ଆନ୍ଧ୍ରପ୍ରଦେଶର ଓଡ଼ିଆଙ୍କ ମୃତ୍ୟୁ ଘଟଣା ; ଆଜି ଦିଗପହଣ୍ଡିରେ ପହଞ୍ଚିବ ସମସ୍ତଙ୍କ ମୃତଦେହ

ନନ୍ଦିଘୋଷ ବ୍ୟୁରୋ: ଆନ୍ଧ୍ରପ୍ରଦେଶର ବାଲିକୁରମା ଠାରେ ପଥର କୁଆଁରିରେ ଦୁର୍ଘଟଣା ପ୍ରସଙ୍ଗ । ଆଜି ଦିଗପହଣ୍ଡିରେ ପହଞ୍ଚିବ ସମସ୍ତଙ୍କ ମୃତଦେହ । ମୁଖ୍ଯମନ୍ତ୍ରୀ ରିଲିଫ ପାଣ୍ଠିରୁ ମୃତକଙ୍କ ଆତ୍ମୀୟମାନଙ୍କୁ ୪ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା କରାଯାଇଛି । ଘଟଣାର ତଦନ୍ତ ପାଇଁ ସେଠାକୁ ଯାଇଥିଲେ ଜିଲ୍ଲା ପ୍ରଶାସନର ତିନି ଜଣିଆ ଟିମ୍ । ତିନି ଜଣିଆ ଟିମରେ ରହିଛନ୍ତି ଦିଗପହଣ୍ଡିର ଅତିରିକ୍ତ ତହସିଲଦାର ଆଶିଷ କୁମାର ନାୟକ, ସହକାରୀ ଶ୍ରମ ଅଧିକାରୀ ପ୍ରକାଶ କୁମାର ପରିଡ଼ା ଓ ଦିଗପହଣ୍ଡିର ରାଜସ୍ୱ ନିରୀକ୍ଷକ ଉପେନ୍ଦ୍ର ବେହେରା । ଏହି ତିନି ଜଣିଆ ଟିମ୍ ପହଞ୍ଚି ସେଠାରେ ଘଟଣାର ତଦନ୍ତ କରିଛନ୍ତି ।

ତେଣେ ଧରାକୋଟ ତହସିଲଦାର ଲମ୍ବୋଦର ମାରାଣ୍ଡି ମୃତ ସନ୍ତୋଷ ଗୌଡ଼ଙ୍କ ଗ୍ରାମ ନୂଆଁ କଂସେଇ ଠାରେ ପହଞ୍ଚି ପରିବାରକୁ ସାକ୍ଷାତ କରିଛନ୍ତି  । କାମ କରୁଥିବାବେଳେ ବିରାଟ ଗ୍ରାନାଇଟ ପଥର ଖସିବାରୁ ଏହି ମର୍ମନ୍ତୁଦ ଅଘଟଣ ଘଟିଥିଲା । ମୃତକମାନେ ହେଲେ ଗଂଜାମ ଜିଲ୍ଲା ଦିଗପହଣ୍ଡି ଅଞ୍ଚଳର ଦଣ୍ଡ ବଡ଼ତ୍ୟା, ବନମାଳ ଚେହ୍ରା, ଭାସ୍କର ବିଶୋଇ, ସନ୍ତୋଷ ଗୌଡ଼ ଓ ଗଜପତି ଜିଲ୍ଲା ମୋହନାର ଟୁକୁନା ଦଳାଇ ଓ ମୁସା ଜାନ। ବାପାଟଲା ପଥର ଖାଦାନରେ କାମ କରୁଥିବା ବେଳେ ସେମାନଙ୍କର ମୃତ୍ୟୁ ହୋଇଛି। ଦୁର୍ଘଟଣା ସମୟରେ ୧୫ ଜଣ ଶ୍ରମିକ କାମ କରୁଥିଲେ।