ଦଉଡ଼ି ଲଗାଇ ଷଷ୍ଠ ଶ୍ରେଣୀ ଛାତ୍ରଙ୍କ ଆତ୍ମହତ୍ୟା

ଗୁଣପୁର: ଜଣେ ଷଷ୍ଠ ଶ୍ରେଣୀ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ । ମୃତ ଛାତ୍ର ହେଲେ ୧୩ ବର୍ଷୀୟ ସନ୍ଦୀପ ପାଲକା । ଛାତ୍ର ଜଣକ ଗୁଣୁପୁର କେନ୍ଦ୍ରୀୟ ବିଦ୍ୟାଳୟରେ ଷଷ୍ଠ ଶ୍ରେଣୀରେ ପଢୁଥିଲେ । ପ୍ରଦୀପ ପାଲକାଙ୍କ ପୁଅ ହେଉଛନ୍ତି ସନ୍ଦୀପ ପାଲକା । ପ୍ରଦୀପ ପାଲକାଙ୍କ ପରିବାର ପୁରୁଣା ଗୁଣପୁର ସ୍ଥିତ ବାଲାଜୀନଗରରେ ଭଡା ଘରେ ରହୁଥିଲେ ।
ପ୍ରଦୀପ ଏବଂ ତାଙ୍କ ପତ୍ନୀ ଉଭୟ ଶିକ୍ଷକତା କରନ୍ତି । ଘର କାମରେ ବାପାମାଆ ବାହାରକୁ ଯାଇଥିଲେ । ଫେରିବା ପରେ ପୁଅ ବେକରେ ଦଉଡି ଦେଇ ଝୁଲି ପଡ଼ିଥିବା ଦେଖିବାକୁ ପାଇଥିଲେ । ପଡୋଶୀଙ୍କ ସହାୟତାରେ ତାଙ୍କୁ ତୁରନ୍ତ ଉଦ୍ଧାର କରି ଗୁଣପୁର ମେଡିକାଲକୁ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ପୁଅ ଆତ୍ମହତ୍ୟା କରିଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି ପରିବାର ଲୋକେ । ତେବେ କାହିଁକି ସନ୍ଦୀପ ଏମିତି ନିଷ୍ପତ୍ତି ନେଲେ ତାହା ସ୍ପଷ୍ଟ ହୋଇନି । ଘଟଣାସ୍ଥଳରେ ପୋଲିସ ଟିମ ତଦନ୍ତ ଜାରି ରଖିଛି । ତେବେ ଜଣେ ୧୩ ବର୍ଷର ଛାତ୍ର ଆତ୍ମହତ୍ଯା କରିଥିବା ଘଟଣାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ସମ୍ପର୍କୀୟ ଓ ଅଞ୍ଚଳବାସୀ ।