ନୂଆ ରୂପରେ ଦେଶରେ ପଶିଲାଣି ଡେଲ୍ଟା ଭ୍ୟାରିଆଣ୍ଟ: ଟିକା ନେବା ସତ୍ତ୍ୱେ ୬ଜଣ ସଂକ୍ରମିତ

1 min read

ଇନ୍ଦୋର: ପୁଣି ଭୟ ବଢ଼ାଉଛି କରୋନା । ଦେଶରେ କରୋନା ସଂକ୍ରମଣ ନିୟନ୍ତ୍ରଣାଧୀନ ଥିବା ବେଳେ ଏବେ ଆଉ ଏକ ନୂଆ ଭ୍ୟାରିଆଣ୍ଟ ଚିନ୍ତାର କାରଣ ପାଲଟିଛି । କରୋନା ଟିକାର ଉଭୟ ଡୋଜ୍ ନେବା ପରେ ମଧ୍ୟ ଲୋକେ ଏହି AY.4 ଭ୍ୟାରିଆଣ୍ଟର ଶିକାର ହେଉଥିବା ଦେଖିବାକୁ ମିଳିଛି । AY.4 ଭ୍ୟାରିଆଣ୍ଟ କରୋନାର ଡେଲଟା ଭ୍ୟାରିଆଣ୍ଟର ଏକ ନୂଆ ରୂପ । ପୂର୍ବରୁ AY.4 ଭ୍ୟାରିଆଣ୍ଟ ବ୍ରିଟେନରେ ହଇଚଇ ସୃଷ୍ଟି କରିଥିବା ବେଳେ ଏବେ ଏହି ଭ୍ୟାରିଆଣ୍ଟ ଭାରତରେ ଆତଙ୍କ ସୃଷ୍ଟି କରିଛି । ମଧ୍ୟପ୍ରଦେଶର ଇନ୍ଦୋରରେ ୬ ଜଣ ଏହି ଭ୍ୟାରିଆଣ୍ଟରେ ଆକ୍ରାନ୍ତ ହୋଇସାରିଛନ୍ତି । ଆଉ ଏହି ସଂକ୍ରମିତମାନେ କରୋନା ଟିକାର ଉଭୟ ଡୋଜ୍ ନେଇ ସାରିଛନ୍ତି ।

ତେବେ ଏଭଳି ସ୍ଥିତିରେ ପ୍ରଶ୍ନ ଉଠୁଛି କି କ’ଣ ଏହି AY.4 ଭ୍ୟାରିଆଣ୍ଟ ଅଧିକ ସଂକ୍ରାମକ କି ? ଏହାର ଉତ୍ତରରେ ସେଲ୍ୟୁଲାର ଓ ମଲ୍ୟୁକୁଲାର ବାୟୋଲୋଜିର ପୂର୍ବତନ ନିର୍ଦ୍ଦେଶକ ରାକେଶ ମିଶ୍ର କହିଛନ୍ତି ଯେ, ଏପର୍ଯ୍ୟନ୍ତ ସେପରି କିଛି ପ୍ରମାଣ ମିଳିପାରି ନାହିଁ, ଏହି AY.4 ଭ୍ୟାରିଆଣ୍ଟ ଡେଲଟା ଭ୍ୟାରିଆଣ୍ଟଠାରୁ ଅଧିକ ସଂକ୍ରାମକ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏହା ଏକ ନୂଆ ଭ୍ୟାରିଆଣ୍ଟ ନୁହେଁ । ଏହି AY.4 ଭ୍ୟାରିଆଣ୍ଟ ଡେଲଟା ଭ୍ୟାରିଆଣ୍ଟର ଏକ ଉପ-ବଂଶ ଅଟେ । ରାକେଶ ମିଶ୍ର ଆହୁରି କହିଛନ୍ତି କି ଆମ ସମସ୍ତଙ୍କୁ ଏବେ ବି କୋଭିଡ-୧୯ ପ୍ରତି ସମସ୍ତ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ । କାହିଁକି ନା କରୋନା ଏପର୍ଯ୍ୟନ୍ତ ଯାଇ ନାହିଁ । ଉଭୟ ଡୋଜ୍ ଟିକା ନେବା ପରେ ବି ସଂକ୍ରମଣ ହେଉଥିବାରୁ ବର୍ତ୍ତମାନ ଅଧିକ ସାବଧାନ ରହିବାକୁ କହିଛନ୍ତି ରାକେଶ ମିଶ୍ର ।

Leave a Reply