ଆନ୍ଧ୍ରପ୍ରଦେଶର କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ

1 min read

ହାଇଦ୍ରାବାଦ: ଆନ୍ଧ୍ର ପ୍ରଦେଶର କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ। ଆକିରେଡିଗୁଡେମ ସ୍ଥିତ ଏକ ରାସାୟନିକ କାରଖାନାରେ ବିସ୍ଫୋରଣ ଘଟି ୬ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୨ରୁ ଊର୍ଦ୍ଧ୍ୱ ବ୍ୟକ୍ତି ଗୁରୁତର ହୋଇଥିବା ସୂଚନା । ନାଇଟ୍ରିକ ଏସିଡ ଓ ମନୋମିଥାଇଲ ଗ୍ୟାସ ବିସ୍ଫୋରଣ ପରେ ଫ୍ୟାକ୍ଟ୍ରିରେ ନିଆଁ ଲାଗି ଯାଇଥିଲା ।

ଏନେଇ ନୁଜିଭିଡୁର ଡିଏସପି, ବି ଶ୍ରୀନିବାସୁଲୁଙ୍କ ଅନୁଯାୟୀ, ଗତ ବୁଧବାର ରାତି ପ୍ରାୟ ୧୧.୪୦ ସମୟରେ ପୋରସ୍ ଲାବୋରେଟୋରୀରେ ଏହି ଘଟଣା ଘଟିଛି। ୟୁନିଟ୍ ନଂ-୪ରେ ଏକ ବଏଲରରୁ ବିପଜ୍ଜନକ ଗ୍ୟାସ୍ ଲିକ୍ ହୋଇ ବିସ୍ଫୋରଣ ଘଟିଥିଲା ।

ସୂଚନା ଅନୁଯାୟୀ, ବିସ୍ଫୋରଣ ବେଳେ ଫ୍ୟାକ୍ଟ୍ରିରେ ୩୦ଜଣ କାର୍ଯ୍ୟ କରୁଥିଲେ । ବୁଧବାର ବିଳମ୍ବିତ ରାତିରେ ଘଟିଥିବା ଏହି ବିସ୍ଫୋରଣରେ ୬ଜଣଙ୍କର ମୃତ୍ୟୁ ହୋଇଛି ।  ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ମୃତକଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ ପାଇଁ ଘୋଷଣା କରିଛନ୍ତି ଆନ୍ଧ୍ର ମୁଖ୍ୟମନ୍ତ୍ରୀ ୱାଇଏସ୍ ଜଗନ ମୋହନ ରେଡ୍ଡୀ । ଏହା ବ୍ୟତୀତ ଗୁରୁତର ପରିବାରକୁ ୫ ଲକ୍ଷ ଟଙ୍କା ଓ ସାମାନ୍ୟ ଆହତ ପରିବାରକୁ ୨ଲକ୍ଷ ଟଙ୍କା ଲେଖାଏଁ ଘୋଷଣା କରାଯାଇଛି ।

 

ତେବେ ଏହି ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏଥିସହିତ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇବା ସହ ଗୁରୁତର ଆହତ ମାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ପ୍ରଧାନମନ୍ତ୍ରୀ ।