ସାବଧାନ ! ବର୍ଷା ବଢ଼ିବା ସହ ବଢୁଛି ସାପ କାମୁଡ଼ା

1 min read

ଭୁବନେଶ୍ବର: ଘର ପାଖରେ ଜମିଛି କି ବର୍ଷା ପାଣି ? ବନ୍ୟା ଘେରରେ ଅଛନ୍ତି କି ? ସାବଧାନ ହୋଇଯାଆନ୍ତୁ ।  ପାଣିରେ ଥାଇ ପାରନ୍ତି ବିଷଧର ସାପ । ଯେକୌଣସି ମୁହୂର୍ତ୍ତରେ ବି ମାରିପାରେ ଚୋଟ । ସାପ କାମୁଡ଼ିଲେ ରୋଗୀଙ୍କୁ ସଙ୍ଗେ ସଙ୍ଗେ ହସ୍ପିଟାଲ ନିଅନ୍ତୁ । ସାପର ପ୍ରଜାତି ଅନୁସାରେ ଆଣ୍ଟି ସ୍ନେକ ଭେନମ ଟିକା ଦିଆଯିବ । ପର୍ଯ୍ୟାପ୍ତ ପରିମାଣରେ ଏହି ଟିକା ସମସ୍ତ ହସ୍ପିଟାଲକୁ ପଠାଇବାକୁ ଔଷଧ ନିଗମକୁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ସମୀକ୍ଷା କରିବେ ସିଡିଏମଓ । ଏଥିସହ ବନ୍ୟା ଅଞ୍ଚଳରେ ଥଣ୍ଡାଜ୍ବର, ହଇଜା, ଝାଡ଼ାବାନ୍ତି ପରି ରୋଗ ପାଇଁ ହସ୍ପିଟାଲରେ ଔଷଧ ମହଜୁଦ ରହିଛି କି ନାହିଁ, ସେ ନେଇ ଅନୁଧ୍ୟାନ କରିବେ । କେନ୍ଦ୍ରାପଡ଼ା, ପୁରୀ, ଜଗତସିଂହପୁର, ବାଲେଶ୍ବର ପରି ଉପକୂଳ ଜିଲ୍ଲାକୁ ଫୋକସ କରାଯାଇଛି ।

ସବୁ ହସ୍ପିଟାଲରେ ଆଣ୍ଟି ସ୍ନେକ ଭେନମ ମହଜୁଦ୍ ରଖିବାକୁ ପ୍ରୟାସ ଆରମ୍ଭ ହୋଇଛି । ଏପରିକି ଅନେକ ହସ୍ପିଟାଲରେ ପର୍ଯ୍ୟାପ୍ତ ପରିମାଣର ଆଣ୍ଟି ସ୍ନେକ ଭେନମ ଟିକା ମହଜୁଦ୍ ଥିବା ରିପୋର୍ଟ ରହିଛି । ଏଥିସହ ଅନ୍ୟ ରୋଗ ପାଇଁ ଔଷଧ ମଧ୍ୟ ପଠାଯାଉଛି । ହଇଜା ପାଇଁ ସ୍ବତନ୍ତ୍ର ଓ୍ବାର୍ଡ ଖୋଲାଯାଇଛି ।

ଗତ ୭ ବର୍ଷ ଭିତରେ ରାଜ୍ୟରେ ୫ ହଜାର ୯୬୪ ଜଣ ସାପ କାମୁଡ଼ାରେ ପ୍ରାଣ ହରାଇଛନ୍ତି । ୨୦୧୫-୧୬ରେ ୫୨୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦୨୦-୨୧ରେ ଏହି ସଂଖ୍ୟା ଦୁଇଗୁଣା ହୋଇ ୧୧ ଶହ ୭ରେ ପହଞ୍ଚିଛି । ୨୦୧୮ରୁ ଲଗାତର ତିନି ବର୍ଷ ଯାଏଁ ସାପ କାମୁଡ଼ା ମୃତ୍ୟୁ ହଜାର ପାର କରିଛି । ୨୦୧୫ରେ ଦେଶର ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ସାପ କାମୁଡ଼ାକୁ ଷ୍ଟେଟ୍ ସ୍ପେସିଫିକ୍ ଡିଜାଷ୍ଟର ଘୋଷଣା କରିଥିଲା ।