ଦୀର୍ଘ ୮ମାସ ପରେ ଆରମ୍ଭ ହେବ ସ୍ଲଟ୍ ବୁକିଂ, କୋଭିଡ୍ ଲକ୍ଷଣ ଥିଲେ ଲର୍ଣ୍ଣର ଲାଇସେନ୍‌ସ ଟେଷ୍ଟ ପାଇଁ ଅନୁମତି ମିଳିବନି

ଭୁବନେଶ୍ୱର: କରୋନା ପାଇଁ ବନ୍ଦ ଥିବା ଲର୍ଣ୍ଣର୍ସ ଲାଇସେନ୍‌ସ୍‌ ଆରମ୍ଭ ହେବାକୁ ଯାଉଛି । ଦୀର୍ଘ ୮ମାସ ପରେ ଆରମ୍ଭ ହେବ ସ୍ଲଟ୍ ବୁକିଂ । ଏନେଇ ରାଜ୍ୟ ପରିବହନ ପ୍ରାଧିକରଣ ନିଷ୍ପତ୍ତି ନେଇଛନ୍ତି । ମାର୍ଚ୍ଚ ୧୮ରୁ ବନ୍ଦ ଥିବା ଲର୍ଣ୍ଣର୍ସ ଲାଇସେନ୍‌ସ ପରୀକ୍ଷା ପାଇଁ ସ୍ଲଟ୍ ବୁକିଂ ଆସନ୍ତା ୧୨ତାରିଖରୁ ହେବ । ସେହିପରି ୧୬ରୁ ଟେଷ୍ଟ ହେବା ନେଇ ପରିବହନ କମିଶନର ଅଫିସ ପକ୍ଷରୁ ସୂଚନା ଦିଆଯାଇଛି ।

ଆସନ୍ତା ୧୨ତାରିଖରୁ ଦିନ ୧୧ଟାରୁ ସ୍ଲଟ୍ ବୁକିଂ ଆରମ୍ଭ ହେବ । ପ୍ରତିଦିନ ସକାଳ ୭ଟାକୁ ରାତି ୧୦ଟା ପର୍ଯ୍ୟନ୍ତ ସ୍ଲଟ୍ ବୁକିଂ କରାଯିବ । ପୂର୍ବରୁ ଏଲ୍‌ଏଲ୍‌ ଆବେଦନ କରିଥିବା ବ୍ୟକ୍ତି ହିଁ ସ୍ଲଟ୍ ବୁକିଂ କରିପାରିବେ । ଲର୍ଣ୍ଣର୍ସ ଲାଇସେନ୍‌ସ ଟେଷ୍ଟ ପାଇଁ ୧୫ ମିନିଟ ସମୟ ଦିଆଯିବ ।

କୋଭିଡ୍ ଲକ୍ଷଣ ଥିଲେ ଲର୍ଣ୍ଣର ଲାଇସେନ୍‌ସ ଟେଷ୍ଟ ପାଇଁ ଅନୁମତି ମିଳିବନି । ଆବେଦନକାରୀ ଆରଟିଓ ଅଫିସରେ ୪୫ ମିନିଟରୁ ଅଧିକ ସମୟ ରହିପାରିବେନି । ଟେଷ୍ଟ ପାଇଁ କେବଳ ଆବେଦନକାରୀଙ୍କୁ ଅନୁମତି ମିଳିବ । ଟେଷ୍ଟିଂ ସେଣ୍ଟରରେ କୋଭିଡ୍ କଟକଣା କଡ଼ାକଡ଼ି ପାଳନ ହେବ ।

Leave a Reply