ସ୍ଲମ୍ ଡଗ୍ ମିଲେନିୟରର ଲତିକା ଏବେ କ’ଣ କରୁଛନ୍ତି ?

ନୂଆଦିଲ୍ଲୀ: ସ୍ଲାମ୍ ଡଗ୍ ମିଲେନିୟର ‘ଜୟ ହୋ…’ ଗୀତ ଶୁଣିଲେ ଆଖି ଆଗକୁ ଆସିଯାଏ ଫିଲ୍ମରେ ଲତିକାର ପିଲା ବେଳ ରୋଲ୍ କରିଥିବା ରୁବିନା ଅଲ୍ଲୀଙ୍କ ଚେହେରା ।  ଫିଲ୍ମରେ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଥିବା ଲତିକା ଓରଫ ରୁବିନା ଏବେ କ’ଣ କରୁଛନ୍ତି ? କେମିତି ଅଛନ୍ତି ? ଫିଲ୍ମର ଏହି ଚାଇଲ୍ଡ ଆର୍ଟିଷ୍ଟ ବହୁତ ବଡ଼ ହୋଇଗଲେଣି । ଆସନ୍ତୁ ଜାଣିବା ସ୍ଲମ୍ ଡଗ୍ ମିଲେନିୟର ପାଇଁ ସ୍କ୍ରିନ୍ ଆକ୍ଟ୍ରେସ ଗିଲ୍ଡ ସମ୍ମାନରେ ସମ୍ମାନିତ ରୁବିନା ଏବେ କ’ଣ କରୁଛନ୍ତି ।

୨୦୧୯ରେ ସ୍ଲମ୍ ଡଗ୍ ମିଲେନିୟରର ୧୦ ବର୍ଷ ପୂର୍ତ୍ତି ଅବସରରେ ଏ.ଆର. ରେହେମାନଙ୍କ ସହ କିଛି ପିଲାଙ୍କର ଏକ ଫଟୋ ଭାଇରାଲ ହୋଇଥିଲା । ଏଥିରେ ଥିବା ଜଣେ ଯୁବତୀ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ସେ ଯୁବତୀ ଆଉ କେହି ନୁହଁନ୍ତି, ଫିଲ୍ମର ଚାଇଲ୍ଡ ଆର୍ଟିଷ୍ଟ ଲତିକା ଥିଲେ । ଯିଏ ଏବେ ୨୨ ବର୍ଷର ହୋଇ ସାରିଛନ୍ତି । ବହୁତ ସୁନ୍ଦର ଦିଶିବା ସହ ଷ୍ଟାଇଲିଷ୍ଟ ବି ହୋଇଯାଇଛନ୍ତି ।

ସ୍ଲମ୍ ଡଗ୍ ମିଲେନିୟର ମିଲିୟନର ପାଇଁ ରୁବିନାଙ୍କୁ ନାଁ ମିଳିଲା, ପ୍ରତିଷ୍ଠା ମିଳିଲା । ହେଲେ ଏହା ବେଶି ଦିନ ରହିନଥିଲା । ଏପରିକି ଏକ ଷ୍ଟ୍ରିଙ୍ଗ ଅପରେସନରେ ତାଙ୍କ ବାପା ତାଙ୍କୁ ବିକ୍ରି କରିବାକୁ ଚେଷ୍ଟା କରୁଥିବା ଅଭିଯୋଗକୁ ନେଇ ମଧ୍ୟ ବହୁତ ଚର୍ଚ୍ଚା ହୋଇଥିଲା ।

ସ୍ଲମ୍ ଡଗ୍ ମିଲେନିୟର ଡାଇରେକ୍ଟରଙ୍କ ଜୟ ହୋ ଟ୍ରଷ୍ଟ ତରଫରୁ ରହିବାକୁ ଘର ଦିଆଗଲା । ପାଠ ପଢ଼ାର ଖର୍ଚ୍ଚ ବି ଉଠାଗଲା । ହେଲେ ଫିଲ୍ମ ଲାଇନରେ ତାଙ୍କ କ୍ୟାରିୟର ବେଶି ଆଗକୁ ବଢ଼ି ନଥିଲା । ଏବେ ସେ ନାଲାସୋପାଡ଼ାରେ ନିଜର ଏକ ପର୍ଲର ଚଲାଉଛନ୍ତି । ସେଲିବ୍ରିଟି ମେକଅପ୍ ଆର୍ଟିଷ୍ଟ ହେବାକୁ ଚାହୁଁଛନ୍ତି । ଏହାସହ ବିଗ୍ ବସରେ ମଧ୍ୟ ଯିବାକୁ ଚାହୁଁଛନ୍ତି ।

ରୁବିନା ବସ୍ତିରୁ ବଡ଼ ପରଦା ଓ ସେଠାରୁ ବ୍ୟୁଟି ପର୍ଲର କରିବା ପର୍ଯ୍ୟନ୍ତ ବହୁତ କିଛି କରିଛନ୍ତି ଓ ବଞ୍ଚିବାର ବାଟ ବି ପାଇଛନ୍ତି । ବସ୍ତିରେ ଜନ୍ମିତ ରୁବିନାଙ୍କ ପରିବାର ବହୁତ ଗରିବ ଥିଲେ । ବାନ୍ଦ୍ରା ଷ୍ଟେସନ୍ ପାଖରେ ଥିବା ଗରିବ୍ ନଗର ବସ୍ତିରେ ଭାଇ, ଭଉଣୀ, ବାପା ଓ ସାବତ ମାଆ ସହ ରହୁଥିଲେ । ହେଲେ ବସ୍ତିରେ ନିଆଁ ଲାଗି ତାଙ୍କ ଝୁପୁଡ଼ି ଛାରଖାର ହୋଇ ଯାଇଥିଲା । ପରିବାର ସହ ମୁଣ୍ଡ ଗୁଞ୍ଜିବାକୁ ଘରଟଇଏ ନେବାକୁ ଜୟ ହୋ ଟ୍ରଷ୍ଟ ତରଫରୁ ତାଙ୍କୁ ବହୁତ ସାହାଯ୍ୟ କରାଯାଇଥିଲା ।

ସ୍ଲମ୍ ଡଗ୍ ଜରିଆରେ ନାଁ କମାଇବା ପରେ ରୁବିନା ଫିଲ୍ମ ପାଇବାକୁ ବହୁତ ଚେଷ୍ଟା କରିଥିଲେ । ହେଲେ କାମ ନମିଳିବାରୁ ସେ ପାଠପଢ଼ା ଉପରେ ଅଧିକ ଧ୍ୟାନ ଦେଇଥିଲେ । ନିଜ ଫିଲ୍ମ କ୍ୟାରିୟରକୁ ନେଇ ରୁବିନା କୁହନ୍ତି, ‘ଯେତେଦିନ ପର୍ଯ୍ୟନ୍ତ କାମ ମିଳୁଥିଲା କରୁଥିଲି । ବାପା ଚାଲିଗଲେ । ବୟସ ବି ବଢ଼ିବାକୁ ଲାଗିଥିଲା । ନିଜ ଭବିଷ୍ୟତ ସୁରକ୍ଷିତ କରିବାକୁ ଚାହୁଁଥିଲି । ଏଥିପାଇଁ ମୁ୍ଁ ବ୍ୟୁଟି ଡିଜାଇନର କୋର୍ସ କରିଥିଲି । ଏବେ ମୁଁ ଏକ ସେଲିବ୍ରିଟି ହେୟାର ଓ ମେକଅପ୍ ଆର୍ଟିଷ୍ଟ ହେବାକୁ ଚାହୁଁଛି ।’