାନ୍ତ ଆଲୋଚନା ହେଉଛି । ସେପଟେ ରତ୍ନଭଣ୍ଡାର ଖୋଲିବା ପୂର୍ବରୁ ଶ୍ରୀମନ୍ଦିରରେ ସ୍ନେକ ହେଲ୍ପ ଲାଇନ୍ ସଦସ୍ୟଙ୍କୁ ଦେଖିବାକୁ ମିଳିଛି । ଏହାସହ ଭଣ୍ଡାର ଖୋଲାଯିବା ବେଳେ ସିଂହଦ୍ବାରା ବ୍ୟତୀତ ଅନ୍ର ତିନି ଦ୍ବାରା ବନ୍ଦ ରହିବ ବୋଲି ଜଣାପଡିଛି ।

ରତ୍ନଭଣ୍ଡାର ଖୋଲାଯିବା ବେଳେ ସ୍ନେକ ହେଲ୍ପ ଲାଇନ୍ ସଦସ୍ୟ ଘଟଣା ସ୍ଥଳରେ ଉପସ୍ଥିତ ରହିବେ । କାରଣ ଦୀର୍ଘ ବର୍ଷ ହେଲା ରତ୍ନଭଣ୍ଡାର ଖୋଲା ଯାଇ ନଥିବାରୁ ସେଥିରେ ସାପଙ୍କ ବାସ୍ ଥିବା ଆଶଙ୍କା କରାଯାଉଛି । ସେଥିପାଇଁ ସୁରକ୍ଷା ଦୃଷ୍ଟିରୁ ସେ୍ନକ ହେଲ୍ପ ଲାଇନ୍ ସଦସ୍ୟଙ୍କୁ ନିୟୋଜିତ କରାଯାଇଛି । ସ୍ନେକ ହେଲ୍ପ ଲାଇନର ସଦସ୍ୟମାନେ ଶ୍ରୀମନ୍ଦିରରେ ପହଞ୍ଚି ମହାପ୍ରଭୁଙ୍କୁ ମୁଣ୍ଡିଆ ମାରିବା ସହ ଯାହା ଦାୟିତ୍ବ ମିଳିବ ସୂଚାରୁରୂପ ସମ୍ପାଦନ କରିବେ ବୋଲି କହିଛନ୍ତି ।

ସେହିପରି ରତ୍ନଭଣ୍ଡାର ତଦାରଖ କରାଯିବା ସମୟରେ ସାମୟିକ ଭାବେ କଟକଣା ରହିବ । ସିଂହଦ୍ବାର ଛାଡି ବାକି ୩ ଦ୍ବାର ବନ୍ଦ ରହିବ । ଯେଉଁମାନେ ଅଧିକୃତ ସେବା ପୂଜାରେ ନିୟୋଜିତ ଅଛନ୍ତି, ସେମାନେ ସେବା କରିପାରିବେ । ଏହାସହ ଯେଉଁମାନେ ଚିଠା ଅନୁସାରେ ମନ୍ଦିରକୁ ପ୍ରବେଶ କରିବେ, ସେମାନଙ୍କୁ ଯାଞ୍ଚ କରିବେ ଏସପି ଓ ପୋଲିସ ।

ଏପଟେ ଯାଞ୍ଚ କମିଟି ଅଧ୍ୟକ୍ଷ ବିଶ୍ବନାଥ ରଥ କହିଛନ୍ତି, ଆଖି ଦେଖିବ ମୁଣ୍ଡକୁ ଯିବ, ତୁଣ୍ଡକୁ ଆସିବନି କି ହାତକୁ ଆସିବନି । ରତ୍ନଭଣ୍ଡାର ଖୋଲାଯିବା ପରେ ସବୁ ପର୍ଯ୍ୟାୟ କ୍ରମାଗତ ଭାବେ କରାଯିବ । ରତ୍ନଭଣ୍ଡାର ଭିତରକୁ ଯିବାଠୁ ଗଣତି ପର୍ଯ୍ୟନ୍ତ ସବୁ କାର୍ଯ୍ୟ ସତର୍କତାର ସହ କରାଯିବ । ଏହାକୁ ମହାପ୍ରଭୁଙ୍କ ସ୍ବତନ୍ତ୍ର ନୀତି ଭାବେ ପରିଗଣିତ କରାଯିବ । ଅତି ନିଖୁଣ ଭାବେ ଅଳଙ୍କାରର ଗଣତି କରାଯିବ । ଗଣତି ମଣତି ପ୍ରକ୍ରିୟାରେ ସମ୍ପୂର୍ଣ୍ଣ ସ୍ବଚ୍ଛତା ରହିବ । ଗଣତି କାର୍ଯ୍ୟରେ ରିଜର୍ଭ ବ୍ଯାଙ୍କ ଅଫ ଇଣ୍ଡିଆର ପ୍ରତିନିଧି ରହିବେ । ପକ୍ରିୟାର ସୁପରିଚାଳନା ପାଇଁ ଶ୍ରୀମନ୍ଦିର ମୁଖ୍ଯ ପ୍ରଶାସକଙ୍କୁ ଦାୟିତ୍ବ ପ୍ରଦାନ କରାଯାଇଛି । ପ୍ରଭୁଙ୍କର ପ୍ରତିଟି ଅଳଙ୍କାରର ସଂଖ୍ଯା, ଓଜନ ଓ ମାନର ଡିଜିଟାଲ ଲାଇବ୍ରେରୀ ହେବ । ଆଗାମୀ ଦିନ ପାଇଁ ଏକ ଡିଜିଟାଲ ଡକ୍ଯୁମେଣ୍ଟ ପ୍ରସ୍ତୁତ କରାଯିବ । ଫଳରେ ଆଗାମୀ ଦିନରେ ରତ୍ନଭଣ୍ଡାର ଗଣତି ସମୟରେ ଏହା ସହାୟକ ହେବ । ଏସଓପି ବାବଦରେ ଶ୍ରୀମନ୍ଦିର ପ୍ରଶାସନକୁ ସ୍ପଷ୍ଟ ଚିତ୍ର ଦିଆଯାଇଛି । ବିଶେଷ ବିଶେଷଜ୍ଞ ଟିମ୍ ରତ୍ନଭଣ୍ଡାର ଭିତରକୁ ଯିବେ । କେଉଁ କାମ ପାଇଁ କେଉଁ ଟିମ୍ ଯିବ ଧାର୍ଯ୍ୟ ହୋଇଛି । ସେହି ଆଧାରରେ ସେମାନଙ୍କୁ ଏସଓପି ପ୍ରଦାନ କରାଯାଇଛି ।