ଶ୍ରୀଜଗନ୍ନାଥ ମନ୍ଦିର ପାଇଁ ୬ଟି ପଥର ଖଣିରୁ ଖଣ୍ଡାଲାଇଟ୍ ଖୋଳିବ OMC

1 min read

ଭୁବନେଶ୍ୱର: ବିଶ୍ୱର ଅନ୍ୟତମ ପ୍ରମୁଖ ଐତିହ୍ୟ ନଗରୀ ହେଉଛି ପୁରୀ । ଏବେ ଶ୍ରୀକ୍ଷେତ୍ରର ବଦଳିବ ରୂପରେଖ । ସୌନ୍ଦର୍ଯ୍ୟ ବୃଦ୍ଧି ସହ ପାରିପାର୍ଶ୍ୱିକ ବିକାଶ ପାଇଁ ସରକାର ଆରମ୍ଭ କରିଛନ୍ତି ଅବଢା ଯୋଜନା । ଉନ୍ନୟନ ମୂଳକ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ରାଜ୍ୟ ଖଣି ବିଭାଗ ସହାୟତା ପ୍ରଦାନ କରିବାକୁ ରାଜି ହୋଇଛି । ଯାଜପୁର, କଟକ ଓ ଖୋର୍ଦ୍ଧା ଜିଲ୍ଲାରେ ଥିବା ୬ଟି ପଥର ଖଣିକୁ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପାଇଁ ଓଏମସିକୁ ଦେବାକୁ କୁହାଯାଇଛି । ସେଠାରୁ ଯେଉଁ ମୂଲ୍ୟବାନ୍ ପଥର ବାହାର କରାଯିବ ତାକୁ ପୁରୀର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ବ୍ୟବହାର କରାଯିବାକୁ ନିଷ୍ପତ୍ତି ହୋଇଛି ।ଯାଜପୁର ଚନ୍ଦିଆ ବ୍ଲକରେ ୪ ହେକ୍ଟରରେ ଥିବା ଖଣି, ସୁଖୁପରାରେ ୭୮.୩ ହେକ୍ଟରରେ ଥିବା ଖଣି, ତେଲିଘରରେ ୨୭.୫ ହେକ୍ଟରରେ ଥିବା ଖଣିକୁ ଓଏମସି ଉତ୍ତୋଳନ କରି ସେଥିରୁ ଖଣ୍ଡାଲାଇଟ୍ ପଥର କାଟି ପୂର୍ତ୍ତ ବିଭାଗକୁ ଦେବ । ପୂର୍ତ୍ତ ବିଭାଗ, ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନକୁ ଏହାକୁ ହସ୍ତାନ୍ତର କରିବ । ସେହିଭଳି କଟକ ଗୋବିନ୍ଦପୁରରେ ୨୦.୩ ହେକ୍ଟରରେ ଥିବା ଖଣି, ଖୋର୍ଦ୍ଧା କୁରୁମ୍ପଡା ଡେକୋରେଟିଭ ଷ୍ଟୋନ୍ ବ୍ଲକ, ଖୋର୍ଦ୍ଧା କୁଣ୍ଡାକୁଣ୍ଡି କୁଣ୍ଡା ପଥର କ୍ୱାରିକୁ ଓଏମସିକୁ ଦିଆଯିବ ।

FILE PHOTO

ଏହି ୬ ଖଣିରୁ ଉତ୍ତୋଳନ କରାଯାଇଥିବା ମୁଗୁନି ପଥରକୁ ଓଏମସି ପୂର୍ତ୍ତ ବିଭାଗକୁ ହସ୍ତାନ୍ତର କରିବ । ଅବଢ଼ା ଯୋଜନାରେ ପୁରୀରେ ହେଉଥିବା ବିକାଶ ମୂଳକ କାର୍ଯ୍ୟରେ ଏ ସବୁ ପଥରକୁ ନିୟୋଜିତ କରାଯିବ । ଏହି ପଥର ମାଧ୍ୟମରେ ପୁରୀ ଜଗନ୍ନାଥ ମନ୍ଦିର ସହିତ ଅନ୍ୟ ଐତିହ୍ୟ ସ୍ଥଳୀର ବିକାଶ କରାଯିବ । ପୂର୍ତ୍ତ ବିଭାଗ, ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ ଏବଂ ଓଏମସିର ମିଳିତ ଉଦ୍ୟମରେ ଏସବୁ କରାଯିବାକୁ ନିଷ୍ପତ୍ତି ହୋଇଛି । ଅବ୍ୟବହୃତ ପଥରକୁ ଶ୍ରୀମନ୍ଦିର ପ୍ରଶାସନ, ପୂର୍ତ୍ତ ବିଭାଗ ଓଏମସିର ନିୟମ ମୁତାବକ ଧ୍ୱଂସ କରିପାରିବେ।

Leave a Reply