ବଜ୍ରକାପ୍ତା ଚୋରା ଚାଲାଣର ପର୍ଦ୍ଦାଫାସ୍ କଲା ନନ୍ଦିଘୋଷ ଟିଭି; ଜାଣନ୍ତୁ କେମିତି ହେଉଛି ଡିଲ୍…

1 min read

ଢେଙ୍କାନାଳ: ନିୟମିତ ବ୍ୟବଧାନରେ ବଜ୍ରକାପ୍ତା ଚୋରା ଚାଲାଣ ଖବର ଶୁଣିବାକୁ ମିଳୁଛି । ବିଶେଷକରି ଢେଙ୍କାନାଳର ବିଭିନ ଜଙ୍ଗଲରୁ ବଜ୍ରକାପ୍ତା ରାକେଟ ମାଧ୍ୟମରେ ଚୋରା ଚାଲାଣ ହେଉଛି । ଢେଙ୍କାନାଳ କପିଳାସ ଅଭୟାରଣ୍ୟରୁ ବେଧଡକ ଚାଲିଛି ବଜ୍ରକାପ୍ତା ଚୋରା ଚାଲାଣ। କୋଲକାତା, ଖୋର୍ଦ୍ଧା, ପୁରୀ ଆଦି ଅଞ୍ଚଳରୁ ଶିକାରୀ ଓ ବେପାରୀ କପିଳାସ ଅଭୟାରଣ୍ୟର ସୋରିଷିଆପଦା ଜଙ୍ଗଲରେ କ୍ରମାଗତ ଭାବେ ବଜରକାପ୍ତା ଧରୁଛନ୍ତି  । ଏସବୁ ସ୍ଥାନୀୟ ଲୋକଙ୍କ ସହଯୋଗରେ ଚାଲିଛି । କୋଡୱାର୍ଡରେ ଚାଲିଛି ବେପାର  । ଏନେଇ ଏକ ଷ୍ଟିଙ୍ଗ ଅପରେସନ କରିଛି ନନ୍ଦିଘୋଷ ଟିଭି  ।

ଖାତା ଉପରେ ରଖା ଯାଇଛି ୧୦ ଟଙ୍କିଆ ନୋଟ। ଆଉ ତାରିଖ ରହିଛି ୧୬,୧୧,୨୦୨୦ । ଆଉ କୋଡ ୱାର୍ଡ ହେଲା ଏହି ନୋଟର ସିରିଏଲ ନମ୍ବର 75 R 566057 । ପରେ ବଜ୍ରକାପ୍ତାକୁ ଓଜନ କରାଯାଉଛି । ଯାହାର ଓଜନ ୧୫ କିଲୋ ୭୦୦ ଗ୍ରାମ ହୋଇଥିବାବେଳେ ବଜାର ମୂଲ୍ୟ ୪୫ ଲକ୍ଷ ଟଙ୍କା । ସେହିଭଳି ଅନେକ ନୂଆ ନୂଆ ପଦ୍ଧତି ବ୍ୟବହାର କରି ଏହି କଳାବେପାର କରାଯାଉଛି । ବଜ୍ରକାପ୍ତା କାତିର ମୂଲ୍ୟ ମଧ୍ୟ ଢେର ଅଧିକ । ୪ ଇଞ୍ଜ୍ ଉପରକୁ ଥିବା କାତିର ଦାମ ପାଖାପାଖି ୨୫ରୁ ୩୦ ହଜାର ଦରରେ ବେପାର ହେଉଛି । କାତି ଉପରେ ଆଲୋକ ପକାଇ କିମ୍ୱା ପାଣିରେ ବୁଡ଼ାଇ ରଖି ଏହାର ମାନ ପରୀକ୍ଷା ହେଉଛି ।

