ବ୍ରିଜ ତଳକୁ ଖସିପଡ଼ିଲା ଶ୍ରଦ୍ଧାଳୁଙ୍କୁ ନେଇ ଯାଉଥିବା ଟ୍ରାକ୍ଟର, ୧୩ ମୃତ

ଶାହଜହାଁପୁର: ଉତ୍ତରପ୍ରଦେଶର ଶାହଜହାଁପୁରରେ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ଟ୍ରାକ୍ଟର ଟ୍ରଲି ବ୍ରିଜର ରେଲିଂ ଭାଙ୍ଗି ନଦୀରେ ଖସିପଡିବା କାରଣରୁ ୧୩ ଜଣଙ୍କ ମୃତ୍ୟୁ ହୋଇଛି ଦୁର୍ଘଟଣାର ଶିକାର ହୋଇଥିବା ଟ୍ରାକ୍ଟର ଟ୍ରଲି ଭକ୍ତଙ୍କ ଦ୍ୱାରା ପରିପୂର୍ଣ୍ଣ ଥିଲା । ଏହି ଦୁର୍ଘଟଣାରେ ମହିଳା ଶିଶୁ ସମତେ ୧୩ ଜଣଙ୍କ ମୃତ୍ୟୁ ହୋଇଯାଇଛି । ସେହିପରି ପ୍ରାୟ ୬ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଚିକିତ୍ସା ପାଇଁ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣା ପରେ ପୋଲିସ ଅଧୀକ୍ଷକ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚିଛନ୍ତି । ସୂଚନା ମୁତାବକ ଦୁର୍ଘଟଣାର ଶିକାର ହୋଇଥିବା ଲୋକମାନେ ଗର୍ଯା ନଦୀରୁ ଜଳ ଭରିବା ପାଇଁ ଆସିଥିଲେ ଏହି ସମୟରେ ଅଚାନକ ଟ୍ରାକ୍ଟର ଟ୍ରଲି ଅନିୟନ୍ତ୍ରିତ ହୋଇ ପୋଲ ତଳକୁ ଖସିପଡ଼ିଥିଲା । ଦୁର୍ଘଟଣାରେ ଶିକାର ହୋଇଥିବା ସମସ୍ତ ଲୋକ ସନୋରା ଗାଁର ଅଟନ୍ତି । ସୂଚନା ଅନୁସାରେ ଏହି ଗାଁର ଲୋକମାନେ ଯଜ୍ଞ ପାଇଁ ନଦୀରୁ ପାଣି ଆଣିବା ପାଇଁ ଯାଇଥିବା ସମୟରେ ଏହି ଦୁର୍ଘଟଣାର ଶିକାର ହୋଇଛନ୍ତି ।