ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ନରବଳି ଅଭିଯୋଗର ତନାଘନା, ୬ ଜଣଙ୍କୁ ଅଟକ ରଖି କିଆକଟା ପୋଲିସର ପଚରାଉଚରା

1 min read

ଅନୁଗୁଳ: ଅନୁଗୁଳ ଆଠମଲ୍ଲିକରେ ନରବଳି ଘଟଣାର ତନାଘନା । ନାବାଳକ ସଞ୍ଜିତକୁ ନରବଳି ଅଭିଯୋଗରେ ୬ ଜଣଙ୍କୁ କିଆକଟା ଥାନାରେ ଅଟକ ରଖି ପଚରାଉଚରା କରୁଛି ପୋଲିସ । ପୂର୍ବରୁ ଟୁସର ଗାଁର ରୀତାଞ୍ଜଳି ବାଘ ଓ ତାଙ୍କ ୩ ପୁଅ ସମେତ ୬ ଜଣଙ୍କୁ ଅଟକ ରଖିଛି ପୋଲିସ । ସଞ୍ଜିତ କିଛିଦିନ ହେଲା ଅସୁସ୍ଥ ଥିଲା । ଦେହ ସବୁବେଳେ ଖରାପ ହେଉଥିବାରୁ ସଞ୍ଜିତକୁ ତାଙ୍କ ମାଆ ବାସନ୍ତୀ ବିଶ୍ବାଳ ଗତ ୨୨ ତାରିଖରେ ଟୁସର ଗାଁର ରୀତାଞ୍ଜଳି ବାଘଙ୍କ ପାଖକୁ ନେଇଥିଲେ । ରୀତାଞ୍ଜଳି ମଙ୍ଗଳା ଠାକୁରାଣୀଙ୍କୁ ପୂଜା କରୁଛନ୍ତି । ମା ମଙ୍ଗଳାଙ୍କ ପାଖରେ ଅଧିଆ ପଡ଼ିଲେ ଦେହ ସୁସ୍ଥ ହୋଇଯିବ ବୋଲି ସେ କହିଥିଲେ । ପରେ ମଙ୍ଗଳା କୋଠିରେ ସଞ୍ଜିତ ରାତିରେ ଅଧିଆ ପଡ଼ିଥିଲେ । ତାଙ୍କ ମା ଅନ୍ୟ ଏକ କୋଠରିରେ ଶୋଇଥିଲେ । ହେଲେ ସକାଳୁ ଉଠି ବାସନ୍ତୀ ଦେଖିବା ବେଳକୁ ତାଙ୍କ ପୁଅ କୋଠିରେ ନ ଥିଲେ । ପରେ ଏନେଇ କିଆକଟା ଥାନାରେ ଅଭିଯୋଗ ହୋଇଥିଲା । ହେଲେ ପୋଲିସ ତଦନ୍ତରେ ମନ୍ଥରତା ରହିଥିଲା । ଥାନାରେ ଏତଲା ଦେବାର ୫ ଦିନ ପରେ ମଧ୍ୟ ପୋଲିସ ନିଖୋଜ ନାବାଳକର ସନ୍ଧାନ ପାଇ ନଥିଲା ବେଳେ, ୨୮ ତାରିଖ ଦିନ ଜଙ୍ଗଲରୁ ତାଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ଉଦ୍ଧାର ହେବା ପରେ ଏହାକୁ ସ୍ଥାନୀୟ ଲୋକେ ସହଜରେ ଗ୍ରହଣ କରିପାରି ନାହାନ୍ତି ।

ତାଙ୍କୁ ବଳି ଦିଆଯାଇଥିବା ସନ୍ଦେହ କରିଛନ୍ତି । ଗୁପ୍ତଧନ ପାଇବା ଲୋଭରେ ଠାକୁରାଣୀଙ୍କ ପୂଜା କରୁଥିବା ରୀତାଞ୍ଜଳି ଏଭଳି କାଣ୍ଡ ଭିଆଇଥିବା ଲୋକମାନେ ଅଭିଯୋଗ କରି ରାସ୍ତାରୋକ କରିଥିଲେ । ପ୍ରଶାସନ ଓ ସ୍ଥାନୀୟ ବିଧାୟକ ରମେଶ ସାଏ ନାବାଳକଙ୍କ ପରିବାରକୁ ଭେଟି ସମବେଦନା ଜଣାଇଛନ୍ତି । ଏହା ସହ ଯେଉଁମାନେ ଦୋଷୀ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଅଧିକାରୀଙ୍କ ସହ ଆଲୋଚନା କରିବେ ବୋଲି କହିଛନ୍ତି । ଆଉ କ୍ଷତିପୂରଣ ରାଶିର ବନ୍ଦୋବସ୍ତ କରାଯିବ ବୋଲି ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି । ସେପଟେ ଗାଁରେ ଅପ୍ରୀତିକର ପରିସ୍ଥିତି ଆଶଙ୍କାରେ ପୋଲିସ ସଜାଗ ରହିଛି । ଥାନାରେ ୨ ପ୍ଲାଟୁନ ଫୋର୍ସ ମହଜୁଦ ଅଛନ୍ତି । ସାଇଣ୍ଟିଫିକ ଟିମ୍ ଓ ସନ୍ଧାନୀ କୁକୁର ସହାୟତା ନିଆଯିବା ସହ SCB ରେ ଶବ ବ୍ୟବଚ୍ଛେଦ କରାଯାଇଛି । ରିପୋର୍ଟ ଆସିବା ପରେ ମୃତ୍ୟୁ କିଭଳି ହେଲା ତାହା ସ୍ପଷ୍ଟ ହେବ ।