ଗୋଟିଏ ଚାପୁଡା ପାଇଁ ୧୦ ବର୍ଷ ବ୍ୟାନ୍

 ଲସ୍‌ ଆଞ୍ଜେଲ୍ସ:  ଓସ୍କାର ସେରମନି ସମୟରେ ହଲିଉଡ ଅଭିନେତା ଓ୍ୱିଲ ସ୍ମିଥଙ୍କୁ କମେଡିଆନ୍‌ କ୍ରିସ୍‌ ରକଙ୍କୁ ଚାପୁଡ଼ା ମାରିବା ମହଙ୍ଗା ପଡ଼ିଛି । ‘ଏମାଡେମି ମୋଶନ ଅଫ୍‌ ପିକଚର ଆର୍ଟସ ଆଣ୍ଡ୍‌ ସାଇନ୍ସେଜ’ (ଓସ୍କାର) ଓ୍ୱିଲ ସ୍ମିଥଙ୍କ ଉପରେ ଶୁକ୍ରବାର ପ୍ରତିବନ୍ଧକ ଲଗାଇଛନ୍ତି । ଏହି ନିଷ୍ପତ୍ତି ପରେ ଓ୍ୱିଲ ଆଗାମୀ ୧୦ ବର୍ଷ ପର୍ଯ୍ୟନ୍ତ ଓସ୍କାରର କୌଣସି ମଧ୍ୟ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିପାରିବେ ନାହିଁ ।

ଏକାଡେମିର ଅଧ୍ୟକ୍ଷ ଡେଭିଡ ରୁବିନ୍‌ କହିଛନ୍ତିଯେ, ଚଳିତ ବର୍ଷ ଓସ୍କାର ସେରମନି ସମୟରେ  ମଞ୍ଚ ଉପରେ କ୍ରିସ୍‌ ରକଙ୍କୁ ଚାପୁଡ଼ା ମାରିଥିବା କାରଣରୁ ଏଭଳି ନିଷ୍ପତ୍ତି ନିଆଯାଇଛି । ବୋର୍ଡ଼ ଅଫ୍‌ ଗଭର୍ଣ୍ଣର୍ସ ମଧ୍ୟ ଏହି ନିଷ୍ପତ୍ତିକୁ ସହମତି ଜଣାଇଛନ୍ତି ।  ଡେଭିଡ ଏହା ମଧ୍ୟ କହିଛନ୍ତିଯେ,  ସେହି ଘଟଣା ପରେ ଓ୍ୱିଲଙ୍କୁ ହଲିଉଡର ଡଲ୍ବି ଥିଏଟରରେ ବସିବାକୁ ଅନୁମତି ଦିଆଗଲା ଏବଂ ତାଙ୍କୁ ପୁରସ୍କାର ମଧ୍ୟ ଦିଆଗଲା, ଯାହାପରେ ଏକାଡେମିରେ ଆଲୋଚନା ଜୋର ଧରିଥିଲା ।

କାହିଁକି ରାଗିଥିଲେ ଓ୍ୱିଲ ସ୍ମିଥ୍‌ ?

୨୭ ମାର୍ଚ୍ଚ ଲସ୍‌ ଆଞ୍ଜେଲ୍ସର ଡଲ୍ବି ଥିଏଟରରେ ୯୪ ତମ ଓସ୍କାର ଆଓ୍ୱାର୍ଡ଼ ସେରମନି ଆୟୋଜିତ ହୋଇଥିଲା ।  ଏହି ସମୟରେ କମେଡିଆନ୍‌ କ୍ରିସ୍‌ ରକ୍‌ ଅଭିନେତା ଓ୍ୱିଲ ସ୍ମିଥଙ୍କ ପ

ତ୍ନୀ ଜେଡା ପିଙ୍କେଟଙ୍କ ରୋଗକୁ ନେଇ ମଜାକ୍‌ କରିଥିଲେ । ଯାହା ଓ୍ୱିଲଙ୍କ ପସନ୍ଦ ଆସିନଥିଲା । ହଠାତ୍‌ ସେ ନିଜ ସ୍ଥାନରୁ ଉଠିଆସି ମଞ୍ଚ ଉପରକୁ ଯାଇ କ୍ରିସଙ୍କୁ ଜୋରରେ ଏକ ଚାପୁଡ଼ା ମାରିଥିଲେ ।

ସୂଚନାଯୋଗ୍ୟ ଓ୍ୱିଲଙ୍କ ପତ୍ନୀଙ୍କ ଲାଣ୍ଡି ହେବାକୁ ନେଇ ମଜାକ୍‌ ଉଡ଼ାଇଥିଲେ ରକ୍‌ । ପିଙ୍କେଟ ଏକ ରୋଗ କାରଣରୁ ଲାଣ୍ଡି ହୋଇଥିଲେ । ତେବେ କମେଡିଆନଙ୍କୁ ଚାପୁଡ଼ା ମାରିବା ପରେ ଓ୍ୱିଲ ସ୍ମିଥ୍‌ ୨୯ ମାର୍ଚ୍ଚରେ ଏମାଡେମି ଅଫ୍‌ ମୋଶନ ପିକଚରରୁ ଇସ୍ତଫା ଦେଇ ଦେଇଥିଲେ ।  ତେବେ ମଞ୍ଚ ଉପରେ  ଘଟିଥିବା ଘଟଣାକୁ ନେଇ ଲଜ୍ଜିତ ବୋଲି ମଧ୍ୟ କହିଥିଲେ । ବୋର୍ଡ଼ ଯାହା ନିଷ୍ପତ୍ତି ନେବ ତାହାକୁ ଗ୍ରହଣ କରିବି ବୋଲି ସେ କହିଥିଲେ ।