ଜାଗା ମିଶନ ଅଧୀନରେ ବସ୍ତି ବାସିନ୍ଦାଙ୍କ ଜମି ଅଧିକାର ଦେବା ପାଇଁ ରାଜ୍ୟ ସରକାର ନୂଆ ଚିଠା ନିୟମ

1 min read

ଭୁବନେଶ୍ବର: ଜାଗା ମିଶନ ଅଧୀନରେ ବସ୍ତି ବାସିନ୍ଦାଙ୍କୁ ଜମି ଅଧିକାର ଦେବା ପାଇଁ ରାଜ୍ୟ ସରକାର ନୂଆ ଚିଠା ନିୟମ ପ୍ରସ୍ତୁତ କରିଛନ୍ତି । ଯାହାଦ୍ୱାରା ଲୋକମାନେ ଗୃହ ଋଣ ପାଇପାରିବେ । ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ଓଡ଼ିଶା ସର୍ଭେ ଆଣ୍ଡ ସେଟେଲମେଣ୍ଟ ସଂଶୋଧନ ନିୟମ- ୨୦୨୩ର ଚିଠା ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ଓଡ଼ିଶା ଗେଜେଟରେ ଏହି ବିଜ୍ଞପ୍ତି ପ୍ରକାଶ ପାଇବ ।

ନିର୍ଦ୍ଦିଷ୍ଟ ଅବଧି ଶେଷ ହେବା ପୂର୍ବରୁ ଏହି ଚିଠା ନିୟମ ସମ୍ବନ୍ଧରେ ଯେକୌଣସି ବ୍ୟକ୍ତିଙ୍କଠାରୁ ଆପତ୍ତି କିମ୍ବା ପରାମର୍ଶ ଆସିଲେ ତା’ ଉପରେ ରାଜ୍ୟ ସରକାର ବିଚାର କରିବେ । ଚିଠା ନିୟମ ଅନୁଯାୟୀ, ରେକର୍ଡ ହୋଇଥିବା ପରିବର୍ତ୍ତିତ ଜମିକୁ ସରକାରୀ ଖାତାରୁ କଟାଯିବ ନାହିଁ । ଏଭଳି ପ୍ରସ୍ତୁତ ହୋଇଥିବା ନୂତନ ଖାତାକୁ ଭଡ଼ା ଓ ସେସ୍ ବାବଦରେ ଆକଳନ କରାଯିବ ନାହିଁ ।

କୌଣସି ଆର୍ଥିକ ଅନୁଷ୍ଠାନରୁ ଗୃହ ଋଣ ପାଇଁ ବନ୍ଧକ ରଖିବା ବ୍ୟତୀତ ଅନ୍ୟ କୌଣସି ଉପାୟରେ ଜମି ହସ୍ତାନ୍ତରଯୋଗ୍ୟ ହେବ ନାହିଁ । ସବ୍ ଲିଜ୍, ବିକ୍ରୟ, ଉପହାର କିମ୍ବା ଅନ୍ୟ କୌଣସି ଉପାୟରେ ହସ୍ତାନ୍ତର ହେବ ନାହିଁ । ସାର୍ଟିଫିକେଟ୍ ଅଫ୍ ଲ୍ୟାଣ୍ଡ ରାଇଟ୍ସ ଆଧାରରେ ଅଧିକାରର ରେକର୍ଡ ସଂଶୋଧନ ପାଇଁ ରାଜ୍ୟ ସରକାର ସମୟ ସମୟରେ ଉପଯୁକ୍ତ ନିର୍ଦ୍ଦେଶ ଜାରି କରିବାର ଅଧିକାର ସଂରକ୍ଷିତ ରଖିଛନ୍ତି ।

ଗତ ଅଗଷ୍ଟ ମାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାଗା ମିଶନ ଅଧୀନରେ ରାଜ୍ୟର ୮୭୫ଟି ବସ୍ତିର ୬୫ ହଜାର ପରିବାରକୁ ଜମି ଅଧିକାର ପ୍ରମାଣପତ୍ର ପ୍ରଦାନ କରିଥିଲେ । ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର, କଟକ, ବ୍ରହ୍ମପୁର, ରାଉରକେଲା ଓ ସମ୍ବଲପୁର ମହାନଗର ନିଗମର ବସ୍ତିବାସିନ୍ଦାଙ୍କୁ ସାର୍ଟିଫିକେଟ୍ ପ୍ରଦାନ କରାଯାଇଛି ।