କମିଶନରେଟ ପୋଲିସର ମାରାଥନ ଜେରା, ରିମାଣ୍ଡ ବେଳେ ସତ ମାନିଲେ ଆକାଶ

ଭୁବନେଶ୍ୱର: ସ୍କାଏକିଙ୍ଗ ଠକେଇ ମାମଲାରେ ଆକାଶ ପାଠକଙ୍କୁ ମାରାଥନ ଜେରା କରୁଛି କମିଶନରେଟ ପୋଲିସ । ଜେରା ବେଳେ ଟଙ୍କା ଟ୍ରାଞ୍ଜାକସନ ଏବଂ କେବେ ଓ କେଉଁ ହୋଟେଲ ବୁକ୍  ସହ ଫ୍ଲାଇଟ୍ ବୁକ୍ କରିଥିଲା ସେନେଇ ଆକାଶ ସତ ମାନିଥିବା ଜଣାପଡିଛି ।

ସୂଚନା ମୁତାବକ ଆକାଶ ଟାଟା ମୋଟର୍ସର ଏମଡି ନଥିବା ପ୍ରକାଶ କରିଛନ୍ତି । ଚାର୍ଟର୍‌ ବିମାନ ଭଡ଼ା ଠକେଇ ନେଇ ଟ୍ରାଭେଲ୍ସ ସଂସ୍ଥା ସ୍କାଏକିଙ୍ଗ୍‌ ପକ୍ଷରୁ ହୋଇଥିବା ମାମଲାରେ ଆକାଶ ପାଠକଙ୍କୁ କମିଶନରେଟ ପୋଲିସ ମୁଖ୍ୟାଳୟରେ ଜେରା କରାଯାଉଛି । ଜେରା ସମୟରେ ଠକେଇର ବିଭିନ୍ନ ତରିକା ସମ୍ପର୍କରେ ପୋଲିସ ହାତରେ ଠୋସ୍‌ ପ୍ରମାଣ ଲାଗିଛି । ଏପରିକି ତାଙ୍କର କିଛି ସହଯୋଗୀଙ୍କ ସମ୍ପର୍କରେ ମଧ୍ୟ ସୂଚନା ମିଳିଛି ।

ଆକାଶ ନିଜକୁ ଟାଟା ମୋଟର୍ସର ଏମ୍‌ଡି ଭାବେ ପରିଚୟ ଦେଇ ସ୍କାଏକିଙ୍ଗ୍‌ ଟ୍ରାଭେଲ୍ସ ଏଜେନ୍ସିରୁ ଚାର୍ଟର୍‌ ବିମାନ ବୁକିଂ କରିଥିଲେ । ବିମାନ ଭଡ଼ା ପ୍ରାୟ ୨ କୋଟି ୭୮ ଲକ୍ଷ ଟଙ୍କାରୁ ଅଧିକ ହୋଇଥିବା ବେଳେ ୨ କୋଟି ୧୩ ଲକ୍ଷରୁ ଅଧିକ ଟଙ୍କା ଦିଆଯାଇଛି । ବାକି ୬୫ ଲକ୍ଷ ଟଙ୍କା ଦେଇ ନଥିଲେ ଆକାଶ । ଟଙ୍କା ମାଗିଲେ ଧମକଚମକ ଦେଉଥିଲେ ।

ତେବେ ଗତ ୧ ତାରିଖରେ ସ୍କାଏକିଙ୍ଗ୍‌ ପକ୍ଷରୁ ଥାନାରେ ଅଭିଯୋଗ ପରେ ମାମଲା ରୁଜୁ କରିଥିଲା ପୋଲିସ୍‌ । ଏହି ମାମଲାରେ ଅଧିକ ପ୍ରମାଣ ସଂଗ୍ରହ ଲାଗି ଆକାଶଙ୍କ ହସ୍ତାକ୍ଷର ସଂଗ୍ରହ କରାଯାଇଛି । ହସ୍ତାକ୍ଷରକୁ ରାଜ୍ୟ ଫରେନସିକ୍ ଲାବ୍‌କୁ ପଠାଯାଇଛି ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି ।

Leave a Reply