୬ ମାସର ଝିଅକୁ କରୋନା, ଫୋଟୋ ହେଲା ଭାଇରାଲ

ପୂର୍ବରୁ ହୃଦଘାତ ସହ ସଂଘର୍ଷ କରୁଥିବା ଝିଅ ଏବେ ପୁଣି କରୋନାରେ ଆକ୍ରାନ୍ତ ହୋଇଛି। ଝିଅର ବୟସ ଜାଣିଲେ ଆପଣବି ଆଶ୍ଚର୍ଯ୍ୟ ହୋଇଯିବେ। କାରଣ ଝିଅର ବୟସ ମାତ୍ର୬ ମାସ। ଦୁନିଆ କଣ ଜାଣିବା ପୂର୍ବରୁ ଦୁଇ ଦୁଇଟି ବିପଦପୂର୍ଣ୍ଣ ରୋଗରେ ଘାଣ୍ଟି ହେଉଛି। ବ୍ରିଟେନର ଏହି ଝିଅକୁ ଡାକ୍ତରଖାନାରେ ଚିକିତ୍ସା କରାଯାଉଛି। ଏଥିସହିତ ପିତାମାତାଙ୍କ ସହମତିରେ ଡାକ୍ତରଖାନା ବେଡ ଉପରେ ପଡ଼ିଥିବା ଝିଅର ଫୋଟୋ ଏବେ ପ୍ରକାଶ ପାଇଛି। ଯାହା ସୋସିଆଲ ମିଡିଆରେ ବର୍ତ୍ତମାନ ଭାଇରାଲ ହୋଇଛି।
ଏରିନ୍ ବେଟ୍ସ ନାମ ଏହି ଝିଅ ହୃଦୟ ଜନିତ ସମସ୍ୟା ସହ ସଂଘର୍ଷ କରୁଥିଲା। ଡିସେମ୍ବର ୨୦୧୯ ରେ ପିଲାଟିର ଓପନ ହାର୍ଟ ଅସ୍ତ୍ରୋପଚାର କରାଯାଇଥିଲା। ଏରିନ୍ ବ୍ରିଟେନର ଗ୍ରେଟ୍ ମାଞ୍ଚେଷ୍ଟରରେ ରୁହନ୍ତି। ଶୁକ୍ରବାର ଦିନ, ଏରିନ୍ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡିଥିଲା। ବ୍ରିଟେନର ଲିଭରପୁଲର ଏକ ଶିଶୁ ଡାକ୍ତରଖାନାରେ ଏରିନଙ୍କୁ ଏକ ଭେଣ୍ଟିଲେଟରରେ ରଖାଯାଇଛି । କରୋନା କାରଣରୁ ଏରିନଙ୍କ ମା ଏମା ବେଟ୍ସଙ୍କୁ ଡାକ୍ତରଖାନାରେ ରହିବାକୁ ଅନୁମତି ଦିଆଯାଇଥିବାବେଳେ ପିତା ଭାନି ବେଟ୍ସଙ୍କୁ ଘରକୁ ପଠାଯାଇଛି।
ଅଳ୍ପ ବୟସରେ ସଫଳ ହୃଦୟ ଅସ୍ତ୍ରୋପଚାର ହେତୁ ଏରିନଙ୍କୁ ‘ଚମତ୍କାର ଶିଶୁ’ କୁହାଯାଉଥିଲା । ଏଥି ସହିତ, ଏରିନ୍ ସଂକ୍ରମିତ ହେବା ପରେ ଅଭିଭାବକମାନେ ସାଧାରଣ ଲୋକଙ୍କୁ ନିବେଦନ କରିଥିଲେ ଯେ ଏହି ଭାଇରସକୁ ଗୁରୁତର ସହ ଗ୍ରହଣ କରନ୍ତୁ ଏବଂ ସରକାରଙ୍କ ଦ୍ୱାରା କରାଯାଇଥିବା ନିୟମ ପାଳନ କରନ୍ତୁ।