ରାଜ୍ୟରେ ସ୍ମାର୍ଟ ମିଟର ପ୍ରୋତ୍ସାହନକୁ ବିରୋଧ

ଭୁବନେଶ୍ବର : ରାଜ୍ୟରେ ସ୍ମାର୍ଟ ମିଟର ପ୍ରୋତ୍ସାହନକୁ ବିରୋଧ । ଏହାକୁ ବନ୍ଦ କରିବା ନେଇ ଓଡିଶା ବିଦ୍ୟୁତ ନିୟାମକ ଆୟୋଗଙ୍କୁ ଚିଠି ଲେଖିଲା ଓଡିଶା ରାଜ୍ୟ ବିଦ୍ୟୁତ ଉପଭୋକ୍ତା ମହାସଂଘ । ରାଜ୍ୟର ଏକ କୋଟି ବିଜୁଳି ଉପଭୋକ୍ତାଙ୍କ ସ୍ୱାର୍ଥ ଦୃଷ୍ଟିରୁ ସ୍ମାର୍ଟ ମିଟର ବସାଇବା ତୁରନ୍ତ ବନ୍ଦ କରିବାକୁ ଟାଟା ପାୱାରକୁ ନିର୍ଦ୍ଦେଶ ଦେବାକୁ ଦାବି କରିଛନ୍ତି ମହାସଂଘର ଆବାହକ ରବି ବେହେରା । ୬୦ ଟଙ୍କା ଲେଖାଏଁ ସ୍ମାର୍ଟ ମିଟର ରେଣ୍ଟ ଛାଡ଼ କରି ରାଜ୍ୟର ବିଦ୍ୟୁତ ଗ୍ରାହକଙ୍କୁ ଦିନରେ ଲୁଟିବାକୁ ବଡ଼ ଚକ୍ରାନ୍ତ କରିଛି ବୋଲି ସେ ଅଭିଯୋଗ କରିଛନ୍ତି । ସ୍ମାର୍ଟ ମିଟରରେ ଯାହାର ଏବେ ବିଲ ୧ ହଜାର ଆସୁଛି ସେମାନଙ୍କର ୧୮୦୦ ଟଙ୍କା ଆସିବ । ଏପରିକି ପ୍ରିପେଡ ରିଚାର୍ଜ ସରିଗଲେ ରାତି ଅଧରେ ବିଦ୍ୟୁତ କଟିଯିବ । ଏପରିକି ଲୋକଙ୍କୁ ରିକନେକ୍ସନ ଚାର୍ଜ ଦେବାକୁ ପଡିବ । କମ୍ପାନୀର ଲୁଟ ପାଇଁ ଏହି ରେଣ୍ଟ ଛାଡ ନିଷ୍ପତ୍ତି ଉଦ୍ଦିଷ୍ଟ । ତୁରନ୍ତ ସ୍ମାର୍ଟ ମିଟର ଲଗାଇବା ବନ୍ଦ କରାଯାଉ ବୋଲି ଦାବି କରିଛି ମହାସଂଘ । ସେପଟେ ବରିଷ୍ଠ କଂଗ୍ରେସ ନେତା ଏହାକୁ କଡ଼଼ା ସମାଲୋଚନା କରିଛନ୍ତି । ଲୋକଙ୍କୁ ଭୂତେଇବା ପାଇଁ ସ୍ମାର୍ଟ ମିଟର ରେଣ୍ଟ ଛାଡ଼ ଯୋଜନା କରାଯାଇଛି ବୋଲି ସେ ବଡ଼ ଅଭିଯୋଗ କରିଛନ୍ତି । ସରକାରଙ୍କ ସହ ମିଲି ଭଗତରେ ଉପଭୋକ୍ତାଙ୍କୁ ଶୋଷଣ କରିବା ପାଇଁ ଏହା ପ୍ରୟାସ ହୋଇଛି । ଏହି ପ୍ରସଙ୍ଗକୁ ନେଇ ବିରୋଧ ହୋଇଛି, ହେଉଛି ଓ ଆଗକୁ ଜୋରଦାର ବିରୋଧ ହେବ ବୋଲି ସେ ଦଳ ପକ୍ଷରୁ ଚେତାବନୀ ଦେଇଛନ୍ତି ।