ଆପାର୍ଟମେଣ୍ଟ ସୋସାଇଟି ଶୈଳୀରେ ବସ୍ତି ସମ୍ପତ୍ତିର ହେବ ରକ୍ଷଣାବେକ୍ଷଣ

ଭୁବନେଶ୍ବର: ନିଜ ବସ୍ତିର ଦାୟିତ୍ବ ନିଜେ ନିଅ । ପ୍ରତିମାସରେ କର ନିୟମିତ ବୈଠକ । ବସ୍ତି ସମ୍ପତ୍ତିର ତାଲିକାକରଣ କରି ଏହା ରକ୍ଷଣାବେକ୍ଷଣ ପାଇଁ ଆର୍ଥିକ ବ୍ୟବସ୍ଥା କର। ସହରାଞ୍ଚଳ ଭୂମିହୀନଙ୍କୁ ଜାଗା ମିଶନ ଜରିଆରେ ଜମି ଅଧିକାର ପ୍ରଦାନ ପରେ ଏବେ ବସ୍ତିବାସିନ୍ଦାଙ୍କ ଦକ୍ଷତା ବୃଦ୍ଧି ପାଇଁ ମୁଖ୍ୟମନ୍ତ୍ରୀ କରିଛନ୍ତି ଅଭିନବ ଯୋଜନା । ଆପାର୍ଟମେଣ୍ଟ ସୋସାଇଟି ଶୈଳୀରେ ୧୧୫ଟି ପୌରାଞ୍ଚଳ ଓ ମହାନଗର ନିଗମରେ ଗଠନ ହୋଇଛି ୨ ହଜାର ୯୧୯ଟି ବସ୍ତିବାସିନ୍ଦା ସଂଘ ବା ଏସ୍‌ଡିଏ । ପ୍ରତ୍ୟକ ସଂଘ କିପରି ନିଜର ଆୟର ପନ୍ଥା ବାହାର କରିପାରିବେ ସେନେଇ ଦକ୍ଷତା ବୃଦ୍ଧି ତାଲିମ ଶିବିରରେ ଦିଆଯାଇଛି ଟ୍ରେନିଂ ।

ଗତ ଅକ୍ଟୋବର ୧୩ ତାରିଖରୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଏପର୍ଯ୍ୟନ୍ତ ୧୧୪ଟି ପୌରାଞ୍ଚଳ ଓ ମହାନଗର ନିଗମ ଅଞ୍ଚଳରେ ତାଲିମ କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଛି । ପ୍ରତ୍ୟେକ ବସ୍ତିକୁ ରୂପାନ୍ତର କରାଯାଇ ବିଜୁ ଆଦର୍ଶ କଲୋନୀରେ ପରିଣତ କରାଯିବ । ରାସ୍ତା, ଆଲୋକୀକରଣ, ଟଏଲେଟ୍, ପାଇପ ଜଳ ପରିଚାଳନା, ପେଭର ବ୍ଲକ୍ ରାସ୍ତା, ପିଲାଙ୍କ କ୍ରୀଡ଼ା ସ୍ଥାନ, ଉଦବୃତ ଜଳ ପରିଚାଳନା, ଡ୍ରେନେଜ୍ ବ୍ୟବସ୍ଥା ଓ କମ୍ୟୁନିଟି ହଲ୍ ଯାହାର ନାମ ‘ପରିଚୟ’ ରହିଛି । ତାଲିମ ପରେ ଏବେ ବସ୍ତିବାସିନ୍ଦା ଏସବୁର ପରିଚାଳନା କରିବା ସହଜ ଓ ସରଳ ହୋଇପାରିବ । ଏପରି କି ଥାନାକୁ ନ ଯାଇ ଘରୋଇ ହିଂସା ରୋକିବା ଦିଗରେ ଆପୋସ ସମାଧାନର ବାଟ ବାହାର କରିପାରିବ ଏସ୍‌ଡିଏ ।

ଏବେ ଏସ୍‌ଡିଏ ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ ଭୁବନେଶ୍ବର ମହାନଗର ନିଗମରେ ଚାଲିଛି । ଏଥିପାଇଁ ବ୍ୟାଚ୍ଓ୍ବାରୀ ଜାଗା ମିଶନ ପକ୍ଷରୁ ଟ୍ରେନିଂ ଦିଆଯାଉଛି । ଟ୍ରେନିଂ ସେସନରେ ବୈଠକ ସମ୍ପର୍କିତ କିପରି ରିଜୋଲୁସନ୍ ଲେଖାଯିବ ସେ ନେଇ ଏସଡିଏଙ୍କୁ ପରୀକ୍ଷା ଦେବାକୁ ପଡ଼ୁଛି । ଏହାସହିତ ବ୍ୟାଙ୍କ ଜମା ଖାତା ଯୁଗ୍ମ ଦସ୍ତଖତରେ କିପରି କରାଯିବ ସେ ନେଇ ମଧ୍ୟ ତାଲିମ ନେଇଛନ୍ତି ଏସ୍ଡିଏର ସଭାପତି, କୋଷାଧ୍ୟକ୍ଷ ଓ ସମ୍ପାଦକ । ସାରାରାଜ୍ୟରେ ଏବେସୁଦ୍ଧା ୧୭୬ଟି ବ୍ୟାଚ୍‌ରେ ତାଲିମ ଶିବିର ସମ୍ପନ୍ନ ହୋଇଛି । ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ଏହି ତାଲିମ କାର୍ଯ୍ୟକ୍ରମ ଜାରି ରଖିବାକୁ ଲକ୍ଷ୍ୟ ରଖାଯାଇଛି ।