ଓଡ଼ିଶାରେ ବିଦ୍ୟୁତ ଉପଭୋକ୍ତାଙ୍କୁ ଶୋଷଣ, ଜାତୀୟସ୍ତର ତୁଳନାରେ ଓଡ଼ିଶାବାସୀ ଦେଉଛନ୍ତି ଅଧିକ ବିଲ୍

ଭୁବନେଶ୍ୱର : ଓଡ଼ିଶାରେ ବିଦ୍ଯୁତ ଉପଭୋକ୍ତାଙ୍କୁ ଶୋଷଣ। ଜାତୀୟ ସ୍ତର ତୁଳନାରେ ଓଡ଼ିଶାବାସୀ ଦେଉଛନ୍ତି ଅଧିକ ବିଲ୍। ସେପଟେ କେତେବେଳେ ଘଣ୍ଟା ଘଣ୍ଟା ବିଜୁଳି କଟୁଛି ତ କେତେବେଳେ ଲୋକଙ୍କ ସଂଯୋଗ କାଟିଦିଆଯାଉଛି। ଏ ଭିତରେ ସ୍ମାର୍ଟ ମିଟର ଲୋକଙ୍କ ପାଇଁ ଏକ ସ୍ମାର୍ଟ ମାଡ଼ ଭଳି ଉଭା ହୋଇଛି। ଭପଭୋକ୍ତାଙ୍କ ମାଳ ମାଳ ଅଭିଯୋଗକୁ ନେଇ ମହାସଂଘ ଓଡିଶା ବିଦ୍ୟୁତ ନିୟାମକ ଆୟୋଗଙ୍କ ନିକଟରେ ଅଭିଯୋଗ କରିବା ପରେ ସମସ୍ୟାର ଶୁଣାଣି ପାଇଁ ତାରିଖ ଧାର୍ଯ୍ୟ କରିଛନ୍ତି। ଗ୍ରାହକ ଓ ଅନୁଷ୍ଠାନଗୁଡିକ ଠାରୁ ଅଭିଯୋଗ ଓ ମତାମତ ଗ୍ରହଣ ପାଇଁ ନୋଟିସ ଜାରି ହୋଇଛି। ହେଲେ ସ୍ମାର୍ଟ ମିଟର ଲଗାଇବା ପାଇଁ ପବ୍ଲିକ ନୋଟିସ ଜାରି ହେବା ପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି ଓଡିଶା ବିଦ୍ୟୁତ ଉପଭୋକ୍ତା ମହାସଂଘ। ଧମକରେ ନ ଡରି ଉପଭୋକ୍ତାମାନେ ସ୍ମାର୍ଟ ମିଟର ନ ଲଗାଇବାକୁ ନିବେଦନ କରିଛି ମହାସଂଘ। ଏନେଇ ଦିନକ ପରେ ମହାସଂଘର ଗୁରୁତ୍ୱପୂର୍ଣ୍ଣ ବୈଠକ ହେବ ଓ ଜନସଂଗ୍ରାମ ଗଢି ତୋଳିବାକୁ ନିଷ୍ପତ୍ତି ନିଆଯିବ ବୋଲି ଚେତାଇ ଦିଆଯାଇଛି। ଏ ସରକାରକୁ କେହି ମାନୁ ନାହାନ୍ତି। ସ୍ମାର୍ଟ ମିଟର ଲଗାଇବା ବାଧ୍ୟ ନୁହେଁ ବୋଲି ପୂର୍ବରୁ ଏହି ସରକାର କହିଥିବା ବେଳେ ଏବେ କାହିଁକି ଲୋକଙ୍କୁ ନୋଟିସ କରାଯାଇଛି ବୋଲି ଉଠିଛି ପ୍ରଶ୍ନ।
ଓଇଆରସି ଶୁଣାଣି ପୂର୍ବରୁ ସ୍ମାର୍ଟ ମିଟର ଲଗାଇବା ବାଧ୍ୟତାମୂଳକ ବୋଲି ଦିଆଯାଇଥିବା ନୋଟିସକୁ ସମାଲୋଚନା କରିଛି ବିଜେଡି। ଓଡ଼ିଶାବାସୀ ଅଧିକ ବିଜୁଳି ବିଲ ଦେଉଛନ୍ତି। ତେଣେ ସ୍ମାର୍ଟ ମିଟର ନୋଟିସ ବେଡି ଉପରେ କୋରଡା ମାଡ଼ କହିଛି ଦଳ। ଉପଭୋକ୍ତାଙ୍କୁ ଶୋଷଣ କରାଗଲେ ଆଗକୁ ବଡ଼ ଆନ୍ଦୋଳନ ମୁଣ୍ଡ ଟେକିବ ବୋଲି ଚେତାବନୀ ଦେଇଛନ୍ତି ବରିଷ୍ଠ ବିଜେଡି ନେତା ପ୍ରଦୀପ ମାଝୀ। ସେପଟେ ଲୋକଙ୍କୁ ଆଉ କେତେ ଲୁଟ କରାଯିବ ବୋଲି ପ୍ରଶ୍ନ କରିଛି ସିପିଆଇ। ପୂର୍ବରୁ ଲୋକେ ଟ୍ରେଲର ଦେଖାଇଥିଲେ। ଆଗକୁ ସାଧାରଣ ଗ୍ରାହକ ଆଉ ବିଦ୍ୟୁତ ଅଧିକାରୀଙ୍କୁ ଗାଁରେ ପଶିବାକୁ ଦେବେ ନାହିଁ ବୋଲି ଦଳ କହିଛି। ବିଜୁଳି ବଳକା ରାଜ୍ୟ ଓଡ଼ିଶାର ବିଦ୍ୟୁତ ଗ୍ରାହକ ଏବେ ନାନା ସଙ୍କଟ ମଧ୍ୟରେ ପେଶି ହେଉଛନ୍ତି। ଏଭଳି ସ୍ଥିତିରେ ସ୍ମାର୍ଟ ମିଟର ମାଡ଼ ବିଦ୍ୟୁତ ଗ୍ରାହକଙ୍କୁ ଅଧିକ ଆଶଙ୍କାକୁ ଠେଲି ଦେଇଛି।