ଫ୍ଲାଇଟରେ ପରିସ୍ରା କରି ମହିଳାଙ୍କ ଉପରକୁ ଫିଙ୍ଗିଥିଲେ, ଆଜି ବନ୍ଧାହେଲେ..

ନୂଆଦିଲ୍ଲୀ: ଏୟାର ଇଣ୍ଡିଆ ଫ୍ଲାଇଟରେ ମହିଳାଙ୍କ ଉପରେ ପରିସ୍ରା କରିବା ଘଟଣା । ୪୧ ଦିନପରେ ବାଙ୍ଗାଳୁରୁରୁ ଗିରଫ ହେଲେ ଅଭିଯୁକ୍ତ ଶଙ୍କର ମିଶ୍ର । ପଚରା ଉଚରା ପରେ ଆଜି ତାଙ୍କୁ କୋର୍ଟରେ ହାଜର କରିବ ଦିଲ୍ଲୀ ପୋଲିସ । ସେପଟେ ବିମାନର ୪ଜଣ କ୍ରିଉ ସଦସ୍ୟ ଓ ଜଣେ ପାଇଲଟଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛି ଏୟାରଇଣ୍ଡିଆ । ବିମାନରେ ଜଣେ ୭୦ ବର୍ଷୀୟ ବୃଦ୍ଧାଙ୍କ ଉପରେ ପରିସ୍ରା କରିବା ଘଟଣା ଜାତୀୟସ୍ତରରେ ବେଶ ଚର୍ଚ୍ଚାର ବିଷୟ ପାଲଟିଥିଲା ।
ଶଙ୍କରଙ୍କର ଏଭଳି ଅସଭ୍ୟ ବ୍ୟବହାରକୁ ନେଇ ବିଭିନ୍ନ ମହଲରେ ନିନ୍ଦା କରାଯାଇଥିବା ବେଳେ ପୁଲିସ ତାଙ୍କୁ ଗିରଫ ପାଇଁ ଲୁକ ଆଉଟ୍ ସର୍କୁଲାର ଜାରି କରିଥିଲା। ଏଥିପାଇଁ ଦିଲ୍ଲୀ ପୁଲିସ ମୁମ୍ବାଇ, ବେଙ୍ଗାଲୁର ତଥା ଅନ୍ୟାନ୍ୟ ସ୍ଥାନରେ ସର୍ଚ୍ଚ ଅପରେଶନ ଜାରି ରଖିଥିଲା । ଗତ ନଭେମ୍ବର ୨୬ ତାରିଖ ଦିନ ଆମେରିକାରୁ ବିମାନରେ ଦିଲ୍ଲୀ ଆସିବା ବେଳେ ଶଙ୍କର ମିଶ୍ର ମଦ ନିଶାରେ ଜଣେ ମହିଳାଙ୍କ ଉପରେ ପରିସ୍ରା କରି ଦେଇଥିଲେ। ଶଙ୍କର ଜଣେ ପ୍ରତିଷ୍ଠିତ ବ୍ୟକ୍ତି ହୋଇଥିବା ବେଳେ ତାଙ୍କର ଏପରି କାଣ୍ଡ ଏବେ ହଇଚଇ ସୃଷ୍ଟି କରିଛି ।
ଘଟଣା ସାମ୍ନାକୁ ଆସିବା ପରେ ସେ ଲୋକ ଲଜ୍ଜାରେ ଆତ୍ମଗୋପନ କରିଥିଲେ । ପୁଲିସ୍ ମଧ୍ୟ ତାଙ୍କ ନାଁରେ ମାମଲା ରୁଜୁ କରିଥିଲା । ଶଙ୍କରଙ୍କୁ ଏବେ ଚାକିରିରୁ ମଧ୍ୟ ବିଦା କରାଯାଇଥିଲା । ଶଙ୍କର ୱେଲ୍ସ ଫାରଗୋରେ କାମ କରୁଥିଲେ । ହେଲେ ବିମାନ ଯାତ୍ରା ବେଳେ ସେ ଜଣେ ମହିଳାଙ୍କ ଉପରେ ପରିସ୍ରା କରି ଦେବାରୁ ତାଙ୍କୁ କମ୍ପାନୀ ଚାକିରିରୁ ବରଖାସ୍ତ କରାଯାଇଥିଲା ।