ଆଲୋକରେ ହଳଦିଆ ରଙ୍ଗ ଦେଖାଗଲେ କିମ୍ୱା ପାଣି ଭିତରେ କାତି ଥାଇ ପାଣି ଫୋଟକା ଆସିଲେ ଏହା ଅସଲି ବୋଲି ମାନପତ୍ର ମିଳିଯାଉଛି । ସେହିଭଳି ବଜ୍ରକାପ୍ତା ଶରୀରରେ କରେଣ୍ଟ ପାସ କରାଇ ଏହାର ମାନକୁ ପରୀକ୍ଷା କରାଯାଉଥିବାର ମଧ୍ୟ ଦେଖିବାକୁ ମିଳିଛି । ପ୍ରାଣୀ ବିଶେଷଜ୍ଞଙ୍କ କହିବା କଥା ଯେ ବଜ୍ରପାତ ସମୟରେ କରେଣ୍ଟ ଏହି ଜନ୍ତୁର ଶରୀରରେ ରହିଯାଇଥାଏ । ଯାହା ଏକପ୍ରକାର ଏନର୍ଜି ସଂରକ୍ଷଣ କରିବାରେ ସହାୟକ ହୁଏ । ଯେଉଁ ଜନ୍ତୁର କାତିରେ ଯେତେ ଏନର୍ଜି ତାକୁ ସେତେ ଅଧିକା ଦାମରେ ବିକ୍ରି କରାଯାଏ । ଏଭଳି କଳାବଜାରୀ ଏବେ ଢେଙ୍କାନାଳ ସହରେ ନିତିଦିନିଆ କଥା ହୋଇଗଲାଣି ।

 

ତେବେ ଏହି ରାକେଟକୁ ଧରିବା ପାଇଁ ନନ୍ଦିଘୋଷ ଟିମ୍ ଏକ ଜାଲ ବିଛାଇଥିଲା । ମାଲ୍ କେଉଁଠାରୁ ଆସୁଛି, କେଉଁଠି ପରୀକ୍ଷା ହେଉଛି, କେଉଁଠି ରହୁଛି ଓ ଦରଦାମ କେତେ ରହୁଛି ସେନେଇ ଆମେ ପୁରା ତନାଘନା କରିଥିଲୁ । ଦୁଇ ବେପାରଙ୍କ ସହ ମଧ୍ୟ ଫୋନ୍ ଯୋଗେ କଥାବାର୍ତ୍ତା ହୋଇଥିଲା । ଉଲ୍ଲେଖଯୋଗ୍ୟ ଯେ ବନଖଣ୍ଡ ଅଧିକାରୀ ସବୁ ଘଟଣା ଉପରେ ତୀକ୍ଷ୍ଣ ଦୃଷ୍ଟି ରଖିଥିବା କଥା ସ୍ୱୀକାର କରିଛନ୍ତି । ସେ କହିଛନ୍ତି ଯେ, କଳାବଜାରୀ ହେଉଛି ଏକଥା ସତ । ମାତ୍ର ଆମେ ଏସବୁ ରୋକିବା ପାଇଁ ସବୁ ପ୍ରକାର ପ୍ରୟାସ କରୁଛୁ ଓ ଆଗାମୀ ଦିନରେ ଏହାର ମୂଳତ୍ପୋଟନ ପାଇଁ ପ୍ରସ୍ତୁତ ହେଉଛୁ ।

ଖବର ପ୍ରସାରଣର ୩ ଘଣ୍ଟାରେ ବନ ବିଭାଗର କାର୍ଯ୍ୟନୁଷ୍ଠାନ । ବଜ୍ରକାପ୍ତା ଚୋରଙ୍କ ଠିକଣା ପାଇଲା ବନ ବିଭାଗ । ନନ୍ଦିଘୋଷ ଟିଭି ଖବରର ସତ୍ୟତା ସମ୍ପୂର୍ଣ ଠିକ । ଖୁବ ଶୀଘ୍ର ଧରା ପଡିବେ ବଜ୍ରକାପ୍ତା ରାକେଟ । ଏନେଇ ନନ୍ଦିଘୋଷ ଟିଭିକୁ ସୂଚନା ଦେଇଛନ୍ତି ଢେଙ୍କାନାଳ ଡିଏଫଓ । ୨ ବଜ୍ରକାପ୍ତା ରାକେଟକୁ ଧରି ପଚରା ଉଚରା କରୁଛି ବନ ବିଭାଗ । ଏହାସହ ନନ୍ଦିଘୋଷ ଟିମର ଏପରି ଖବର ପ୍ରସାରଣକୁ ଧନ୍ୟବାଦ ଦେଇଛନ୍ତି ଢେ଼ଙ୍କାନାଳ ଡିଏଫଓ ପ୍ରକାଶ ଚାନ୍ଦ ଗୁଗନାନୀ । ଖୁବ୍ ଶୀଘ୍ର ଏହାର ସମ୍ପୂର୍ଣ ପର୍ଦ୍ଦାଫାସ ହେବ ବୋଲି କହିଛନ୍ତି ଡିଏଫଓ ।

Leave a Reply