ମହିଳା ବିଶ୍ୱକପ: ଚମକିଲେ ସ୍ମୃତି ଓ ହରମନପ୍ରୀତ, ଓ୍ୱେଷ୍ଟଇଣ୍ଡିଜକୁ ଦେଲେ ୩୧୮ ରନର ବିଜୟ ଲକ୍ଷ୍ୟ

1 min read

ହାମିଲଟନ: ମହିଳା ବିଶ୍ୱକପରେ ଇତିହାସ ରଚିଲା ଭାରତ । ଓ୍ୱେଷ୍ଟଇଣ୍ଡିଜ ବିପକ୍ଷରେ ଖେଳାଯାଇଥିବା ମ୍ୟାଚରେ ଭାରତର ଦୁଇ ଜଣ ବ୍ୟାଟ୍ସମ୍ୟାନ ଶତକ ହାସଲ କରିଛନ୍ତି । ସ୍ମୃତି ମାନ୍ଧାନାଙ୍କ ବ୍ୟତୀତ ହରମନପ୍ରୀତ କୈର ଏହି ମ୍ୟାଚରେ ଶତକ ଲଗାଇଛନ୍ତି । ମହିଳା ବିଶ୍ୱକପ ଆରମ୍ଭ ପୂର୍ବରୁ ଏହି ଦୁଇ ଖେଳାଳିଙ୍କ ଫର୍ମକୁ ନେଇ ବେଶ୍ ଟାର୍ଗେଟରେ ଥିଲେ । କିନ୍ତୁ ଆଜି ଏହି ଦୁଇ ଖେଳାଳି ଦମଦାର ଶତକ ହାସଲ କରି ସମାଲୋଚକଙ୍କୁ ମୁହଁତୋଡ ଜବାବ ଦେଇଛନ୍ତି ।

ଆଜି ମହିଳା ବିଶ୍ୱକପରେ ତୃତୀୟ ମ୍ୟାଚରେ ଓ୍ୱେଷ୍ଟଇଣ୍ଡିଜକୁ ଭେଟିଥିଲା ଟିମ୍ ଇଣ୍ଡିଆ । ଏହି ମ୍ୟାଚରେ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଟିମ୍ ଇଣ୍ଡିଆ । ଆରମ୍ଭ ଭାରତର ଦୁଇ ଓପନର ୟସିକା ଭାଟିଆ ଓ ସ୍ମୃତି ମାନ୍ଧାନା ଦମଦାର ପ୍ରଦର୍ଶନ କରିଥିଲେ । ପ୍ରଥମ ଓ୍ୱିକେଟ ପାଇଁ ଏହି ଦୁଇ ବ୍ୟାଟ୍ସମ୍ୟାନ ୪୯ ରନର ପାର୍ଟନରସିପ୍ କରିଥିଲେ । ଏହା ପରେ ୟସିକା ଭାଟିଆଙ୍କ ଆଉଟ ହେବା ପରେ ଅଧିନାୟକ ମିତାଲି ରାଜ୍ ଓ ଦିପ୍ତି ଶର୍ମା ଶୀଘ୍ର ଆଉଟ ହୋଇ ପ୍ୟାଭିଲିୟନ ଫେରିଥିଲେ । ୭୮ ରନରେ ତିନୋଟି ଓ୍ୱିକେଟ ଯିବା ପରେ ପାରି ସମ୍ଭାଳିଥିଲେ ଉପ-ଅଧିନାୟକ ହରମନପ୍ରୀତ କୌର ।

ସ୍ମୃତି ମନ୍ଧାନା ଏହି ମ୍ୟାଚରେ ଦମଦାର ଶତକ ହାସଲ କରିଥିଲେ । ସେ ୧୧୯ ବଲରୁ ୧୨୩ ରନର ଦମଦାର ଇନିଂସ ଖେଳିଥିଲେ । ସ୍ମୃତିଙ୍କ ଦମଦାର ଶତକ ପରେ ହରମନପ୍ରୀତ ମଧ୍ୟ ଧୁଆଁଧାର ଶତକ ହାସଲ କରିଥିଲେ । ହରମନପ୍ରୀତ କୌର ୧୦୭ ବଲରୁ ୧୦୯ ରନର ଧୁଆଁଧାର ପାଳି ଖେଳିଥିଲେ । ଉଭୟ ବ୍ୟାଟ୍ସମ୍ୟାନଙ୍କ ଶତକ ଫଳରେ ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୮ ଓ୍ୱିକେଟ ହରାଇ ୩୧୭ ରନର କରିଛି । ଯାହା ଫଳରେ ଏହି ମ୍ୟାଚରେ ଓ୍ୱେଷ୍ଟଇଣ୍ଡିଜ୍ ଆଗରେ ୩୧୮ ରନର ବଡ଼ ସ୍କୋର ରଖିଛି ।